fbpx

ବଦାନ୍ୟତା ଦେଖାଇଲେ ଖେଳାଳୀ: ପିଏମ କେୟାର୍ସକୁ କଲେ ୩୮ ଲକ୍ଷର ସହାୟତା ପ୍ରଦାନ

ନୂଆ ଦିଲ୍ଲୀ, ୨୬/୦୪: କରୋନା ମହାମାରୀ ସହ ସାରା ଦେଶ ଲଢୁଥିବାବେଳେ ଭାରତକୁ ସାହାଯ୍ୟ କରିବା ପାଇଁ ଆଗକୁ ଆସିଛନ୍ତି ଅଷ୍ଟ୍ରେଲିଆର ଦ୍ରୁତ ବୋଲର ପ୍ୟାଟ କମିନ୍ସ । ପ୍ୟାଟ ପିଏମ କେୟାର୍ସ ଫଣ୍ଡକୁ ୩୮ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଦେଶରେ ଦେଖାଦେଇଥିବା ଅକ୍ସିଜେନ ସଂଙ୍କଟକୁ ଏଡାଇବା ପାଇଁ ସେ ଏହି ଅର୍ଥ ପ୍ରଦାନ କରିଛନ୍ତି ।
ପ୍ୟାଟ କମିନ୍ସ ଏନେଇ ଏକ ଟ୍ୱିଟ କରି ଘୋଷଣା କରଛନ୍ତି । ସେ ଲେଖିଛନ୍ତି, “ ଭାରତ ଏକ ଏଭଳି ଦେଶ ଯେଉଁଠାରୁ ମତେ ବହୁତ ଭଲ ପାଇବା ମିଳିଛି ଏବଂ ଏହାର ଲୋକ ମଧ୍ୟ ବହୁତ ଭଲ । ମୁଁ ଜାଣିଛି ଏହି ଦେଶରେ କିଛି ସମୟରୁ କରୋନା ଭାଇରସ ଯୋଗୁଁ ବହୁତ ଅସୁବିଧା ହେଉଛି, ଯାହା ଯୋଗୁଁ ସମଗ୍ର ଦେଶରେ ହସ୍ପିଟାଲରେ ଅକ୍ସିଜେନର ଅଭାବ ଦେଖାଦେଇଛି । ଏଭଳି ପରିସ୍ଥିତିରେ ଜଣେ ଖେଳାଳୀ ଭାବରେ, ମୁଁ ପିଏମ କେୟାର ଫଣ୍ଡକୁ ୫୦ ହଜାର ଡଲାର(ପ୍ରାୟ ୩୮ ଲକ୍ଷ) ର ସହାୟତା ରାଶି ପ୍ରଦାନ କରୁଛି । ଏବଂ ମୁଁ ମୋର ସାଥୀ ଖେଳାଳୀ ମାନଙ୍କୁ ମଧ୍ୟ ନିବେଦନ କରିବିି ସେମାନେ ମଧ୍ୟ ସାହାଯ୍ୟ କରିବାକୁ ଆଗକୁ ଆସନ୍ତୁ ।”

ଦେଶ ବର୍ତ୍ତମାନ କରୋନା ଭାଇରସର ଦ୍ୱିତୀୟ ଲହର ସହ ଯୁଦ୍ଧ କରୁଛି । ପୁରା ଭାରତରେ ସଂଙ୍ଗୀନ ପରିସ୍ଥିତି ଉପୁଜିଛି । ଗତ କିଛି ଦିନମାନଙ୍କରେ ପ୍ରତିଦିନ ୩ ଲକ୍ଷରୁ ଅଧିକ ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି । ରୋଗୀଙ୍କର ବଢୁଥିବା ମାମଲା କାରଣରୁ ହସ୍ପିଟାଲରେ ବେଡ ସଂଖ୍ୟା କମିବାରେ ଲାଗିଛି । ଅକ୍ସିଜେନର ଘୋର ଅଭାବ ଦେଖାଦଇଛି । ମହାମାରୀଠାରୁ ଲଢିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାମ ଜାରି ରହିଛି ।

ବର୍ତ୍ତମାନ ପ୍ୟାଟ କମିନ୍ସ ଆଇପିଏଲ ଖେଳିବା ପାଇଁ ଭାରତରେ ଅଛନ୍ତି । ସେ କୋଲକାତା ନାଇଟ ରାଇଡର୍ସ ତରଫରୁ ଖେଳୁଛନ୍ତି । କୋଲକାତା ନାଇଟ ରାଇଡର୍ସ କମିନ୍ସଙ୍କୁ ୨୦୨୦ର ନିଲାମୀରେ ୧୫.୫ କୋଟିରେ କିଣିଥିଲା ।
ତାଙ୍କ ଟିମ ଏପର୍ଯ୍ୟନ୍ତ ଏତେ ଖାସ ପ୍ରଦର୍ଶନ କରିନାହିଁ । ୫ ଟି ମ୍ୟାଚ ମଧ୍ୟରୁ କେବଳ ୧ଟି ମ୍ୟାଚ ଜିତିଛି । କେବଳ ୨ ପଏଣ୍ଟ ସହ ପଏଣ୍ଟ ତାଲିକାରେ ଦଳ ଶେଷରେ ରହିଛି ।
ପ୍ୟାଟ କମିନ୍ସ ଆଇପିଏଲର ଏହି ସଂସ୍କରଣରେ ୫ ଟି ମ୍ୟାଚ ଖେଳିଛନ୍ତି ଏବଂ ୪ ୱିକେଟ ନେଇଛନ୍ତି । ସେ ବ୍ୟାଟିଙ୍ଗରେ ମଧ୍ୟ ନିଜର ଦମ ଦେଖାଇଛନ୍ତି । ସେ ଚେନ୍ନାଇ ସୁପରକିଙ୍ଗସ ବିପକ୍ଷ ମ୍ୟାଚରେ ଅପରାଜିତ ୬୬ ରନ ସଂଗ୍ରହ କରିଥିଲେ ।

Get real time updates directly on you device, subscribe now.