fbpx

ଯେଉଁ ନେତା ଦଳ ବଦଳାଇବେ, ସେ ନିର୍ବାଚନ ଲଢ଼ି ପାରିବେନି! କେନ୍ଦ୍ର ସରକାର ଲାଗୁ କରିବେ ନୂଆ ନିୟମ

ନୂଆଦିଲ୍ଲୀ: ସାରା ଦେଶରେ ବର୍ଷର ବିଭିନ୍ନ ସମୟରେ ଅଲଗା ଅଲଗା ନିର୍ବାଚନ ଅନୁଷ୍ଠିତ ହୋଇଥାଏ । ତେବେ ନିର୍ବାଚନ ପୂର୍ବରୁ ଅଧିକାଂଶ ନେତା ନିଜର ଫାଇଦା ପାଇଁ ଗୋଟିଏ ଦଳ ଛାଡ଼ି ଅନ୍ୟ ଦଳକୁ ଡେଇଁଥାନ୍ତି । ରାଜନେତାଙ୍କ ଏହି ଦଳ ଡିଆଁ ନୀତି ଉପରେ ଏବେ ଲାଗିବ ରୋକ । ନିର୍ବାଚନ ସମୟରେ ଦଳ ବଦଳାଉଥିବା ନେତା ୫ ବର୍ଷ ପାଇଁ କୌଣସି ଦଳରୁ ନିର୍ବାଚନ ଲଢ଼ିପାରିବେ ନାହିଁ । କେନ୍ଦ୍ର ସରକାର ଏଥିପାଇଁ ଏକ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି ।

ସୂଚନା ମୁତାବକ, କେନ୍ଦ୍ର ସରକାର ଦଳ ବଦଳ ଆଇନରେ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ହେଉଛନ୍ତି । ସଂସଦର ଶୀତକାଳୀନ ଅଧିବେସନରେ ଆଇନ ମନ୍ତ୍ରଣାଳୟ ଏହି ସଂଶୋଧନ ବିଲ୍ ଆଗତ କରିବାର ସମ୍ଭାବନା ରହିଛି । ଯଦି ଏହି ନିୟମ ଲାଗୁ ହୁଏ, ତେବେ ଦଳ ବଦଳକାରୀ ନେତାଙ୍କ ଉପରେ ଅଙ୍କୁଶ ଲାଗିପାରିବ । ପଞ୍ଜୀକୃତ ରାଜନୈତିକ ଦଳର ପଦାଧିକାରୀ ଓ ନିର୍ବାଚିତ ହୋଇ ନଥିବା ପ୍ରତିନିଧିଙ୍କୁ ଏହି ଆଇନ ଅଧିନରେ ରଖାଯିବ ।

ତେବେ ସବୁଠାରୁ ବଡ଼ କଥା ହେଉଛି, ଏହି ସଂଶୋଧନ ପ୍ରସ୍ତାବକୁ ଅନେକ ଆଞ୍ଚଳିକ ଓ ଜାତୀୟ ଦଳ ସମର୍ଥନ କରୁଥିବା ଦେଖାଯାଇଛି । ବିଗତ ଦିନମାନଙ୍କରେ ଏକାଧିକ ନେତା ଗୋଟିଏ ଦଳରୁ ଅନ୍ୟ ଦଳକୁ ଡେଇଁଥିବା ଦେଖାଯାଇଛି । ଏହାଦ୍ୱାରା ଏକ ସୁସ୍ଥ ଗଣତନ୍ତ୍ର ନଷ୍ଟ ହେବା ସହ ନିରପେକ୍ଷ ନିର୍ବାଚନ ଦିଗରେ ଅନ୍ତରାୟ ସୃଷ୍ଟି ହୋଇଛି । ନୂଆ ନିୟମ ଲାଗୁହେଲେ ବିଧାନସଭା କିମ୍ବା ଲୋକସଭା କାର୍ଯ୍ୟକାଳ ସରିବାର ୬ ମାସ ପୂର୍ବରୁ ନେତାମାନେ ଦଳ ବଦଳ କରିପାରିବେ ନାହିଁ । ନିୟମ ଉଲ୍ଲଂଘନ କଲେ ନେତାମାନେ କୌଣସି ଦଳର ଚିହ୍ନରେ ନିର୍ବାଚନ ଲଢ଼ିପାରିବେ ନାହିଁ ।

Get real time updates directly on you device, subscribe now.