ପତ୍ନୀଙ୍କୁ ଦେଉଥିଲେ ନିର୍ଯାତନା: ବନ୍ଧା ହେଲେ ଭଦ୍ରକ ଟାଉନ ଥାନା ଏସ୍‌ଆଇ

ନିର୍ଯାତନା ଅସହ୍ୟ ହେବାରୁ ଶ୍ରୀ ସେଠୀଙ୍କ ପତ୍ନୀ ଶନିବାର ସନ୍ଧ୍ୟାରେ ସଦର ଥାନାରେ ପହଞ୍ଚିଥିଲେ। ସ୍ୱାମୀଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ

ଭଦ୍ରକ: ପତ୍ନୀ ନିର୍ଯାତନା ଅଭିଯୋଗ। ବନ୍ଧାହେଲେ ଭଦ୍ରକ ଟାଉନ ଥାନାରେ କାର‌୍ୟ୍ୟରତ ସବ୍‌-ଇନ୍ସପେକ୍ଟର(ଏସ୍‌ଆଇ)। ରବିବାର ତାଙ୍କୁ ଗିରଫ କରିଛି ଭଦ୍ରକ ଟାଉନ୍ ଥାନା ପୋଲିସ।

ଭଦ୍ରକ ଟାଉନ୍ ଥାନାରେ ଏସ୍‌ଆଇ ଭାବେ ନିଯୁକ୍ତି ପାଇଥିଲେ ଗଣନାଥ ସେଠୀ। ଅଭିଯୋଗ ଅନୁସାରେ ବିବାହ ପରଠାରୁ ସେ ତାଙ୍କ ପତ୍ନୀଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ। ଯେଉଁଥିପାଇଁ ପାରିବାରିକ ବିବାଦରେ ତୀକ୍ତତା ଆସିଥିଲା। ଦାମ୍ପତ୍ୟ ଜୀବନରେ ଉଠିଥିବା ଝଡ଼ ସମାଧାନ ପାଇଁ ବହୁବାର ଉଦ୍ୟମ କରାଯାଇଥିଲା। ହେଲେ ବିବାଦର ସମାଧାନ ହୋଇପାରିନଥିଲା। ବରଂ ଶ୍ରୀ ସେଠୀ ତାଙ୍କ ସ୍ତ୍ରୀଙ୍କୁ ଅଧିକ ନିର‌୍ୟାତନା ଦେଉଥିବା ଅଭିଯୋଗ ହୋଇଥିଲା।

ତେବେ ନିର୍ଯାତନା ଅସହ୍ୟ ହେବାରୁ ଶ୍ରୀ ସେଠୀଙ୍କ ପତ୍ନୀ ଶନିବାର ସନ୍ଧ୍ୟାରେ ସଦର ଥାନାରେ ପହଞ୍ଚିଥିଲେ। ସ୍ୱାମୀଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ ପୋଲିସ ପ୍ରଥମେ ମାମଲାକୁ ଆପୋଷ ବୁଝାମଣାରେ ସମାଧାନ କରିବାକୁ ଚାହୁଁଥିଲା। ଏପରିକି ସ୍ୱାମୀ ଓ ସ୍ତ୍ରୀଙ୍କୁ ବସାଇ ବିବାଦ ସମାଧାନ କରିବା ପାଇଁ ଉଦ୍ୟମ କରିଥିଲା। ହେଲେ ସମାଧାନର ରାସ୍ତା ବାହାରି ପାରିନଥିଲା।

ଆଜି ପୋଲିସ ମାମଲା ରୁଜୁ କରି ଏସ୍‌ଆଇ ଗଣନାଥ ସେଠୀଙ୍କୁ ଗିରଫ କରିଛି। ଏଥିସହ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ।