‘ପିନାକା ଲଙ୍ଗ ରେଞ୍ଜ’ ରକେଟର ସଫଳ ପରୀକ୍ଷଣ

ପିନାକାର ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆରଡିଓ, ଭାରତୀୟ ସେନା ଏବଂ ଶିଳ୍ପ ଭାଗିଦାରମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ନୂଆଦିଲ୍ଲୀ: ଭାରତ ନିଜ ସ୍ୱଦେଶୀ ପ୍ରତିରକ୍ଷା କ୍ଷମତାକୁ ଆଉ ଏକ ପାଦ ଆଗକୁ ବଢ଼ାଇଛି। ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ (ଡିଆର୍‌ଡିଓ) ବୁଧବାର ଓଡ଼ିଶାର ଚାନ୍ଦିପୁର ସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ୍ ରେଞ୍ଜ (ITR)ରେ ‘ପିନାକା ଲଙ୍ଗ ରେଞ୍ଜ ଗାଇଡେଡ ରକେଟ’ (LGR)ର ସଫଳ ଉଡ଼ାଣ ପରୀକ୍ଷଣ କରିଛି।

ଏହି ଅତ୍ୟାଧୁନିକ ରକେଟ ସିଷ୍ଟମର ବ୍ୟବହାରୀକ ପରୀକ୍ଷଣ ସର୍ବନିମ୍ନ ୬୦ କିଲୋମିଟର ଦୂରତା ପାଇଁ କରାଯାଇଛି। ଯାହା ଦୂରଗାମୀ ଗାଇଡେଡ ରକେଟ ପ୍ରଯୁକ୍ତି ବିକାଶ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ‘ପିନାକା LGR’କୁ ହାଇ ଏନର୍ଜି ମ୍ୟାଟେରିଆଲ୍ସ ରିସର୍ଚ୍ଚ ଲାବୋରେଟୋରୀ (HEMRL) ସହଯୋଗରେ ଆର୍ମାମେଣ୍ଟ ରିସର୍ଚ୍ଚ ଆଣ୍ଡ ଡେଭେଲପମେଣ୍ଟ ଏଷ୍ଟାବ୍ଲିସମେଣ୍ଟ (ARDE) ଡିଜାଇନ କରିଛି। ଏହି ପ୍ରକଳ୍ପରେ ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭେଲପମେଣ୍ଟ ଲାବୋରେଟୋରୀ (DRDL) ଏବଂ ରିସର୍ଚ୍ଚ ସେଣ୍ଟର ଇମାରତ (RCI) ମଧ୍ୟ ସହଯୋଗ କରିଛନ୍ତି।

ପରୀକ୍ଷଣ ସମୟରେ ରକେଟକୁ ପିନାକା ଲଞ୍ଚରୁ ଉତକ୍ଷେପଣ କରାଯାଇଥିଲା। ଏହା ସିଷ୍ଟମର ବହୁମୁଖୀ ବ୍ୟବହାର ଏବଂ ଗୋଟିଏ ଲଞ୍ଚର ପ୍ଲାଟଫର୍ମରୁ ବିଭିନ୍ନ ଦୂରତା ବିଶିଷ୍ଟ ପିନାକା ରକେଟର ଭିନ୍ନ ସଂସ୍କରଣ ପରିଚାଳନା କରିବାର କ୍ଷମତାକୁ ପ୍ରମାଣିତ କରିଛି। ଏହି ପରୀକ୍ଷଣ ଭାରତୀୟ ପ୍ରତିରକ୍ଷା ବାହିନୀ ପାଇଁ ଏକ ବହୁମୁଖୀ ଦୂରଗାମୀ ରକେଟ ପ୍ଲାଟଫର୍ମ ଭାବରେ ପିନାକା ସିଷ୍ଟମର ସାମର୍ଥ୍ୟକୁ ମଧ୍ୟ ସୁଦୃଢ଼ କରିଛି।

ପିନାକାର ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆରଡିଓ, ଭାରତୀୟ ସେନା ଏବଂ ଶିଳ୍ପ ଭାଗିଦାରମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପିନାକା LGRର ସଫଳ ପରୀକ୍ଷଣ ଦେଶ ମଧ୍ୟରେ ଅତ୍ୟାଧୁନିକ ପ୍ରତିରକ୍ଷା ସିଷ୍ଟମ ବିକାଶ କରିବା ଦିଗରେ ଭାରତର ଯାତ୍ରାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ଯୋଡିଛି।