fbpx

ସରିଲା ପିିପିଲି ଉପନିର୍ବାଚନ ପ୍ରଚାର, ୩୦ରେ ଭେଟ୍‌ : ଏକ୍‌ଜିଟ୍‌ ପୋଲ୍‌ ଉପରେ ଜାରି ହେଲା ନିଷେଧାଦେଶ

ପିପିଲି/ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌): ପିପିଲି ଉପନିର୍ବାଚନ ପାଇଁ ସୋମବାର ସନ୍ଧ୍ୟାରେ ସରିଛି ପ୍ରଚାର ଅଭିଯାନ । ପ୍ରତିଶ୍ରୁତି ଓ ପ୍ରଚାରର ପର୍ବ ସରିବା ପରେ ଏବେ ଚଳିତ ମାସ ୩୦ ତାରିଖରେ ହେବାକୁ ଥିବା ମତଦାନ ଉପରେ ସମସ୍ତଙ୍କ ନଜର । ଅନ୍ୟପଟେ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚନ ପରିପ୍ରେକ୍ଷୀରେ ଏକ୍‌ଜିଟ୍‌ ପୋଲ୍‌କୁ ନିଷିଦ୍ଧ କରାଯାଇଛି । କୌଣସି ସମ୍ବାଦପତ୍ର, ଗଣମାଧ୍ୟମ, ନ୍ୟୁଜ୍‌ ବ୍ୟୁରୋ, ରେଡିଓ ଓ ଟିଭି ଚ୍ୟାନେଲ୍‌ ଭୋଟ ଫଳାଫଳର ପୂର୍ବାନୁମାନ (ଏକ୍‌ଜିଟ୍‌ ପୋଲ୍‌) ପ୍ରକାଶ ଓ ପ୍ରସାର କରିପାରିବେ ନାହିଁ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।

ଭାରତର ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ଓଡ଼ିଶା ଗେଜେଟ୍‌ରେ ଏହି ନିଷେଧାଦେଶ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଅନ୍ୟପଟେ ସୋମବାର ପ୍ରଚାରରେ ଜି ଜାନ୍‌ ଲଗାଇ ଦେଇଛନ୍ତି ତିନି ପ୍ରମୁଖ ଦଳର ପ୍ରାର୍ଥୀ । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ପିପିଲିରେ ତାଙ୍କର ପ୍ରଚାର କରିଛନ୍ତି । ପିପିଲି ୨୪ ନମ୍ବର ଜୋନର ରଥ ପୁରୁଷୋତ୍ତମପୁର, ସରସ୍ୱତୀପୁର ଓ ତେଇଶି ପୁର ପଞ୍ଚାୟତରେ ନିଜ କର୍ମୀ ଏବଂ ସମର୍ଥକଙ୍କୁ ଧରି ଲୋକଙ୍କୁ ଭୋଟ୍‌ ପାଇଁ ନିବେଦନ କରିଥିଲେ । ସେହିପରି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ମଧ୍ୟ ପିପିଲି ଏନଏସିର ବିଭିନ୍ନ ୱାର୍ଡ ବୁଲି ପ୍ରଚାର ଚଲାଇଥିଲେ । କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ମଧ୍ୟ ଜୋରସୋରରେ ପ୍ରଚାର ଚଳାଇଥିଲେ ।

Get real time updates directly on you device, subscribe now.