ରାତିରେ ଝଲସିବ ପୋଲିସଙ୍କ କାନ୍ଧ! ଟ୍ରାଫିକ ଡ୍ୟୁଟି ପାଇଁ ନୂଆ ଟେକ୍ନୋଲୋଜି
ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ୍ ଦାୟୀତ୍ୱରେ ଥିବା କର୍ମଚାରୀଙ୍କ କାନ୍ଧରେ ଲାଗିବ ଝଲସୁଥିବା ‘ଶୋଲ୍ଡର ଫ୍ଲିକରିଂ ଲାଇଟ୍’। ଫଳରେ ରାତିରେ ଦୂରରୁ ରାସ୍ତାରେ ପୋଲିସ କର୍ମଚାରୀ ଡ୍ୟୁଟିରେ ଥିବା ଜାଣିପାରିବେ ଗାଡ଼ି ଚାଳକ
ଭୁବନେଶ୍ୱର: ଅନ୍ଧକାର ରାତିରେ ରାସ୍ତାରେ ଗାଡ଼ି ଚଳାଉଥିବା ବେଳେ ହଠାତ୍ ସାମ୍ନାରେ ଟ୍ରାଫିକ୍ ପୋଲିସ ଦେଖି ବ୍ରେକ୍ ମାରିବାକୁ ପଡ଼ିଛି କି? ଏବେ ଆଉ ସେମିତି ସମସ୍ୟା ରହିବ ନାହିଁ। ଦୂରରୁ ଆପଣ ଟ୍ରାଫିକ୍ ପୋଲିସକୁ ଚିହ୍ନି ପାରିବେ। କାରଣ ଡ୍ୟୁଟିରେ ଥିବା ଟ୍ରାଫିକ୍ ପୋଲିସ୍ଙ୍କ କାନ୍ଧରେ ଲାଗିବ ଲାଇଟ୍। ଯାହା ଧପ୍ ଧପ୍ ହେଉଥିବା ଦେଖିବାକୁ ମିଳିବ। ଏହାଦ୍ୱାରା ବହୁମାତ୍ରାରେ ଦୁର୍ଘଟଣା କମିବ ବୋଲି ଆକଳନ କରାଯାଇଛି।
ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ୍ ଦାୟୀତ୍ୱରେ ଥିବା କର୍ମଚାରୀଙ୍କ କାନ୍ଧରେ ଲାଗିବ ଝଲସୁଥିବା ‘ଶୋଲ୍ଡର ଫ୍ଲିକରିଂ ଲାଇଟ୍’। ଫଳରେ ରାତିରେ ଦୂରରୁ ରାସ୍ତାରେ ପୋଲିସ କର୍ମଚାରୀ ଡ୍ୟୁଟିରେ ଥିବା ଜାଣିପାରିବେ ଗାଡ଼ି ଚାଳକ। ଆଉ କୌଣସି ଦୁର୍ଘଟଣା ଘଟିବ ନାହିଁ।
ନୂଆ ବ୍ୟବସ୍ଥାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରାତି ଓ କମ୍ ଆଲୋକ ଥିବା ସମୟରେ ଟ୍ରାଫିକ୍ ପୋଲିସଙ୍କୁ ଅଧିକ ଦୃଶ୍ୟମାନ କରିବା। ରାସ୍ତାରେ ଟ୍ରାଫିକ ନିୟନ୍ତ୍ରଣ କରିବା, ଗାଡ଼ି ଚାଳକଙ୍କୁ ସହାୟତା କରିବା କିମ୍ବା କୌଣସି ଟ୍ରାଫିକ ସମସ୍ୟାର ସମାଧାନ କରିବା ସମୟରେ ଏହି ଲାଇଟ୍ ପୋଲିସଙ୍କ ଉପସ୍ଥିତିକୁ ସ୍ପଷ୍ଟ କରିବ। ଏହାଦ୍ୱାରା ଗାଡ଼ି ଚାଳକମାନେ ଆଗରୁ ସତର୍କ ହୋଇପାରିବେ ଓ ରାସ୍ତାରେ ଡ୍ୟୁଟି କରୁଥିବା ପୋଲିସ କର୍ମଚାରୀଙ୍କ ସୁରକ୍ଷା ମଧ୍ୟ ବଢ଼ିବ।
ଦ୍ରୁତ ଗତିରେ ଆସୁଥିବା ଗାଡ଼ି ପାଇଁ ବଡ଼ ସୁରକ୍ଷା: ରାତିରେ ଅଧିକ ବେଗରେ ଆସୁଥିବା ଗାଡ଼ି ଯୋଗଁଓ ରାସ୍ତାରେ ଡ୍ୟୁଟି କରୁଥିବା ପୋଲିସ କର୍ମଚାରୀଙ୍କ ପାଇଁ ବିପଦ ରହିଥାଏ। ଏହି ଲାଇଟ୍ ଦୂରରୁ ଝଲସିବା ଯୋଗୁଁ ଗାଡ଼ି ଚାଳକମାନେ ଆଗରୁ ପୋଲିସଙ୍କ ଉପସ୍ଥିତି ଜାଣିପାରିବେ। ଏହା ଫଳରେ ଗାଡ଼ିର ଗତି କମାଇବା ସହ ଆବଶ୍ୟକ ସତର୍କତା ଅବଲମ୍ବନ କରିବାର ସୁଯୋଗ ମିଳିବ।
ପୋଲିସ କମିଶନର ଏସ୍. ଦେବ ଦତ୍ତ ସିଂହ କହିଛନ୍ତି; ଏହି ଲାଇଟ୍ର ଉଦ୍ଦେଶ୍ୟ ହେଉଛି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ପୋଲିସ କର୍ମଚାରୀ ଉପସ୍ଥିତ ଥିବା ବିଷୟରେ ଲୋକଙ୍କୁ ସ୍ପଷ୍ଟ ସଙ୍କେତ ଦେବା। ଏହା ଲୋକଙ୍କୁ ଏକ ପ୍ରକାର ସୁରକ୍ଷାର ଅନୁଭବ ଦେବା ସହ ଅଧିକ ବେଗରେ ଆସୁଥିବା ଗାଡ଼ି ଯୋଗୁଁ ଡ୍ୟୁଟିରେ ଥିବା ପୋଲିସଙ୍କ ସୁରକ୍ଷା ନିଶ୍ଚିତ କରିବାରେ ସହାୟକ ହେବ।

