Petrol Price in US : ଆମେରିକା ଏବଂ ଇରାନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧର ପ୍ରଭାବ ସାରା ବିଶ୍ୱରେ ଦେଖିବାକୁ ମିଳୁଛି। ନିଜେ ଆମେରିକା ମଧ୍ୟ ଏହାର ପ୍ରଭାବରୁ ବର୍ତ୍ତି ପାରିନାହିଁ। ମେ ୨୦୨୬ର ଏକ ସଦ୍ୟତମ ତଥ୍ୟ ଅନୁଯାୟୀ, ଆମେରିକାରେ ପେଟ୍ରୋଲ ଦରରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘଟିଛି।
ଆମେରିକାନ ଅଟୋମୋବାଇଲ ଆସୋସିଏସନ ଅନୁଯାୟୀ, ଆମେରିକାରେ ସାଧାରଣ ଗ୍ୟାସୋଲିନର ହାରାହାରି ମୂଲ୍ୟ ଗ୍ୟାଲନ ପିଛା ୪.୪୮ ଡଲାରରୁ ୪.୫୧ ଡଲାର ମଧ୍ୟରେ ପହଞ୍ଚିଛି। ଗତ ମାତ୍ର ଏକ ସପ୍ତାହ ମଧ୍ୟରେ ମୂଲ୍ୟରେ ଗ୍ୟାଲନ ପିଛା ୩୧ ସେଣ୍ଟ ବୃଦ୍ଧି ପାଇଛି। ଫେବୃଆରୀ ୨୦୨୬ ଶେଷ ସପ୍ତାହରେ ଇରାନରେ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଏହି ମୂଲ୍ୟ ପ୍ରାୟ ୨.୯୬ ଡଲାର ଥିଲା, ଯାହା ଏବେ ୫୩ ପ୍ରତିଶତରୁ ଅଧିକ ବଢ଼ି ସାରିଛି।
ସବୁଠାରୁ ମହଙ୍ଗା କେଉଁଠି?
କାଲିଫର୍ଣ୍ଣିଆରେ ପେଟ୍ରୋଲର ହାରାହାରି ମୂଲ୍ୟ ଗ୍ୟାଲନ ପିଛା ୬.୧୭ ଡଲାରରେ ପହଞ୍ଚିଛି। ସେହିପରି ୱାଶିଂଟନ ଏବଂ ହାୱାଇରେ ମୂଲ୍ୟ ଯଥାକ୍ରମେ ୫.୭୬ ଡଲାର ଏବଂ ୫.୬୬ ଡଲାର ରହିଛି।
ସବୁଠାରୁ ଶସ୍ତା କେଉଁଠି?
ଓକ୍ଲାହୋମା, କାନସାସ୍ ଏବଂ ଜର୍ଜିଆ ଭଳି ରାଜ୍ୟଗୁଡ଼ିକରେ ମୂଲ୍ୟ ତୁଳନାତ୍ମକ ଭାବେ କମ୍ ରହିଛି। ଏଠାରେ ଦର ଗ୍ୟାଲନ ପିଛା ୩.୭୦ ଡଲାରରୁ ୩.୮୯ ଡଲାର ମଧ୍ୟରେ ରହିଛି।
ଆମେରିକାରେ କାହିଁକି ଆକାଶଛୁଆଁ ହେଉଛି ପେଟ୍ରୋଲ ଦର? ଫେବୃଆରୀ ୨୮ରୁ ଇରାନରେ ଯୁଦ୍ଧ ଆରମ୍ଭ ହେବା ପରେ ବିଶ୍ୱ ତୈଳ ବଜାରରେ ଏକ ପ୍ରକାର ଅସ୍ଥିରତା ଦେଖାଦେଇଛି। ଇରାନ ଦ୍ୱାରା ହୋର୍ମୁଜ ପ୍ରଣାଳୀ (Strait of Hormuz) ଅବରୋଧ କରାଯିବା ଫଳରେ ବିଶ୍ୱର ୨୦ ପ୍ରତିଶତ ତୈଳ ଯୋଗାଣ ପ୍ରଭାବିତ ହୋଇଛି। ଏହାଦ୍ୱାରା ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ (Crude Oil) ମୂଲ୍ୟ ବ୍ୟାରେଲ ପିଛା ୧୦୦-୧୧୨ ଡଲାର ମଧ୍ୟରେ ପହଞ୍ଚିଛି।
ଯେହେତୁ ପେଟ୍ରୋଲ ମୂଲ୍ୟର ପ୍ରାୟ ୫୧ ପ୍ରତିଶତ ଅଂଶ ଅଶୋଧିତ ତୈଳର ଖର୍ଚ୍ଚରୁ ହିଁ ନିର୍ଦ୍ଧାରିତ ହୋଇଥାଏ, ତେଣୁ ପମ୍ପ ଷ୍ଟେସନଗୁଡ଼ିକରେ ଦର ବଢ଼ିବାରେ ଲାଗିଛି।
ଏହାର ପ୍ରଭାବରେ ଆମେରିକାରେ ସ୍ୱଳ୍ପ ଆୟକାରୀ ପରିବାରଗୁଡ଼ିକର ବଜେଟ୍ ବିଗିଡ଼ିବାରେ ଲାଗିଛି। ଏକ ରିପୋର୍ଟ ଅନୁଯାୟୀ, ଅନେକ ପରିବାର ନିଜ ଆୟର ପ୍ରାୟ ୧୦ ପ୍ରତିଶତ କେବଳ ଇନ୍ଧନ ବାବଦରେ ଖର୍ଚ୍ଚ କରୁଛନ୍ତି। ପରିସ୍ଥିତି ଏପରି ହୋଇଛି ଯେ, ଆମେରିକାର ପ୍ରାୟ ୪୪ ପ୍ରତିଶତ ଲୋକ ଗାଡ଼ି ଚଲାଇବା କମାଇ ଦେଇଛନ୍ତି।

