ଚଳିତବର୍ଷ ରୋଜଗାର କଲା ୧୫,୨୯୬ କୋଟି
ସମୟ ସହିତ ତାଳ ଦେଇ ନିଜକୁ ବଦଳାଉଛି ଭାରତୀୟ ଡାକ। ହାଇଟେକ ହେଉଛି। ଦୂର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ପାଖକୁ ଯାଉଛି
ମୁମ୍ବାଇ: ହ୍ୱାଟ୍ସଆପ୍ ଓ ଟେଲିଗ୍ରାମ ଦୁନିଆରେ ସମୟ ସହିତ ତାଳ ଦେଇ ନିଜକୁ ବଦଳାଉଛି ଭାରତୀୟ ଡାକ। ହାଇଟେକ ହେଉଛି। ଦୂର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ପାଖକୁ ଯାଉଛି। ନିଜ ବିଭାଗର ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଉଛି। ନୂଆନୂଆ ଗ୍ରାହକ ଯୋଡୁଛି। ଯାହାଫଳରେ ବିଭାଗ ୨୦୨୫-୨୬ ଆର୍ଥିକ ବର୍ଷରେ ୧୫,୨୯୬ କୋଟି ଟଙ୍କାର ଆୟ କରିଛି। ଯାହା ପୂର୍ବବର୍ଷ ତୁଳନାରେ ୧୬ ପ୍ରତିଶତ ଅଧିକ। କେନ୍ଦ୍ର ଟେଲିକମ୍ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ସୋମବାର ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି, ବିଭାଗ ପାଇଁ ଏହି ବର୍ଷ ଐତିହାସିକ ରହିଛି। ୨୦୨୪-୨୫ ଆର୍ଥିକ ବର୍ଷରେ ବିଭାଗର ଆୟ ୧୩,୨୧୮ କୋଟି ଟଙ୍କା ଥିଲା। ଯାହା ୨୦୨୫-୨୬ ଆର୍ଥିକ ବର୍ଷରେ ବଢ଼ି ୧୫,୨୯୬ କୋଟି ଟଙ୍କା ହୋଇଛି।
ସିନ୍ଧିଆ କହିଛନ୍ତି, ସେବାର ପହଞ୍ଚ ବଢ଼ାଇବା, ନୂଆ ଗ୍ରାହକଙ୍କୁ ଯୋଡ଼ିବା ଏବଂ ଗ୍ରାହକଙ୍କ ସହିତ ଯୋଜନା ସମ୍ପର୍କରେ ଆଲୋଚନା କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଯାହା ଦ୍ୱାରା ଆସନ୍ତା ଆର୍ଥିକ ବର୍ଷରେ ଆହୁରି ବୃଦ୍ଧି ଲକ୍ଷ୍ୟ ରଖାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।
ସେ ଆହୁରି କହିଛନ୍ତି, ଆମେ ଚଳିତ ବର୍ଷ ୩ଟି ନୂଆ ଯୋଜନା ଆରମ୍ଭ କରିଛୁ। ଏବେ ଆମର ଧ୍ୟାନ ସେବାର ବିସ୍ତାର ଓ ନୂଆ ଗ୍ରାହକଙ୍କୁ ଆକର୍ଷଣ କରିବା ଉପରେ ଧ୍ୟାନ ଦିଆଯାଉଛି। ଯାହା ଦ୍ୱାରା ବିଭାଗ ନୂଆ ଆର୍ଥିକ ବର୍ଷରେ ଆହୁରି ଭଲ ବୃଦ୍ଧି ହାସଲ କରାଯାଇପାରିବ ବୋଲି ମନ୍ତ୍ରୀ କହିଛନ୍ତି।
