ମହାୟୁତିରେ ସାମିଲ ହେବ କି ଶରଦ ପାୱାରଙ୍କ ଏନସିପି? ଗୁପ୍ତ ବୈଠକ ପରେ ଚର୍ଚ୍ଚା

କୁହାଯାଉଛି; ଯଦି ରାଷ୍ଟ୍ରବାଦୀ କଂଗ୍ରେସ (ଶରଦଚନ୍ଦ୍ର ପାୱାର) ମହାୟୁତିରେ ସାମିଲ ହୁଏ, ତେବେ ସରକାରରେ ତାଙ୍କର ଭୂମିକା କଣ ହେବ?

ମୁମ୍ବାଇ: ପୁଣି ଥରେ ହଲ୍‌ଚଲ ହୋଇଛି ମହାରାଷ୍ଟ୍ର ରାଜନୀତି। ଶିବସେନା (ଉଦ୍ଧବ ଠାକରେ)ର ୬ ଜଣ ସାଂସଦ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନାରେ ସାମିଲ ହେବା ପରେ ଏବେ ଆଉ ଏକ ବଡ଼ ରାଜନୈତିକ ଘଟଣାକ୍ରମକୁ ନେଇ ଚର୍ଚ୍ଚା ଜୋର ଧରିଛି। ଶରଦ ପାୱାରଙ୍କ ନେତୃତ୍ୱାଧୀନ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ମହାୟୁତିରେ ସାମିଲ ହୋଇପାରେ।

ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି; ଶରଦ ପାୱାରଙ୍କ ନେତୃତ୍ୱାଧୀନ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଶରଦଚନ୍ଦ୍ର ପାୱାର) ମହାୟୁତି ସରକାରରେ ସାମିଲ ହୋଇପାରେ। ଏହି ଚର୍ଚ୍ଚା ସେତେବେଳେ ଅଧିକ ଶକ୍ତ ହୋଇଛି, ଯେତେବେଳେ ଦଳର ବରିଷ୍ଠ ନେତା ତଥା ବିଧାୟକ ଜୟନ୍ତ ପାଟିଲ ଓ ବିଜେପିର ବରିଷ୍ଠ ନେତା ତଥା ସାଂସଦ ବିନୋଦ ତାୱଡେଙ୍କ ମଧ୍ୟରେ ମୁମ୍ବାଇର ଏକ ହୋଟେଲରେ ସାକ୍ଷାତକାର ହୋଇଥିଲା।

କୁହାଯାଉଛି; ଯଦି ରାଷ୍ଟ୍ରବାଦୀ କଂଗ୍ରେସ (ଶରଦଚନ୍ଦ୍ର ପାୱାର) ମହାୟୁତିରେ ସାମିଲ ହୁଏ, ତେବେ ସରକାରରେ ତାଙ୍କର ଭୂମିକା କଣ ହେବ? ସେ ବିଷୟରେ ଏହି ବୈଠକରେ ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଛି।

ରିପୋର୍ଟ ଅନୁଯାୟୀ, ବୈଠକ ପରେ ଜୟନ୍ତ ପାଟିଲ ଦଳର ଜଣେ ବରିଷ୍ଠ ନେତାଙ୍କ ସହ ମଧ୍ୟ ଏହି ବିଷୟରେ କଥା ହୋଇଛନ୍ତି। ତେବେ ବିନୋଦ ତାୱଡେଙ୍କ ସହ ସାକ୍ଷାତକାରକୁ ସ୍ୱୀକାର କରି କହିଛନ୍ତି ଜୟନ୍ତ ପାଟିଲ। ସେ କହିଛନ୍ତି; ଏହା କେବଳ ଏକ ସୌଜନ୍ୟମୂଳକ ଆନୁଷ୍ଠାନିକ ବୈଠକ ଥିଲା। ଏଥିରେ କୌଣସି ରାଜନୈତିକ ବୁଝାମଣା ଉପରେ ଆଲୋଚନା ହୋଇନାହିଁ।

ଏନସିପି (ଶରଦଚନ୍ଦ୍ର ପାୱାର)ର କାର୍ଯ୍ୟକାରୀ ଅଧ୍ୟକ୍ଷା ସୁପ୍ରିୟା ସୁଲେ ଏହି ବୈଠକକୁ ନେଇ କହିଛନ୍ତି; ଜୟନ୍ତ ପାଟିଲ ଓ ବିନୋଦ ତାୱଡେଙ୍କ ସାକ୍ଷାତକାର ବିଷୟରେ ମୋ’ ପାଖରେ କୌଣସି ସୂଚନା ନାହିଁ। ବିଭିନ୍ନ ସଂସଦୀୟ କମିଟିରେ ଭିନ୍ନ ଭିନ୍ନ ଦଳର ନେତାମାନେ ପରସ୍ପରକୁ ଭେଟିବା ଏକ ସାଧାରଣ କଥା।

ସୁଲେ ଜଣାଇଛନ୍ତି; ଗତ ଏକ ମାସ ମଧ୍ୟରେ ମୋର ବିନୋଦ ତାୱଡେଙ୍କ ସହ ଅନେକ ଥର ସାକ୍ଷାତ ହୋଇଛି। ଯେଉଁଥିରେ ବିଜେପିର ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ରହିଥିଲେ। କିନ୍ତୁ ଏହି ସାକ୍ଷାତକାର ଗୁଡ଼ିକୁ ରାଜନୈତିକ ରଙ୍ଗ ଦେବା ଉଚିତ ନୁହେଁ।

ଅନ୍ୟପଟେ ଏନସିପି (ଶରଦଚନ୍ଦ୍ର ପାୱାର) ବିଧାୟକ ରୋହିତ ପାୱାର ମହାୟୁତିରେ ସାମିଲ ହେବା ଚର୍ଚ୍ଚାକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି; ଦଳ ଭିତରେ ଏଭଳି କୌଣସି ଆଲୋଚନା ଚାଲିନାହିଁ। ଏହା କେବଳ ରାଜନୈତିକ କଳ୍ପନାଜଳ୍ପନା ଅଟେ। ଆମ ଦଳ ଗତ ଛଅ ଦଶନ୍ଧି ଧରି ବିଜେପିର ବିଚାରଧାରା ବିରୋଧରେ ଲଢ଼ି ଆସୁଛି। ତେଣୁ ମହାୟୁତିରେ ସାମିଲ ହେବା ଖବରରେ କୌଣସି ସତ୍ୟତା ନାହିଁ ବୋଲି ପାୱାର କହିଛନ୍ତି।