fbpx

ଏମିତି କଲେ ଭଲ ହେବ କି କରୋନା ?

ସାରା ବିଶ୍ୱକୁ କବଳିତ କରିଛି କରୋନା ଭୂତାଣୁ  । ଦିନକୁ ଦିନ ଏହାର ପ୍ରକୋପ ବଢିବାରେ ଲାଗିଛି  । ଯାହାକୁ ନେଇ ଚିନ୍ତାରେ ସମଗ୍ର ବିଶ୍ୱ, ସେପଟେ ବୈଜ୍ଞାନିକମାନେ ମଧ୍ୟ ଏହାର ନିରାକରଣ ପାଇଁ ଗବେଷଣା ଜାରି ରଖିଛନ୍ତି । କରୋନାରୁ ସୁସ୍ଥ ହେବା ପାଇଁ ନିଆଯାଉଛି ବିଭିନ୍ନ ପଦକ୍ଷେପ, ଚିକିତ୍ସା ପାଇଁ କେତେକ ଟୀକା ଏବଂ ଔଷଧ ମଧ୍ୟ ଆସିଛି । ତେବେ ଏହାର ବାରମ୍ବାର ରୂପ ପରିବର୍ତ୍ତନ ଏବଂ ଗୋଟିକ ପରେ ଗୋଟିଏ ନୂତନ ଳକ୍ଷଣ ଗବେଷକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଏପରି ସମୟରେ କେବଳ ସ୍ୱଚ୍ଛତା ଏବଂ ସଚେତନତା ହିଁ ଏକ ମାତ୍ର ଉପାୟ ବୋଲି ଧରାଯାଉଛି । ତେବେ ଲୋକେ ଏହି ମହାମାରୀ ସମୟରେ ମଧ୍ୟ ବିଭିନ୍ନ ଉପାୟ କରିବାକୁ ପଛାଇ ନାହାଁନ୍ତି  ଏବଂ ଏହି ଉପାୟ କରିବା ଦ୍ୱାରା କରୋନା ହେବ ନାହିଁ ବୋଲି ବିଶ୍ୱାସ ମଧ୍ୟ ରହିଛି । ଏହିଭଳି ଦୁଇଟି ଘଟଣା ଏବେ ଚର୍ଚ୍ଚାରେ ବିଷୟ ପାଲଟିଛି ।

ଉତ୍ତରପ୍ରଦେଶର ଗ୍ରାମଗୁଡିକରେ ମହିଳାମାନେ କରୋନାକୁ ଦେବୀ ମା’ ଭାବେ ପୂଜା କରୁଥିବା ଦେଖାଯାଇଛି । ରାଜ୍ୟର ବିଭିନ୍ନ ଗ୍ରାମ ଏପରିକି ସହାରାଞ୍ଚଳରେ ବି କରୋନାକୁ ଦେବୀ ମା’ ଭାବି ସକାଳ-ସନ୍ଧ୍ୟାରେ ଜଳ ଢାଳି, ନିମପତ୍ର ଦେଇ ପୂଜା କରାଯାଉଛି । ଲୋକଙ୍କର ବିଶ୍ୱାସ ରହିଛି ଏଭଳି ବିପଦ ସମୟରେ କୌଣସି ଟୀକା ଏବଂ ଔଷଧ କାମ କରିବ ନାହିଁ କେବଳ ଏଭଳି ଉପାୟ କରିବା ଦ୍ୱାରା ହିଁ କାରୋନା ରୂପକ ଦେବୀଙ୍କୁ ଶାନ୍ତ କରିହେବା ନେଇ ବିଶ୍ୱାସ ରଖିଛନ୍ତି ଲୋକେ । ସେମାନଙ୍କର ବିଶ୍ୱାସ ରହିଛି ସପ୍ତମ ଦିନରେ ହଳଦୀ, ନଡ଼ିଆ ଓ ଗୁଡ ଅର୍ପଣ କରିବା ଦ୍ୱାରା ଦେବୀ ଏହି ମହାମାରୀଙ୍କୁ ନିଜ ମଧ୍ୟକୁ ଟାଣିନେବେ ଏବଂ ବିଶ୍ୱକୁ କରୋନା କବଳରୁ ମୁକ୍ତ କରିବେ  । ଏକ ମନ୍ଦିରର ପୂଜକଙ୍କ ଦେହରେ ଦେବୀ ମା’ ଆସି ମହାମାରୀରୁ ବର୍ତ୍ତିବା ଲାଗି ଏହି ଉପାୟ କହିଥିଲେ ବୋଲି ପ୍ରଚାର ହେବା ପରେ ବିଭିନ୍ନ୍ ସ୍ଥାନରେ ଏଭଳି ପୂଜାର୍ଚ୍ଚନା ଆରମ୍ଭ ହୋଇଛି । କେବଳ ଉତ୍ତର ପ୍ରଦେଶ ନୁହେଁ, ବିହାର, ଛତିଶଗଡ଼ ଆଦି ରାଜ୍ୟର ଗ୍ରାମରେ ବି କରୋନା ଦେବୀଙ୍କ ପୂଜାର୍ଚ୍ଚନା କରାଯାଉଥିବା ଖବର ଚର୍ଚ୍ଚାକୁ ଆସିଛି ।

ସେହିପରି ଉତ୍ତରପ୍ରଦେଶର ଶାହଜାହାନପୁର ଅନ୍ତର୍ଗତ ବାହାଦୁରଗଞ୍ଜ ଅଞ୍ଚଳରେ କରୋନା ହେଉଥିବା ଲୋକମାନେ ଅଶ୍ୱତ୍ଥ ଗଛ ମୂଳକୁ ଚାଲିଆସୁଥିବା ଦେଖାଯାଇଛି । ଏଠାରେ ଥିବା ଜଣେ ମହିଳାଙ୍କ କହିବା ଅନୁଯାୟୀ ତାଙ୍କୁ ଶ୍ୱାସ କ୍ରିୟାରେ ଅସୁବିଧା ହେଉଥିଲା ଏବଂ ସେ ଅମ୍ଳଜାନ ପାଇବା ଅସମ୍ଭବ ଥିଲା ଏହି ସମୟରେ କେହି ଜଣେ ତାଙ୍କୁ କହିଥିଲେ ଅଶ୍ୱତ୍ଥ ଗଛ ପର୍ଯ୍ୟାପ୍ତ ପରିମାଣର ଅମ୍ଳଜାନ ଦେଇଥାଏ ତେଣୁ ପରିବାର ଅଶ୍ୱତ୍ଥ ଗଛ ନିକଟକୁ ନେଇଯାଇଥିଲେ ଏବଂ ସେ ମଧ୍ୟ ଆରାମ ଅନୁଭବ କରୁଥିବା କହିଛନ୍ତି ।

ସ୍ଥାନୀୟ ବିଧାୟକ ସେଠାରେ ପହଞ୍ଚି ଗଛ ମୂଳରେ ଥିବା କରୋନା ରୋଗୀଙ୍କୁ  ଡାକ୍ତରଖାନାକୁ ନେବାର ବ୍ୟବସ୍ଥା କରିଥିଲେ ମଧ୍ୟ ସେମାନେ ସହଜରେ ଯିବାକୁ ରାଜି ହୋଇନଥିଲେ । ଏପରିକି ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରୁଥିବା ମହିଳାଙ୍କୁ ଅଶ୍ୱତ୍ଥ ଗଛମୂଳକୁ ଅଣାଯିବାପରେ ସେ ସୁସ୍ଥ ଥିବା ପରିବାର ଲୋକ କହିଛନ୍ତି । ସେପଟେ ଚିକିତ୍ସାବିଜ୍ଞାନୀ କହିଛନ୍ତି ସମ୍ଭବତଃ ସତେଜ ପବନ ଓ ଖୋଲା ପ୍ରାକୃତିକ ପରିବେଶ ସେମାନଙ୍କ ଶ୍ୱାସକ୍ରିୟାକୁ ସହଜ କରିଥାଇପାରେ । ତଥାପି ସେମାନେ ଶାରୀରିକ ମନୋବୈଜ୍ଞାନିକ କାରଣରୁ ଏପରି ଅନୁଭବ କରୁଥିବା ବୋଲି ମଧ୍ୟ ଡାକ୍ତର ମତ ଦେଇଥିଲେ । ତେବେ ଏପରି ଅନ୍ଧବିଶ୍ୱାସକୁ ବିଶ୍ୱାସ ନକରି ରୋଗୀ କେବଳ ଉପଯୁକ୍ତ ଚିକିତ୍ସା ଦ୍ୱାରା ହିଁ ସୁସ୍ଥ ହୋଇପାରିବେ ବୋଲି ଡାକ୍ତର କହିଛନ୍ତି ।

Get real time updates directly on you device, subscribe now.