PoKରେ ରକ୍ତରଞ୍ଜିତ ସଂଘର୍ଷ; ପାକିସ୍ତାନ ସେନାର ଡ୍ରୋନ୍ ଆକ୍ରମଣରେ ୩ ମୃତ, ୧୮ରୁ ଅଧିକ ଆହତ
ଗୁରୁବାର ସକାଳ ପ୍ରାୟ ୫ଟାରେ ଏହି ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ରାୱଲକୋଟ ସହର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି।
ଇସଲାମାବାଦ: ପାକିସ୍ତାନ ଅଧିକୃତ ଜମ୍ମୁ-କଶ୍ମୀର(ପିଓକେ)ରେ ପାକିସ୍ତାନ ସେନା ଖେଳିଛି ରକ୍ତର ହୋଲି। ରାୱଲକୋଟର ଉମର ଫାରୁକ୍ ଛକ ଓ ଆଖପାଖ ଅଞ୍ଚଳରେ ପାକିସ୍ତାନ ସେନା ଆକାଶ ମାର୍ଗରୁ ଡ୍ରୋନ୍ରେ ଆକ୍ରମଣ କରିଛି। ଗୁରୁବାର ସକାଳ ପ୍ରାୟ ୫ଟାରେ ଏହି ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ରାୱଲକୋଟ ସହର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଘରଗୁଡ଼ିକ ଜଳୁଥିବା ଦେଖିବାକୁ ମିଳିଛି। ଯେଉଁଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ୧୮ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ପାକିସ୍ତାନୀ ସେନା ଜାଣିଶୁଣି ସାଧାରଣ ନାଗରିକଙ୍କ ଘର ଏବଂ ନିରସ୍ତ୍ର ଆନ୍ଦୋଳନକାରୀଙ୍କୁ ଟାର୍ଗେଟ୍ କରୁଛି। ଏପରିକି ମହିଳା ଓ ଶିଶୁଙ୍କ ଉପରେ ମଧ୍ୟ ଗୁଳି ଚଳାଯାଇଥିବା ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି।
ରିପୋର୍ଟ ଅନୁସାରେ, ୨୦୨୬ ଜୁନ୍ରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ପରଠାରୁ ପାକିସ୍ତାନୀ ସେନାର କାର୍ଯ୍ୟାନୁଷ୍ଠାନରେ ପିଓକେରେ ୧୫୩ରୁ ଅଧିକ ଲୋକଙ୍କ ଜୀବନ ଯାଇଛି। ଏହି ଅଞ୍ଚଳରେ ସେନାର ଦମନମୂଳକ କାର୍ୟ୍ୟାନୁଷ୍ଠାନକୁ ନେଇ ସ୍ଥାନୀୟ ଲୋକଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି।
ଏପଟେ ସ୍ଥିତି ଅଧିକ ଉତ୍ତେଜନାପୂର୍ଣ୍ଣ ହେବା ପରେ ରାୱଲକୋଟରେ ସରକାରୀ ମୋବାଇଲ୍ ସେବା ଓ ଇଣ୍ଟରନେଟ୍ ବନ୍ଦ କରିଦିଆଯାଇଛି। ଯାହାଫଳରେ ଲୋକଙ୍କ ମଧ୍ୟରେ ଭୟ ବଢ଼ିବା ସହ ବାହାର ଦୁନିଆ ସହ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି। ତଥାପି ଲୋକେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ ଜାରି ରଖିଛନ୍ତି।
ଏହି ଆନ୍ଦୋଳନ କେବଳ ଶସ୍ତା ବିଦ୍ୟୁତ୍ ଓ ଶସ୍ତା ଅଟା ଦାବିରେ ସୀମିତ ନାହିଁ। ଆନ୍ଦୋଳନକାରୀମାନେ ବିଧାନସଭାରେ ଉପଯୁକ୍ତ ପ୍ରତିନିଧିତ୍ୱ, ସ୍ଥାନୀୟ ସମ୍ବଳ ଉପରେ ଅଧିକାର ଏବଂ ପ୍ରଶାସନିକ ସ୍ୱାୟତ୍ତତା ମଧ୍ୟ ଦାବି କରୁଛନ୍ତି। ପାକିସ୍ତାନୀ ସେନାର ଦମନ ଆଗରେ ମୁଣ୍ଡ ନୁଆଁଇବେ ନାହିଁ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି।


