fbpx

ସୁପ୍ରିମ କୋର୍ଟରେ ପହଞ୍ଚିଲା ନୂଆ ସଂସଦ ଭବନ ମାମଲା, ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନ ବିରୋଧରେ ଯାଚିକା ଦାୟର କଲେ ବ୍ୟକ୍ତି

ନୂଆଦିଲ୍ଲୀ:ଆଗାମୀ ୨୮ ତାରିଖରେ ହେବାକୁ ଥିବା ସଂସଦ ଭବନ ଉଦଘାଟନ ମାମଲା ଏବେ ସୁପ୍ରିମ କୋର୍ଟରେ ପହଞ୍ôଚ ଯାଇଛି । ଜଣେ ବ୍ୟକ୍ତି ସର୍ବୋଚ୍ଚ ନ୍ୟାୟାଳୟରେ ପିଆଇଏଲ୍ ଦାୟର କରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ସଂସଦ ଭବନ ଉଦଘାଟନକୁ ବିରୋଧ କରିଛନ୍ତି । ଅନ୍ୟ ପକ୍ଷରେ ନୂତନ ସଂସଦ ଭବନର ଉଦଘାଟନ ରାଷ୍ଟ୍ରପତିଙ୍କ ହାତରେ କରାଇବାକୁ ସେ ଏହି ପିଆଇଏଲ୍ରେ ଉଲ୍ଲେଖ କରିଛନ୍ତି । ଏଥିରେ କୁହାଯାଇଛି ଯେ, ରାଷ୍ଟ୍ରପତି ସଂସଦର ଏକ ଅନିବାର୍ଯ୍ୟ ଅଂଶ । ତେଣୁ ଲୋକସଭା ସଚିବାଳୟ ତାଙ୍କ ଦ୍ୱାରା ଉଦଘାଟନ ନ କରାଇବାର ଯେଉଁ ନିଷ୍ପତ୍ତିି ନିଆଯାଇଛି, ତାହା ଭୁଲ୍ ଅଟେ । ପିଟିସନ ଦାୟର କରିଥିବା ଏହି ବ୍ୟକ୍ତିଙ୍କ ନାମ ହେଉଛି ସି ଆର୍ ଜୟାସୁକିନ୍ । ଜୟାସୁକିନ୍ ଲଗାତର ବିଭିନ୍ନ ଜନହିତ ଯାଚିକା ଦାଖଲ କରି ଆସୁଛନ୍ତି ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, ନୂଆ ସଂସଦ ଭବନ ଉଦଘାଟନକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ୧୯ ଟି ବିରୋଧି ଦଳ ନୂଆ ସଂସଦ ଭବନ ଉଦଘାଟନକୁ ବିରୋଧ କରିବେ ବୋଲି କହିଛନ୍ତି । କଂଗ୍ରେସ, ଆପ୍, ଶିବସେନା, ଟିଏମସି, ଜେଡିୟୁ ସମେତ ୧୯ଟି ବିରୋଧୀ ଦଳ ସଂସଦ ଭବନ ଉଦଘାଟନରେ ଯୋଗ ଦେବେନି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ସଂସଦ ଭବନ ଉଦଘାଟନୀ କାର୍ଯ୍ୟକ୍ରମରେ ସେମାନେ ଯୋଗ ଦେବେ ନାହିଁ ବୋଲି କହିଛନ୍ତି । ତେବେ ଏହି କାର୍ଯ୍ୟକ୍ରମରେ ଶିରୋମଣି ଅକାଳୀ ଦଳ, ତେଲଗୁ ଦେଶମ ପାର୍ଟି, ବିଜୁ ଜନତା ଦଳ ଯୋଗ ଦେବ ବୋଲି ଘୋଷଣା କରିଛି ।

ବିରୋଧୀ ଦଳମାନେ କହିଛନ୍ତି, ରାଷ୍ଟ୍ରପତି କେବଳ ରାଷ୍ଟ୍ରର ମୁଖ୍ୟ ନୁହନ୍ତି। ବରଂ ସେ ମଧ୍ୟ ସଂସଦର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ। ଏହା ସତ୍ତ୍ବେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କ ବିନା ନୂଆ ସଂସଦ ଭବନ ଉଦ୍‌ଘାଟନ କରିବାକୁ ନିଷ୍ପତ୍ତି ନେଲେ। ଏଭଳି କାର୍ୟ୍ୟ ରାଷ୍ଟ୍ରପତିଙ୍କୁ ଏକ ଅପମାନ। ଏହା ସମ୍ବିଧାନର ମୂଳମନ୍ତ୍ରକୁ ଉଲ୍ଲଂଘନ କରିଛି ବୋଲି ବି‌‌ରୋଧୀ ଦଳମାନେ କହିଛନ୍ତି।

Get real time updates directly on you device, subscribe now.