ଭାରତୀୟଙ୍କ ସୁନା ପ୍ରେମରେ ଲାଗିଲା ବ୍ରେକ୍? ଆମଦାନୀ ତଥ୍ୟ ଦେଲା ବଡ଼ ସଙ୍କେ
ଆବଶ୍ୟକତା ନଥିବା ସୁନା ନକିଣିବା ପାଇଁ ଦୁଇ ଥର ଅପିଲ୍ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ। ପ୍ରଥମେ ମେ’ ୧୦ ତାରିଖରେ ସେ ଲୋକଙ୍କୁ ପ୍ରାୟ ଏକ ବର୍ଷ ପର୍ଯ୍ୟନ୍ତ ସୁନା କିଣିବାଠାରୁ ଦୂରେଇ ରହିବାକୁ କହିଥିଲେ
ଭୁବନେଶ୍ୱର: ସରକାରଙ୍କ ସବୁ ଚାଲ ଫେଲ ମାରିଲା। ସରକାର ଭାବିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅପିଲ୍ ପରେ ଲୋକେ ସୁନା କିଣିବା ବନ୍ଦ କରିଦେବେ। ଆଉ ଘରେ ଲୁଚାଇ ରଖିଥିବା ସୁନା ବ୍ୟବହାର କରିବେ। ଆଉ ସେହି ସୁନା ଉପରେ ସରକାର ନଜର ରଖିବେ। ହେଲେ ବୋଧହୁଏ ସରକାରଙ୍କ ଏହି ଚାଲ ଫେଲ୍ ମାରିଲା। ପ୍ରଧାନମନ୍ତ୍ରୀ ଅପିଲ ପରେ ଲୋକେ ସୁନା କିଣିବା କମାଇ ଦେଲେ। କିନ୍ତୁ ଘରେ ଲୁଚାଇ ରଖିଥିବା ପ୍ରାୟ ୩୧ ହଜାର ଟନ୍ ସୁନା ବାହାର କଲେନାହିଁ।
ଆବଶ୍ୟକତା ନଥିବା ସୁନା ନକିଣିବା ପାଇଁ ଦୁଇ ଥର ଅପିଲ୍ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ। ପ୍ରଥମେ ମେ’ ୧୦ ତାରିଖରେ ସେ ଲୋକଙ୍କୁ ପ୍ରାୟ ଏକ ବର୍ଷ ପର୍ଯ୍ୟନ୍ତ ସୁନା କିଣିବାଠାରୁ ଦୂରେଇ ରହିବାକୁ କହିଥିଲେ। ପରେ ସେପ୍ଟେମ୍ବର ୧ ତାରିଖରେ ମଧ୍ୟ ଆବଶ୍ୟକତା ନଥିଲେ ସୁନା କିଣିବାକୁ ଏଡ଼ାଇବାକୁ ପରାମର୍ଶ ଦେଇଥିଲେ। ଯାହାର ପ୍ରଭାବ ବଜାରରେ ଦେଖିବାକୁ ମିଳିଥିଲା।
ମେ’ ପରଠାରୁ ଖସିଲା ସୁନା ଆମଦାନୀ: ତଥ୍ୟକୁ ଦେଖିଲେ ଲାଗୁଛି, ମେ’ ପରେ ଭାରତରେ ସୁନା ଆମଦାନୀରେ ଲଗାତାର ହ୍ରାସ ଦେଖାଯାଇଛି। ମେଟାଲ୍ସ ଫୋକ୍ସର ତଥ୍ୟ ଅନୁସାରେ, ମେ’ ମାସରେ ଭାରତ ପ୍ରାୟ ୨୯.୪ ଟନ୍ ସୁନା ଆମଦାନୀ କରିଥିଲା। ଗତବର୍ଷ ସମାନ ମାସରେ ଏହା ୩୦.୬ ଟନ୍ ଥିଲା। ଅର୍ଥାତ୍ ବର୍ଷକୁ ବର୍ଷ ଆମଦାନୀ ପ୍ରାୟ ୪ ପ୍ରତିଶତ କମିଛି। ଜୁନ୍ରେ ସୁନା ଆମଦାନୀ ପ୍ରାୟ ୨୦ ପ୍ରତିଶତ, ଜୁଲାଇରେ ୨୩.୭ ପ୍ରତିଶତ ଓ ଅଗଷ୍ଟରେ ପ୍ରାୟ ୩୦ ପ୍ରତିଶତ କମିଥିବା ତଥ୍ୟ ସାମ୍ନାକୁ ଆସିଛି। ତେବେ ଏହି ହ୍ରାସର ସମ୍ପୂର୍ଣ୍ଣ ଶ୍ରେୟ କେବଳ ପ୍ରଧାନମନ୍ତ୍ରୀଙ୍କ ଅପିଲକୁ ଦେବା ମଧ୍ୟ ଠିକ୍ ହେବ ନାହିଁ।
ମହଙ୍ଗା ସୁନା, ବଢ଼ିଥିବା ଡ୍ୟୁଟି ମଧ୍ୟ ଦାୟୀ: ସୁନା ଆମଦାନୀ କମିବା ପଛରେ ଆଉ କିଛି ବଡ଼ କାରଣ ରହିଛି। ମେ’ ମାସରେ ସରକାର ସୁନା ଓ ରୁପା ଉପରେ କଷ୍ଟମ୍ସ ଡ୍ୟୁଟି ୬ ପ୍ରତିଶତରୁ ବଢ଼ାଇ ୧୫ ପ୍ରତିଶତ କରିଥିଲେ। ଅର୍ଥାତ ବିଦେଶରୁ ସୁନା ଆଣିବା ଅଧିକ ମହଙ୍ଗା ହୋଇଗଲା। ତା’ସହ ସୁନା ଦର ମଧ୍ୟ ଉଚ୍ଚ ସ୍ତରରେ ରହିଥିଲା। ଯାହାଫଳରେ ସାଧାରଣ ପରିବାର ପାଇଁ ସୁନା କିଣିବା ଏବେ ପୂର୍ବାପେକ୍ଷା ଅଧିକ ଖର୍ଚ୍ଚର ବିଷୟ।
ଜାନୁଆରୀ-ଫେବୃଆରୀରେ ଥିଲା ଓଲଟା ଚିତ୍ର: ଜାନୁଆରୀରେ ଭାରତ ୯୯.୪ ଟନ୍ ସୁନା ଆମଦାନୀ କରିଥିଲା। ଗତବର୍ଷ ଜାନୁଆରୀରେ ଏହା ମାତ୍ର ୩୬.୬ ଟନ୍ ଥିଲା। ଅର୍ଥାତ୍ ବର୍ଷକୁ ବର୍ଷ ଆମଦାନୀରେ ପ୍ରାୟ ୧୭୧.୬ ପ୍ରତିଶତ ବୃଦ୍ଧି ହୋଇଥିଲା। ଫେବୃଆରୀରେ ମଧ୍ୟ ଆମଦାନୀ ୩୦.୮ ଟନ୍ରୁ ବଢ଼ି ୬୬ ଟନ୍ ହୋଇଥିଲା। ଅର୍ଥାତ୍ ପ୍ରାୟ ୧୧୪.୩ ପ୍ରତିଶତ ବୃଦ୍ଧି ହୋଇଥିଲା। ମାର୍ଚ୍ଚରେ ତଥ୍ୟ ବଦଳିଗଲା। ଆମଦାନୀ ୩୪.୯ ପ୍ରତିଶତ କମି ୩୨.୯ ଟନ୍ ହୋଇଥିଲା। ଏପ୍ରିଲରେ ପୁଣି ୩୦.୭ ପ୍ରତିଶତ ବଢ଼ି ୪୫.୬ ଟନ୍ରେ ପହଞ୍ଚିଥିଲା।
ଘରେ ଘରେ ପଡ଼ିଛି ହଜାର ହଜାର ଟନ୍ ସୁନା: ଭାରତ ବିଶ୍ୱରେ ସୁନାର ଦ୍ୱିତୀୟ ବୃହତ୍ତମ ଉପଭୋକ୍ତା। ଦେଶର ସୁନା ଆବଶ୍ୟକତାର ଏକ ବଡ଼ ଅଂଶ ଆମଦାନୀ ଜରିଆରେ ପୂରଣ ହୋଇଥାଏ। ତଥ୍ୟ ଅନୁସାରେ, ଭାରତୀୟ ପରିବାରଗୁଡ଼ିକ ପାଖରେ ପ୍ରାୟ ୩୧,୦୦୦ ଟନ୍ ସୁନା ରହିଛି। ତେଣୁ ସରକାରଙ୍କ ଚିନ୍ତା କେବଳ ନୂଆ ସୁନା କିଣିବାକୁ ନେଇ ନୁହେଁ। ଘରେ ରହିଥିବା ଏହି ବିଶାଳ ସୁନା ଭଣ୍ଡାରର କିଛି ଅଂଶ ଅର୍ଥନୀତିରେ ବ୍ୟବହାର ହେଉ, ସରକାରଙ୍କ ନଜର ଏହା ଉପରେ ମଧ୍ୟ ରହିଛି। ନୂଆ ସୁନା ଆମଦାନୀ କମିଲେ ଓ ଦେଶରେ ଥିବା ସୁନାର ଅଧିକ ବ୍ୟବହାର ହେଲେ, ବାଣିଜ୍ୟ ସନ୍ତୁଳନ ଏବଂ ଚାଲୁ ଖାତା ଉପରେ ଚାପ କମାଇବାରେ ଏହା ସହାୟକ ହୋଇପାରେ।
ସେପ୍ଟେମ୍ବର ତଥ୍ୟ ଉପରେ ସମସ୍ତଙ୍କ ନଜର: ଏବେ ସମସ୍ତଙ୍କ ନଜର ସେପ୍ଟେମ୍ବରର ସୁନା ଆମଦାନୀ ତଥ୍ୟ ଉପରେ। ଇଣ୍ଡିଆ ବୁଲିଅନ୍ ଆଣ୍ଡ ଜ୍ୱେଲର୍ସ ଆସୋସିଏସନ୍ର ଆକଳନ ଯଦି ସତ ହୁଏ ଏବଂ ଏହି ମାସରେ ସୁନା ଆମଦାନୀ ପ୍ରାୟ ୧୫ ପ୍ରତିଶତ କମେ, ତେବେ ଏହା ଭାରତୀୟ ଗ୍ରାହକଙ୍କ ବଦଳୁଥିବା ସୁନା କିଣା ଧାରାର ଏକ ବଡ଼ ସଙ୍କେତ ହୋଇପାରେ। ଘରର ଲକରରେ ଚମକୁଥିବା ସୁନା ଏବେ କେବଳ ପରିବାରର ସଞ୍ଚୟ ନୁହେଁ, ଏହା ଦେଶର ଅର୍ଥନୀତି ସହ ମଧ୍ୟ ଗଭୀର ଭାବେ ଜଡ଼ିତ।

