ନାଗା ଓ କୁକି ସମ୍ପ୍ରଦାୟରୁ ୨୦ ନିଖୋଜ; ସୁରକ୍ଷା କର୍ମୀଙ୍କ ତଲାସୀ ଅଭିଯାନ

ମଣିପୁରର ମୁଖ୍ୟମନ୍ତ୍ରୀ ୟୁମନାମ ଖେମଚନ୍ଦ ସିଂହ କହିଛନ୍ତି, କାଙ୍ଗପୋକପି ଜିଲ୍ଲାରେ ୧୩ ମେ’ରେ ଛଅ ଜଣ ନାଗା ଗ୍ରାମବାସୀଙ୍କ ଅପହରଣ ଓ ତିନି ଜଣ ଚର୍ଚ୍ଚ ନେତାଙ୍କ ହତ୍ୟା ସହ ଜଡ଼ିତ ମାମଲା ଗୁଡ଼ିକର ତଦନ୍ତ ଏବେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)କୁ ଦିଆଯାଇଛି

ଇମ୍ଫାଲ: ମଣିପୁରରେ ପୁଣି ଥରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ଗତ କିଛି ଦିନ ଧରି କେନ୍ଦ୍ର ଓ ରାଜ୍ୟ ସୁରକ୍ଷା ବଳ ପକ୍ଷରୁ ଗଭୀର ମିଳିତ ତଲାସି ଅଭିଯାନ ଚାଲିଛି। ଏହା ସତ୍ତ୍ୱେ ପାହାଡ଼ିଆ ଜିଲ୍ଲା ଗୁଡ଼ିକରେ ନାଗା ଓ କୁକି ସମ୍ପ୍ରଦାୟର ପ୍ରାୟ ୨୦ ଜଣ ସଦସ୍ୟ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି।

ଅପହୃତଙ୍କୁ ଉଦ୍ଧା ପାଇଁ ଏନ୍‌ଏଚ୍‌-୨ ଆଖପାଖ ଅଞ୍ଚଳରେ ଚଢ଼ଉ କରାଯାଉଛି। ଏନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି, କାଙ୍ଗପୋକପି ଜିଲ୍ଲାରେ ନିକଟରେ ହୋଇଥିବା ହିଂସାର ପ୍ରଭାବକୁ ରୋକିବା ପାଇଁ ସୁରକ୍ଷା ବଳ ଇମ୍ଫାଲ-ଦିମାପୁର ଜାତୀୟ ରାଜପଥ (ଏନ୍‌ଏଚ୍‌-୨)ରେ ଥିବା ଲିଟାନ, ମହାଦେବ ଓ ସିନାକେଥେଲ ଗାଁ ଆଖପାଖ ଅଞ୍ଚଳରେ ହଠାତ୍ ମିଳିତ ତଲାସି ଅଭିଯାନ ଚଳାଇଛି। ସୁରକ୍ଷାକର୍ମୀମାନେ ଦୁଇ ସମ୍ପ୍ରଦାୟ ଦ୍ୱାରା ବସବାସ କରାଯାଉଥିବା ଗାଁ ଗୁଡ଼ିକରେ ମିଳିତ ପାଟ୍ରୋଲିଂ କରାଯାଉଛି। ସେହି ସମୟରେ ଅନେକ ବେଆଇନ ବଙ୍କର ଠାବ କରି ସେ ଗୁଡ଼ିକୁ ନଷ୍ଟ କରିଦେଇଛି।

ଅଧିକାରୀ କହିଛନ୍ତି, ଗ୍ରାମ ଅଧିକାରୀ ଓ ନାଗରିକ ସମାଜ ସଂଗଠନଙ୍କ ସହ ଆବଶ୍ୟକ ସହଯୋଗ ପାଇଁ ଯୋଗାଯୋଗ କରାଯାଇଛି। ସେମାନଙ୍କୁ ଆଶ୍ୱାସନା ଦିଆଯାଇଛି ଯେ କୌଣସି ବିପଦର ମୁକାବିଲା ପାଇଁ ଅଞ୍ଚଳରେ ସୁରକ୍ଷା ବଳଙ୍କ ନିରନ୍ତର ଉପସ୍ଥିତି ଜାରି ରହିବ। ଅନ୍ୟ ଅଞ୍ଚଳରେ ଘଟିଥିବା ଘଟଣାଗୁଡ଼ିକ ଦ୍ୱାରା ପ୍ରଭାବିତ ନ ହେବା ପାଇଁ ସ୍ଥାନୀୟ ଯୁବକଙ୍କୁ ପରାମର୍ଶ ଦିଆଯାଇଛି।
ପୋଲିସ ଅଧିକାରୀ କହିଛନ୍ତି, ସ୍ଥାନୀୟ ଲୋକଙ୍କ ସୁରକ୍ଷା ଓ କଲ୍ୟାଣ ସୁନିଶ୍ଚିତ କରିବା, ରାଜପଥ ଗୁଡ଼ିକର ସୁରକ୍ଷା ବଜାୟ ରଖିବା ଓ ୨୦ ଜଣ ବନ୍ଧକ (୬ ନାଗା ଓ ୧୪ କୁକି) ଲୋକଙ୍କୁ ଉଦ୍ଧାର କରିବା ପାଇଁ କାଙ୍ଗପୋକପି, ସେନାପତି ଓ ଆଖପାଖ ଜିଲ୍ଲାଗୁଡ଼ିକରେ ତଲାସୀ ଅଭିଯାନ ଜାରି ରହିଛି।

ଅଧିକାରୀଙ୍କ ଅନୁଯାୟୀ, ୧୩ ମେ’ରେ ହୋଇଥିବା ହିଂସାତ୍ମକ ଘଟଣା ପରେ କୁକି-ଜୋ ବହୁଳ କାଙ୍ଗପୋକପି ଜିଲ୍ଲା ଏବଂ ନାଗା ବହୁଳ ସେନାପତି ଜିଲ୍ଲାରେ ବିଭିନ୍ନ ସଶସ୍ତ୍ର ଗୋଷ୍ଠୀ ଦ୍ୱାରା କୁକି ଓ ନାଗା ସମ୍ପ୍ରଦାୟର ଅତି କମରେ ୫୦ ଜଣ ଲୋକଙ୍କୁ ବନ୍ଧକ କରି ନେଇଥିବା ଅଭିଯୋଗ ହୋଇଥିଲା। ଅଧିକାରୀ, ସାମୁଦାୟିକ ନେତା ଓ ଅନେକ ନାଗରିକ ସମାଜ ସଂଗଠନଙ୍କ ନିରନ୍ତର ପ୍ରୟାସ ପରେ ଦୁଇ ସମ୍ପ୍ରଦାୟର ପ୍ରାୟ ୩୦ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି।

ନାଗା ଗ୍ରାମବାସୀଙ୍କ ହତ୍ୟା ତଦନ୍ତ ଏନ୍‌ଆଇଏକୁ ହସ୍ତାନ୍ତର

ମଣିପୁରର ମୁଖ୍ୟମନ୍ତ୍ରୀ ୟୁମନାମ ଖେମଚନ୍ଦ ସିଂହ କହିଛନ୍ତି, କାଙ୍ଗପୋକପି ଜିଲ୍ଲାରେ ୧୩ ମେ’ରେ ଛଅ ଜଣ ନାଗା ଗ୍ରାମବାସୀଙ୍କ ଅପହରଣ ଓ ତିନି ଜଣ ଚର୍ଚ୍ଚ ନେତାଙ୍କ ହତ୍ୟା ସହ ଜଡ଼ିତ ମାମଲା ଗୁଡ଼ିକର ତଦନ୍ତ ଏବେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)କୁ ଦିଆଯାଇଛି। ଏହା ବ୍ୟତୀତ, ଥୌବାଲ ଜିଲ୍ଲାର ବୈଥୌ ସଂଗୋମସାଂ ଅଞ୍ଚଳରୁ ସୁରକ୍ଷା ବଳ ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) ଓ ତା’ର ରାଜନୈତିକ ଶାଖା ରିଭୋଲ୍ୟୁଶନାରୀ ପିପୁଲ୍ସ ଫ୍ରଣ୍ଟ (ଆରପିଏଫ)ର ଦୁଇ ସକ୍ରିୟ ସଦସ୍ୟଙ୍କୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ସନସମ ସନମାଟୁମ ମେଇତେଇ ଓରଫ ଟମପୋକ ଓରଫ ଓନେମ୍ୟାନ (୩୨) ଓ ୟେଙ୍ଗକୋକପାମ ପ୍ରେମଚନ୍ଦ ସିଂହ ଓରଫ ଚିଂସାଂଲାକପା (୨୬)।

ଆଉ ଏକ ଅଭିଯାନରେ ତେଙ୍ଗନୁପାଲ ଜିଲ୍ଲାର ଭାରତ-ମିଆଁମାର ସୀମା ଅଞ୍ଚଳରୁ ସୁରକ୍ଷା ବଳ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ କରିଛନ୍ତି। ଜବତ ସାମଗ୍ରୀରେ ଗୋଟିଏ ଦେଶୀ ବନ୍ଧୁକ, ୯ ମିମି ପିସ୍ତଲ, .୨୨ ଆମେରିକୀୟ ପିସ୍ତଲ, ଚାରିଟି ରେଡିଓ ସେଟ୍ ଓ ଚାରିଟି ଆଇଡି ସାମିଲ ଅଛି।