fbpx

ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ପିଏମ ମୋଦୀ, ୟୁକ୍ରେନ ସଙ୍କଟ ହେଲା ଚର୍ଚ୍ଚା

ନୂଆଦିଲ୍ଳୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହୋଇଛନ୍ତି । ଉଭୟ ଦେଶର ନେତା ଫୋନରେ କଥା ହୋଇଛନ୍ତି । ପୁଟିନଙ୍କ ସହ କଥା ହୋଇ ପିଏମ ମୋଦୀ ୟୁକ୍ରେନ ସଙ୍କଟ ଉପରେ ଭାରତର ସ୍ଥିତିକୁ ଦୋହରାଇଥିଲେ ଏବଂ କୂଟନୀତିକ ସ୍ତରରେ ସମାଧାନ ବାହାର କରିବା ପାଇଁ କହିଥିଲେ । ମୋଦୀ ପୂର୍ବରୁ ମଧ୍ୟ ଅନେକ ଥର ଭ୍ଳାଦିମିର ପୁଟିନଙ୍କ ସହ କଥା ହେଇଛନ୍ତି ।

ୟୁକ୍ରେନ ସଙ୍କଟ ବ୍ୟତୀତ ଉଭୟ ଦେଶ ଦ୍ୱିପାକ୍ଷିକ ବ୍ୟପାର ସହ ଅନ୍ୟ ବୈଶ୍ୱିକ ଘଟଣା ଉପରେ ଆଲୋଚନା ହୋଇଥିଲା । ଏହା ସହ ପୁଟିନଙ୍କ ଭାରତ ଯାତ୍ରା ସମୟରେ ନିଆଯାଇଥିବା ନିର୍ଣ୍ଣୟର କାର୍ଯ୍ୟାନ୍ୱୟନର ସମୀକ୍ଷା ମଧ୍ୟ ଆଜିର ଚର୍ଚ୍ଚା ସମୟରେ ହୋଇଥିଲା । ଆଜିର କଥାବାର୍ତ୍ତାରେ ପ୍ରଧାନମନ୍ତ୍ରୀ ମୋଦୀ ପୁଟିନଙ୍କ ସହ ଖାଦ୍ୟ ସୁରକ୍ଷା ନେଇ ଚର୍ଚ୍ଚା କରିଥିଲେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୂଯାୟୀ ପିଏମ ମୋଦୀ ଏବଂ ପୁଟିନଙ୍କ ମଧ୍ୟରେ କୃଷି, ଫାର୍ମା ପ୍ରୋଡକ୍ଟ ଏବଂ ଉର୍ବରକକୁ ନେଇ ଚର୍ଚ୍ଚା ହୋଇଥିଲା । ଉଭୟ ଦେଶ ଅନ୍ତରାଷ୍ଟ୍ରୀୟ ଶକ୍ତି ଏବଂ ଫୁଡ୍ ମାର୍କେଟର ବର୍ତ୍ତମାନର ପରିସ୍ଥିତି ଉପରେ ବିଚାର ରଖିଥିଲେ ।

ସୂଚନାଯୋଗ୍ୟ, ପିଏମ ମୋଦୀ ୟୁକ୍ରେନ ସଙ୍କଟକୁ ନେଇ ୟୁକ୍ରେନର ରାଷ୍ଟ୍ରପତି ଭୋଲଡେମୀର ଜେଲେନସ୍କୀଙ୍କ ସହ ମଧ୍ୟ କଥା ହୋଇସାରିଛନ୍ତି । ପ୍ରଧାନମନ୍ତ୍ରୀ ପୂର୍ବରୁ ମଧ୍ୟ ଦୁଇ ଦେଶକୁ କଥାବାର୍ତ୍ତା ମାଧ୍ୟରେ ସମାଧାନ କରିବାକୁ ଅପିଲ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ପୁଟିନ ଡିସେମ୍ବର ୨୦୨୧ ରେ ଭାରତ ଗସ୍ତରେ ଆସିଥିଲେ ଏବଂ ଏହି ଯାତ୍ରା ସମୟରେ ଉଭୟ ଦେଶ ମଧ୍ୟରେ ୨+୨ ମନ୍ତ୍ରୀସ୍ତରୀୟ ଆଲୋଚନା ହୋଇଥିଲା । ଉଭୟ ଦେଶ ମଧ୍ୟ ଅନେକ ସମୟରୁ ସଂପର୍କ ରହିଆସିଛି ଏବଂ ଏହି ସଂପର୍କକୁ ମଜବୁତ କରିବା ପାଇଁ ଏହି ବାର୍ତ୍ତାରେ ଅନେକ ମହତ୍ୱପୂର୍ଣ୍ଣ ନିର୍ଣ୍ଣୟ ନିଆଯାଇଥିଲା ।

Get real time updates directly on you device, subscribe now.