ନନ୍ଦନ ନିଳେକାଣୀ କିଏ, ଯାହାଙ୍କୁ ପରୀକ୍ଷା ବ୍ୟବସ୍ଥାର ସଂସ୍କାର ଦାୟିତ୍ୱ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ
ପରୀକ୍ଷା ପ୍ରଣାଳୀରେ ସୁଧାର ପାଇଁ ନନ୍ଦନ ନିଳେକାଣୀଙ୍କୁ ଦାୟିତ୍ୱ।
ଓଡିଶାଭାସ୍କର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର (୨୬ ଜୁଲାଇ, ୨୦୨୬) ସନ୍ଧ୍ୟାରେ ଦେଶର ଯୁବପିଢ଼ୀଙ୍କୁ ଉଦ୍ଦେଶ୍ୟ କରି ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ଭିଡିଓ ବାର୍ତ୍ତା ସେୟାର କରିଥିଲେ।
ଏହି ଭିଡିଓ ବାର୍ତ୍ତାରେ ପିଏମ୍ ମୋଦୀ ପେପର ଲିକ୍ ପ୍ରସଙ୍ଗକୁ ନେଇ ଗୁରୁତ୍ୱପୂର୍ଣ୍ଣ କଥା କହିଥିଲେ। ଏହା ସହ ଦେଶର ସାର୍ବଜନୀନ ପରୀକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ସୁରକ୍ଷିତ, ସ୍ୱଚ୍ଛ ଏବଂ ଲିକ୍-ପ୍ରୁଫ୍ କରିବା ପାଇଁ ଏକ ସ୍ୱତନ୍ତ୍ର ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ ଗଠନ କରାଯିବ ବୋଲି ସେ ଘୋଷଣା କରିଥିଲେ।
Uttarakhand Govt.
NEET-UG ଏବଂ UGC-NET ଭଳି ପରୀକ୍ଷାରେ ପେପର ଲିକ୍ ଓ ଅନିୟମିତତାର ଅଭିଯୋଗ ପରେ ଜାତୀୟ ପରୀକ୍ଷା ଏଜେନ୍ସି (NTA)ର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠିଥିଲା।
ଏଭଳି ପରିସ୍ଥିତିରେ ଏହି ଟାସ୍କ ଫୋର୍ସ ପ୍ରଯୁକ୍ତି-ଆଧାରିତ ସମାଧାନ ବାହାର କରିବ, ଯାହା ମାଧ୍ୟମରେ ପରୀକ୍ଷା ପ୍ରକ୍ରିୟାକୁ ଅଧିକ ନିରପେକ୍ଷ, ସୁରକ୍ଷିତ ଏବଂ ସ୍ୱଚ୍ଛ କରାଯିବ।
ନନ୍ଦନ ନିଳେକାଣୀ କିଏ:
ଦେଶର ଅଗ୍ରଣୀ ପ୍ରଯୁକ୍ତି ବିଶେଷଜ୍ଞମାନଙ୍କ ମଧ୍ୟରେ ଗଣାଯାଉଥିବା ନନ୍ଦନ ମୋହନରାଓ ନିଳେକାଣୀଙ୍କ ଜନ୍ମ ୨ ଜୁନ୍ ୧୯୫୫ରେ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ହୋଇଥିଲା।
ସେ ଆଇଆଇଟି ବମ୍ବେରୁ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ୧୯୭୮ ମସିହାରେ ସେ ମୁମ୍ବାଇସ୍ଥିତ ପାଟନି କମ୍ପ୍ୟୁଟର ସିଷ୍ଟମ୍ସରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ।
ପରବର୍ତ୍ତୀ ସମୟରେ ୧୯୮୧ରେ ସେ ଏନ୍. ଆର୍. ନାରାୟଣ ମୂର୍ତ୍ତି ଓ ଅନ୍ୟ ପାଞ୍ଚଜଣ ସହଯୋଗୀଙ୍କ ସହ ମିଶି ଇନଫୋସିସ୍ର ପ୍ରତିଷ୍ଠା କରିଥିଲେ।
ଇନଫୋସିସ୍ରେ ସେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାମ କରିଥିଲେ ଏବଂ ୨୦୦୨ ମସିହାରେ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ହୋଇଥିଲେ।
ଆଧାର ପ୍ରକଳ୍ପ ଓ UPI ବିକାଶରେ ରହିଛି ନନ୍ଦନ ନିଳେକାଣୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା:
କର୍ପୋରେଟ୍ ଜଗତ ବ୍ୟତୀତ, ସାର୍ବଜନୀନ ପ୍ରଶାସନ କ୍ଷେତ୍ରରେ ନନ୍ଦନ ନିଳେକାଣୀଙ୍କ ସବୁଠାରୁ ବଡ଼ ଅବଦାନ ଭାରତର ଆଧାର ପ୍ରକଳ୍ପ ବୋଲି ମନାଯାଏ।
୨୦୦୯ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଡ଼. ମନମୋହନ ସିଂହ ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ସହ ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଥିଲେ।
UIDAIର ଅଧ୍ୟକ୍ଷ ଭାବେ ସେ ଆଧାର ବ୍ୟବସ୍ଥାର ପରିକଳ୍ପନା, ବିକାଶ ଓ କାର୍ଯ୍ୟକାରିତାର ନେତୃତ୍ୱ ନେଇଥିଲେ। ଆଜି ଆଧାର ବିଶ୍ୱର ସବୁଠାରୁ ବଡ଼ ବାୟୋମେଟ୍ରିକ୍ ପରିଚୟ ବ୍ୟବସ୍ଥା ଭାବେ ପରିଚିତ ଏବଂ ଭାରତର ଡିଜିଟାଲ ଶାସନ ବ୍ୟବସ୍ଥାର ମେରୁଦଣ୍ଡରେ ପରିଣତ ହୋଇଛି।
ଏହାଛଡ଼ା, ନନ୍ଦନ ନିଳେକାଣୀ ଭାରତର ଡିଜିଟାଲ ପବ୍ଲିକ୍ ଇନଫ୍ରାଷ୍ଟ୍ରକ୍ଚରର ବିକାଶରେ ମଧ୍ୟ ଉଲ୍ଲେଖନୀୟ ଭୂମିକା ନିଭାଇଛନ୍ତି। ବିଶେଷକରି ଭାରତର ୟୁନିଫାଏଡ୍ ପେମେଣ୍ଟ୍ସ ଇଣ୍ଟରଫେସ୍ ର ବିକାଶ ଏବଂ ବିସ୍ତାର ଦିଗରେ ତାଙ୍କର ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ଆଜି UPI ଦେଶରେ ଡିଜିଟାଲ ଦେୟ-ଦେଣାର ସବୁଠାରୁ ବଡ଼ ମାଧ୍ୟମ ଭାବେ ପରିଚିତ। ଏହା କେବଳ ଭାରତର ଡିଜିଟାଲ ଅର୍ଥନୀତିକୁ ନୂଆ ଗତି ଦେଇନାହିଁ, ବରଂ ଦେଶର ଅନ୍ୟତମ ପ୍ରମୁଖ ପ୍ରଯୁକ୍ତିଗତ ସଫଳତା ଭାବେ ମଧ୍ୟ ବିବେଚିତ ହେଉଛି।

