fbpx

ଟାଇମ ମାଗାଜିନ୍ ପ୍ରଭାବଶାଳୀ ବ୍ୟକ୍ତିତ୍ୱରେ ମୋଦୀ, ମମତା ଓ ଆଦର ପୁନାୱାଲା; ତାଲିବାନ ପ୍ରତିଷ୍ଠାତାଙ୍କୁ ମଧ୍ୟ ମିଳିଲା ସ୍ଥାନ

ନୂଆଦିଲ୍ଲୀ: ଟାଇମ ମାଗାଜିନ ପକ୍ଷରୁ ୨୦୨୧ରେ ବିଶ୍ୱର ଶ୍ରେଷ୍ଠ ପ୍ରଭାବଶାଳୀ ବ୍ୟକ୍ତିତ୍ୱଙ୍କ ତାଲିକା ପ୍ରକାଶ ପାଇଛି । ଏହି ତାଲିକାର ଟପ୍-୧୦୦ରେ ତିନି ଜଣ ଭାରତୀୟ ସ୍ଥାନ ପାଇଛନ୍ତି । ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ସେରମ ଇନଷ୍ଟିଚ୍ୟୁଟ ସିଇଓ ଆଦର ପୁନାୱାଲା ଏହି ତାଲିକାରେ ସ୍ଥାନ ପାଇଛନ୍ତି । ସିଏନଏନ୍ ସାମ୍ବାଦିକ ଫରିଦ ଜାକାରିଆ ମୋଦୀଙ୍କ ପ୍ରୋଫାଇଲ ଲେଖିଛନ୍ତି । ବୁଧବାର ଟାଇମ ମାଗାଜିନ ପକ୍ଷରୁ ଏହି ତାଲିକା ପ୍ରକାଶ ପାଇଥିଲା । ୬ଟି ବର୍ଗରେ ଏହି ତାଲିକା ଘୋଷଣା କରାଯାଇଥିଲା । ଆଇକନ, ପାୟୋନିୟର, ଟାଇଟନ, ଆର୍ଟିଷ୍ଟ , ଲିଡର ଏବଂ ଇନୋଭେଟର ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଶର ତୃତୀୟ ପ୍ରଭାବଶାଳୀ ନେତା ଭାବରେ ଅଭିହିତ କରିଛନ୍ତି ଜାକାରିଆ । ସ୍ୱାଧୀନତା ପରବର୍ତ୍ତୀ ନେତାଙ୍କ ମଧ୍ୟରେ ଜୱାହାରଲାଲ ନେହେରୁ ଏବଂ ଇନ୍ଦିରା ଗାନ୍ଧୀଙ୍କ ପରେ ମୋଦୀଙ୍କୁ ତୃତୀୟ ସ୍ଥାନରେ ରଖିଛନ୍ତି ଜାକାରିଆ । ମମତାଙ୍କ ପ୍ରୋଫାଇଲରେ ତାଙ୍କୁ ଜଣେ ନିର୍ଭୟ ନେତ୍ରୀ ଭାବରେ ବିବେଚନା କରାଯାଇଛି । ମମତା ତୃଣମୂଳ କଂଗ୍ରେସର ନେତୃତ୍ୱ ନେଉ ନାହାନ୍ତି ବରଂ ସେ ହିଁ ନିଜେ ତୃଣମୂଳ କଂଗ୍ରେସ ବୋଲି ତାଙ୍କ ପ୍ରୋଫାଇଲରେ ଉଲ୍ଲେଖ କରାଯାଇଛି । ସେହିପରି ଆଦର ପୁନାୱାଲାଙ୍କ ପ୍ରୋଫାଇଲରେ ଟିକା ସମ୍ପର୍କରେ ଉଲ୍ଲେଖ କରାଯାଇଛି । କରୋନା ମହାମାରୀ ସହିତ ଆମର ଲଢେଇ ଜାରି ରହିଛି । ପୁନାୱାଲାଙ୍କ ଉଦ୍ୟମ ଫଳରେ ସମଗ୍ର ବିଶ୍ୱ କରୋନା ମୁକାବିଲାରେ ସକ୍ଷମ ହୋଇଛି ।
ଏହା ବ୍ୟତିତ ଆମେରିକୀୟ ରାଷ୍ଟ୍ରପତି ଜୋ ବିଡେନ, ଉପ ରାଷ୍ଟ୍ରପତି କମଲା ହାରିସ, ଚୀନ ରାଷ୍ଟ୍ରପତି ଜି ଜିନପିଙ୍ଗ, ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ପ୍ରିନ୍ସ ହ୍ୟାରୀ ଏବଂ ମେଘାନ ମାର୍କେଲଙ୍କୁ ସାମିଲ କରାଯାଇଛି । ଅନ୍ୟପକ୍ଷରେ ଆଶ୍ଚର୍ଯ୍ୟଜନକ ଭାବରେ ତାଲିବାନ ପ୍ରତିଷ୍ଠାତା ମୁଲ୍ଲା ଅବଦୁଲ ଘନି ବରାଦରଙ୍କୁ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ତାଲିକାରେ ସାମିଲ କରିଛି ଟାଇମ୍ । ତାଲିବାନ ସରକାରରେ ବରାଦର ମୁଲ୍ଲା ଅଖୁଣ୍ଡଙ୍କ ଡେପୁଟି ଭାବରେ ରହିଛନ୍ତି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ନାଫତାଲି ବେନେଟ, ଋଷୀୟ ବିରୋଧୀ ଦଳ ନେତା ଆଲେକ୍ସେଇ ନାଭାଲନି ଓ ଟେସଲା ସିଇଓ ଏଲନ ମସ୍କ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛନ୍ତି ।

Get real time updates directly on you device, subscribe now.