ସାଧାରଣ ମୁଣ୍ଡବିନ୍ଧା ଓ କ୍ଲାନ୍ତିକୁ ଭାବୁଛନ୍ତି କି ଷ୍ଟ୍ରେସ୍, ହୋଇପାରେ ବ୍ରେନ୍ କ୍ୟାନ୍ସରର ପ୍ରାରମ୍ଭିକ ଲକ୍ଷଣ

ବାରମ୍ବାର ମୁଣ୍ଡବିନ୍ଧା ଓ ଥକ୍କା ଲାଗୁଛି କି? ଏହା ବ୍ରେନ୍ କ୍ୟାନ୍ସରର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ

ଓଡ଼ିଶା ଭାସ୍କର ଡେସ୍କ: ବ୍ରେନ୍ କ୍ୟାନ୍ସର ଏକ ଗୁରୁତର ଏବଂ ଜୀବନପ୍ରତି ବିପଦ ସୃଷ୍ଟି କରୁଥିବା ରୋଗ। ଯଦି ଏହାର ଲକ୍ଷଣ ବିଷୟରେ କହିବା, ତେବେ ମୁଣ୍ଡବିନ୍ଧା, କ୍ଲାନ୍ତି ଅନୁଭବ ହେବା ଏବଂ କୌଣସି କାମରେ ମନୋନିବେଶ କରିବାରେ ଅସୁବିଧା ହେବା ଭଳି ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ଆଉ ଏହିଠାରେ ହିଁ ଲୋକମାନେ ଭୁଲ୍ କରିବସନ୍ତି।

ଡାକ୍ତରଙ୍କ କହିବା ଅନୁସାରେ, ଅଧିକାଂଶ ଲୋକ ଏହାକୁ ମାନସିକ ଚାପ କିମ୍ବା କାମର ଚାପର ପ୍ରଭାବ ବୋଲି ଭାବିନିଅନ୍ତି। କାରଣ ଷ୍ଟ୍ରେସ୍ ଯୋଗୁଁ ମଧ୍ୟ ମୁଣ୍ଡବିନ୍ଧା ଏବଂ କ୍ଲାନ୍ତି ଭଳି ସମସ୍ୟା ଦେଖାଦେଇଥାଏ। କିନ୍ତୁ ଅନେକ ସମୟରେ ଏହି ଲକ୍ଷଣଗୁଡ଼ିକ ବ୍ରେନ୍ କ୍ୟାନ୍ସର ଭଳି ଗୁରୁତର ରୋଗର ପ୍ରାରମ୍ଭିକ ସଙ୍କେତ ହୋଇପାରେ। ତେଣୁ ଯଦି ଏହି ସମସ୍ୟାଗୁଡ଼ିକ କ୍ରମାଗତ ଭାବେ ବୃଦ୍ଧି ପାଏ କିମ୍ବା ଲାଗିରହେ, ତେବେ ଏହାକୁ ଆଦୌ ହାଲୁକା ଭାବେ ନେବା ଉଚିତ୍ ନୁହେଁ।

ବ୍ରେନ୍ କ୍ୟାନ୍ସରର ପ୍ରାରମ୍ଭିକ ଲକ୍ଷଣ କ’ଣ: ବ୍ରେନ୍ କ୍ୟାନ୍ସରର ପ୍ରାରମ୍ଭିକ ଲକ୍ଷଣଗୁଡ଼ିକ ମଧ୍ୟରେ, ସକାଳ ସମୟରେ କ୍ରମାଗତ ଭାବେ ମୁଣ୍ଡବିନ୍ଧା ହେବା, ବାରମ୍ବାର ବାନ୍ତି ହେବା, ଝାପ୍ସା ଦେଖାଯିବା, ଶରୀରର କୌଣସି ଅଂଶରେ ଦୁର୍ବଳତା କିମ୍ବା ନିଶ୍ଚଳତା ଅନୁଭବ ହେବା, ଶରୀରର ସନ୍ତୁଳନ ବିଗିଡ଼ିଯିବା ଏବଂ ଚାଲିବାରେ କଷ୍ଟ ହେବା ।

Uttarakhand Govt.

ଏହାଛଡ଼ା କିଛି ଲୋକଙ୍କ କ୍ଷେତ୍ରରେ ସ୍ମରଣଶକ୍ତି ଦୁର୍ବଳ ହେବା, କଥାବାର୍ତ୍ତା କରିବାରେ ଅସୁବିଧା ହେବା ଏବଂ ବାତ ମାରିବା ଭଳି ଲକ୍ଷଣ ମଧ୍ୟ ଦେଖାଯାଇପାରେ।

କେତେବେଳେ ଯିବେ ଡାକ୍ତରଙ୍କ ପାଖକୁ: ଏହି ସମସ୍ତ ଲକ୍ଷଣ ଷ୍ଟ୍ରେସ୍, ମାଇଗ୍ରେନ୍ ଏବଂ ଅନେକ ସମୟରେ ନିଦ୍ରାହୀନତା ଯୋଗୁଁ ହେଉଥିବା ସମସ୍ୟା ସହ ମିଶିଯାଏ। ଏହି କାରଣରୁ ଲୋକମାନେ ଏହାକୁ ସେତେଟା ଗୁରୁତର ଭାବେ ନିଅନ୍ତି ନାହିଁ ଏବଂ ଡାକ୍ତରଙ୍କ ପାଖକୁ ଯିବାରେ ବିଳମ୍ବ କରନ୍ତି।

କିନ୍ତୁ ଧ୍ୟାନ ରଖିବାର କଥା ହେଉଛି, ଯଦି ଏହି ସମସ୍ୟା ବାରମ୍ବାର ହୁଏ ଅର୍ଥାତ୍ ମୁଣ୍ଡବିନ୍ଧା ବାରମ୍ବାର ହୁଏ ଏବଂ ସାଧାରଣ ପେନ୍-କିଲର୍ ଔଷଧ ଦ୍ୱାରା ଭଲ ନହୁଏ, ସମୟ ସହ ବୃଦ୍ଧି ପାଏ ଏବଂ ତା’ ସହିତ ବାନ୍ତି କିମ୍ବା ଝାପ୍ସା ଦେଖାଯିବା ଭଳି ଲକ୍ଷଣ ନଜର ଆସେ, ତେବେ ତୁରନ୍ତ ନ୍ୟୁରୋଲୋଜିଷ୍ଟଙ୍କ ପରାମର୍ଶ ନେବା ଉଚିତ୍।

ତେବେ ଡାକ୍ତର ଏହା ମଧ୍ୟ କୁହନ୍ତି ଯେ, ପ୍ରତ୍ୟେକ ମୁଣ୍ଡବିନ୍ଧା କିମ୍ବା କ୍ଲାନ୍ତି ବ୍ରେନ୍ କ୍ୟାନ୍ସରର ସଙ୍କେତ ନୁହେଁ। ଅଧିକାଂଶ କ୍ଷେତ୍ରରେ ଏଗୁଡ଼ିକ ସାଧାରଣ ହୋଇଥାଏ, ତଥାପି କ୍ରମାଗତ ଭାବେ ଲାଗିରହୁଥିବା ଅସାଧାରଣ ଲକ୍ଷଣକୁ ଅବହେଳା କରିବା ଉଚିତ୍ ନୁହେଁ। ସମୟ ସିରୋ ଚିକିତ୍ସା ଦ୍ୱାରା ଅନେକ ଜୀବନ ବଞ୍ଚାଯାଇପାରିଛି। ତେଣୁ କୌଣସି ବି ଅସାଧାରଣ ପରିବର୍ତ୍ତନକୁ ନଜରଅନ୍ଦାଜ କରିବା ପରିବର୍ତ୍ତେ ଡାକ୍ତରଙ୍କ ପରାମର୍ଶ ନେବା ଶ୍ରେୟସ୍କର।