ପ୍ରେମ ପାଇଁ ମା’ ସାଜିଲା ରାକ୍ଷସୀ, ୧୮ ମାସର ଶିଶୁର ଛାତିରେ ପ୍ରେମିକ ସହ ଛିଡ଼ା ହୋଇପଡିଲା ମା’, ଆଉ ତା’ପରେ..
୧୮ ମାସର ଶିଶୁର ଛାତିରେ ପ୍ରେମିକ ସହ ଛିଡ଼ା ହୋଇପଡିଲା ମା’, ଆଉ ତା’ପରେ..
Kerala Horror: କେରଳର ତିରୁବନନ୍ତପୁରମରେ ଜଣେ ୧୮ ମାସର ଶିଶୁର ମୃତ୍ୟୁ ମାମଲା ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଶିଶୁର ପୋଷ୍ଟମର୍ଟମ ରିପୋର୍ଟରୁ ଅନେକ ଚମକାଇଦେଲା ଭଳି ତଥ୍ୟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ଶିଶୁର ଶରୀରରେ ଅନେକ ପୁରୁଣା ଆଘାତ ଚିହ୍ନ ମିଳିଛି, ଯାହା ତା’ ଉପରେ କ୍ରମାଗତ ଏବଂ ନିର୍ଦ୍ଦୟ ଭାବେ ହେଉଥିବା ଶାରୀରିକ ନିର୍ଯାତନା ଆଡ଼କୁ ଇଶାରା କରୁଛି। ଏହି ଘଟଣାରେ ପୋଲିସ ଏବେ ଶିଶୁର ମାଆ ଓ ସମ୍ପୃକ୍ତ ଅଭିଯୁକ୍ତକୁ ପଚରାଉଚରା କରୁଛି।
ପୋଲିସ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଅଶକର ବିରୋଧରେ ଏସସି/ଏସଟି ଆକ୍ଟ ଅଧୀନରେ ମାମଲା ରୁଜୁ କରିଛି। ରିମାଣ୍ଡ ରିପୋର୍ଟ ଅନୁସାରେ, ସେହି କୋମଳମତି ଶିଶୁ ଉପରେ ଦୀର୍ଘ ସମୟ ଧରି ପ୍ରବଳ ଶାରୀରିକ ଆକ୍ରମଣ କରାଯାଉଥିଲା।
ଶରୀରରେ ମିଳିଲା ୯୧ଟି ଆଘାତ ଚିହ୍ନ
ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଛି ଯେ, ଶିଶୁର ଛାତି ଏବଂ ମୁଣ୍ଡରେ ଗମ୍ଭୀର ଆଘାତ ଲାଗିବା ହେତୁ ତାର ମୃତ୍ୟୁ ହୋଇଛି। ଡାକ୍ତରମାନେ ଶିଶୁର ଶରୀରରେ ମୋଟ ୯୧ଟି ଆଘାତ ଚିହ୍ନ ଚିହ୍ନଟ କରିଛନ୍ତି, ଯେଉଁଥିରେ ସାତୋଟି ପଞ୍ଜର ହାଡ଼ ଭାଙ୍ଗିଯିବା, ଶରୀରର ଭିତର ଅଙ୍ଗରେ ଆଘାତ ଲାଗିବା ଏବଂ ଖପୁରୀ ଭିତରେ ଏକାଧିକ ସ୍ଥାନରେ ରକ୍ତସ୍ରାବ ହେବା ସାମିଲ ରହିଛି। ତଦନ୍ତକାରୀ ଦଳର କହିବା ଅନୁସାରେ, ଅଭିଯୁକ୍ତ ଅଶକର ଶିଶୁର ଛାତି ଉପରେ ଛିଡ଼ା ହୋଇଯିବାରୁ ତାର ପଞ୍ଜର ହାଡ଼ଗୁଡ଼ିକ ଭାଙ୍ଗିଯାଇଥିଲା ଏବଂ ଭିତର ଅଙ୍ଗଗୁଡ଼ିକ ନଷ୍ଟ ହୋଇଯାଇଥିଲା।
ରିପୋର୍ଟରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ, ଶିଶୁର ଗୁପ୍ତାଙ୍ଗ ଏବଂ ଡାହାଣ ଗୋଡ଼ର ତଳିପାଦରେ ଜଳିଯିବାର ଚିହ୍ନ ରହିଛି, ଯାହା ସିଗାରେଟ୍ ଲାଇଟର ସାହାଯ୍ୟରେ ପୋଡ଼ାଯାଇଥିବା ସନ୍ଦେହ କରାଯାଉଛି। ଏହି ସବୁ ଚିହ୍ନ ଶିଶୁ ଉପରେ ବାରମ୍ବାର କରାଯାଉଥିବା ଅମାନୁଷିକ ଅତ୍ୟାଚାରର ପ୍ରମାଣ ଦେଉଛି।
ସିଢ଼ିରୁ ପଡ଼ିଯାଇଥିବା କହି ମିଛ କହିଥିଲେ ମାଆ
ଏହା ପୂର୍ବରୁ ଶିଶୁର ହାତ ହାଡ଼ ଭାଙ୍ଗିବା ଘଟଣାର ମଧ୍ୟ ପୋଲିସ ତଦନ୍ତ କରୁଛି। ଅଭିଯୁକ୍ତ ଅଶକର ଏବଂ ଶିଶୁର ମାଆ ଅଖିଳା ପ୍ରଥମେ ଦାବି କରିଥିଲେ ଯେ ସିଢ଼ିରୁ ପଡ଼ିଯିବା ଯୋଗୁଁ ଶିଶୁଟି ଆହତ ହୋଇଥିଲା। କିନ୍ତୁ ପୋଲିସର ଏହା ଉପରେ ସନ୍ଦେହ ହେବାରୁ, ଏହି ଅପରାଧରେ ସହଯୋଗ ଓ ଉସକାଇବା ଅଭିଯୋଗରେ ଶିଶୁର ମାଆ ଅଖିଳା ବିରୋଧରେ ମଧ୍ୟ ମାମଲା ରୁଜୁ କରାଯାଇପାରେ ବୋଲି ସଙ୍କେତ ମିଳିଛି।
ପଚରାଉଚରା ସମୟରେ ଅଭିଯୁକ୍ତ ଅଶକର ସ୍ୱୀକାର କରିଛି ଯେ, ଅଖିଳା ସହିତ ତାର ସମ୍ପର୍କ ମଧ୍ୟରେ ସେହି ଶିଶୁଟି ଏକ ବାଧା ସଦୃଶ ସାଜିଥିଲା। ତେଣୁ ସେ ଶିଶୁଟିକୁ ଦୂର କରିବାକୁ ଚାହୁଁଥିଲା। ପୋଲିସ ଏବେ ଏହି ସମ୍ପୂର୍ଣ୍ଣ ନିର୍ଯାତନା ପଛରେ ଅନ୍ୟ କାହାର ହାତ ଅଛି କି ନାହିଁ, ସେ ନେଇ ଅଧିକ ତଦନ୍ତ ଚଳାଇଛି। ଏହା ସହିତ ଅଭିଯୁକ୍ତ ଅଶକର ପୂର୍ବରୁ ତାର ପ୍ରଥମ ସ୍ତ୍ରୀକୁ ମଧ୍ୟ ନିର୍ଧୁମ ମାଡ଼ ମାରି ବିକଳାଙ୍ଗ କରିଦେଇଥିବା ନେଇ ପୋଲିସକୁ ସୂଚନା ମିଳିଛି, ଯାହାକୁ ନେଇ ପୋଲିସ ପୃଥକ ଭାବେ ଖୋଳତାଳ କରୁଛି।
