ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ “ଛାତ୍ର ସଂକଳ୍ପ ସମାବେଶ” ଆୟୋଜିତ, ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି
"ଓଡ଼ିଶାରେ ସରକାରୀ ଶିକ୍ଷା ବିଭାଗର ମା ବାପା ନାହାନ୍ତି"।
ଭୁବନେଶ୍ୱର: ବିଜେପି ଉପରେ ବର୍ଷିଲା କଂଗ୍ରେସ। ଛାତ୍ରଛାତ୍ରୀଙ୍କ ଭିବଷ୍ୟତ ସହ ଖେଳ ଖେଳୁଛନ୍ତି ସରକାର। ପ୍ରଶ୍ନପତ୍ର ଲିକ୍ ଘଟଣାକୁ ମୁଦ୍ଦା କରି ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରିଥିଲେ ନବନିଯୁକ୍ତ ଛାତ୍ର କଂଗ୍ରେସ ସଭାପତି ବିଭୁତି ଭୂଷଣ ମହାପାତ୍ର।
ଏହି ପରିପ୍ରେକ୍ଷୀରେ ଆଜି ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ମାଷ୍ଟରକ୍ୟାଂଟିନ ଛକ ଠାରେ “ଛାତ୍ର ସଂକଳ୍ପ ସମାବେଶ” ଆୟୋଜିତ ହୋଇଥିଲା । ଏଠାରେ ନବନିଯୁକ୍ତି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ବିଭୁତିଭୂଷଣ ମହାପାତ୍ରଙ୍କୁ ସମ୍ବର୍ଦ୍ଧନା ଦିଆଯିବ ସହ ଛାତ୍ର କଂଗ୍ରେସର ଆଗାମୀ କାର୍ଯ୍ୟକ୍ରମ ପାଇଁ ସଂକଳ୍ପ ନିଆଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବାପାଇଁ ରାଷ୍ଟ୍ରୀୟ ଛାତ୍ର କଂଗ୍ରେସର ସଭାପତି ଶ୍ରୀ ବିନୋଦ ଜାଖରଙ୍କୁ ଏୟାରପୋର୍ଟ ଠାରୁ ଏକ ବିଶାଳ ମୋଟରସାଇକେଲ ରାଲିରେ ମାଷ୍ଟରକ୍ୟାଂଟିନ ଛକପର୍ଯ୍ୟନ୍ତ ଅଣାଯାଇଥିଲା ।
ମୋଦି ସରକାର ଯୁବ ଓ ଛାତ୍ର ସମାଜ ବିରୋଧି:
ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଜାଖର ତାଙ୍କ ଉଦବୋଧନରେ କହିଥିଲେ ଯେ ମୋଦି ସରକାର ଯୁବ ଓ ଛାତ୍ର ସମାଜ ବିରୋଧି । ଯନ୍ତରମନ୍ତରରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ପ୍ରତିବାଦରେ ଆନ୍ଦୋଳନ କରୁଥିବା ଛାତ୍ର ସମାଜକୁ ମୋଦି ସରକାର ଯେଉଁ ଆଚରଣ ପ୍ରଦର୍ଶନ କଲା ଏହା ଦୁର୍ଭାଗ୍ୟଜନକ ।
ସାରା ଦେଶର ବିଭିନ୍ନ ରାଜ୍ୟରେ ଛାତ୍ର ସମାଜ ଭୁଷୁଡ଼ି ଯାଇଥିବା ଶିକ୍ଷାବ୍ୟବସ୍ଥା ବିରୋଧରେ ଲଢ଼େଇ କରୁଛନ୍ତି । ଶିକ୍ଷା ନାମରେ ବ୍ୟବସାୟ ଚାଲିଛି । ନିଟ୍ ପେପର ଲିକ ଘଟଣା ମୋଦି ସରକାରର ଅସଲ ଚେହେରାକୁ ପଦାରେ ପକାଇଛି ।
ମୋଦି ସରକାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଉଛନ୍ତି । ପୂର୍ବତନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ଦେଶର ୨୨ ରୁ ଅଧିକ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି ।
ଯନ୍ତରମନ୍ତରରେ ଛାତ୍ରଙ୍କ ଉପରେ ଅମାନବୀୟ ଲାଠିଚାର୍ଜ, ଟିୟରଗ୍ୟାସ ପ୍ରୟୋଗ ଏବଂ ପଥରମାଡ଼ ଘଟଣା ଏ ଦେଶରେ ଚାଲିଥିବା ହିଟଲରୀ ରାଜକୁ ପଦାରେ ପକାଇଛି ।
ବିହାରରେ ନିର୍ଦ୍ଦୋଶ ଛାତ୍ରଙ୍କ ଉପରେ ଗୁଳିମାଡ ମୋଦି ସରକାରର ଫାଶୀବାଦୀ ମାନସିକତାକୁ ପଦାରେ ପକାଇଛି । ଦେଶର ଗୃହମନ୍ତ୍ରୀଙ୍କ ପ୍ରତି ଛାତ୍ର କଂଗ୍ରେସ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।
ଯନ୍ତରମନ୍ତର ହେଉ, ବିହାର ଓ ଅନ୍ୟ ରାଜ୍ୟରେ ନ୍ୟାୟ ମାଗୁଥିବା ଛାତ୍ରମାନଙ୍କୁ ଅକଥନୀୟ ଅତ୍ୟାଚାର କରିବାକୁ ସରକାରଙ୍କର ଗୁପ୍ତ ନିର୍ଦ୍ଦେଶ ରହିଛି । ଛାତ୍ରମାନଙ୍କୁ ଏବଂ ଅଭିଭାବକମାନଙ୍କୁ ଏନକାଉଂଟର କରି ମାରିଦେବାକୁ ଧମକ ଦିଆଯାଉଛି ।
ଯେଉ ଅଭିଭାବକ ମାନେ କରଜ କରି, ଜମି ବିକି ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି କିନ୍ତୁ ଶିକ୍ଷା ବ୍ୟବସ୍ଥା ପିଲାମାନଙ୍କ ପ୍ରତି ବିଶ୍ୱାସଘାତକତା କରୁଛି । ଏ ସରକାର ଶିକ୍ଷା ଦଲାଲମାନଙ୍କ କବଜାରେ ରହିଛି ।
ପେପରଲିକ ଘଟଣା ଏବଂ ଶିକ୍ଷାବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ମନ୍ତ୍ରୀ ପଦରୁ ଇସ୍ତଫା ପରେ ବିଜେପି ସାଂସଦମାନେ ଏବଂ ଓଡ଼ିଶାରେ ବିଜେପି ଏବଂ ଏହାର ଛାମୁଆ ସଂଗଠନ ଯେଉଁଭଳି ଭାବରେ ସମ୍ବୋର୍ଦ୍ଧିତ କରୁଛନ୍ତି ତାହା ବିଜେପି ଦଳ ଏବଂ ସାସଂଦମାନଙ୍କର ଘୃଣ୍ୟମାନସିକତାକୁ ପଦାରେ ପକାଉଛି । ଆନ୍ଦୋଳନ କରୁଥିବା ଛାତ୍ରଛାତ୍ରୀ ମାନଙ୍କ ଚରିତ୍ରକୁ ବିଜେପି ସାଂସଦମାନେ ସଂହାର କରିବା ଦୁର୍ଭାଗ୍ୟଜନକ।
ଓଡ଼ିଶାରେ ସରକାରୀ ଶିକ୍ଷା ବିଭାଗର ମା ବାପା ନାହାନ୍ତି:
Uttarakhand Govt.
ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ କହିଲେ ଯେ ଓଡ଼ିଶାର ଛାତ୍ରଛାତ୍ରୀ ରାଜରାସ୍ତାରେ ଛିଡ଼ା ହେଉନଥିବାରୁ କଲେଜ ଓ ୟୁନିଭରସିଟିରେ ଛାତ୍ର ସଂସଦ ନିର୍ବାଚନ ହେଉନାହିଁ ।
ଛାତ୍ରମାନଙ୍କ ପ୍ରତି ବାରମ୍ବାର ଅନ୍ୟାୟ ହେଉଛି । ଓଡ଼ିଶାରେ ଶିକ୍ଷା ବ୍ୟବସ୍ଥା ଭୁଷୁଡ଼ି ପଡ଼ିଛି । ଶିକ୍ଷା ବ୍ୟବସ୍ଥାର ମା ବାପା କେହି ନାହାନ୍ତି । ସ୍କୁଲ କଲେଜ ଠାରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ସବୁଠାରେ ୫୦ ପ୍ରତିଶତ ଶିକ୍ଷକ, ଅଧ୍ୟାପକ ଏବଂ ଅନ୍ୟାନ୍ୟ ଷ୍ଟାଫ ନାହାନ୍ତି ।
ଛାତ୍ରଙ୍କ ଭବିଷ୍ୟତ ସହିତ ସରକାର ଖେଳୁଛନ୍ତି । ଦେଶରେ ପେପରଲିକ ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ମୁଣ୍ଡ ନୁଆଇବା, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଇସ୍ତଫା ଦେବା ପରେ ମଧ୍ୟ ଓଡ଼ିଶାରେ ମେଡିକାଲ ପିଜି ପ୍ରଶ୍ନପତ୍ର ଲିକ ହୋଇଯିବା ଦୁର୍ଭାଗ୍ୟଜନକ ।
ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ଓଡ଼ିଶାର ଗଣଶିକ୍ଷା ବିଭାଗ ଓଡ଼ିଶାର ଛାତ୍ରଛାତ୍ରୀ ମାନଙ୍କୁ ନିମୁଡ଼ା ନୃତ୍ୟ କରିବାପାଇଁ ବ୍ୟବସ୍ଥା କରିଦେଇଛନ୍ତି । ସରକାରୀ ପାଠ୍ୟପୁସ୍ତକରେ ୨୦୦୦ ରୁ ଉର୍ଦ୍ଧ୍ୱ ତ୍ରୁଟି । କର୍ଣ୍ଣାଟକର ବିଧାନସଭାକୁ ଓଡ଼ିଶାର ବିଧାନସଭା ବୋଲି ଦର୍ଶାଯାଇଛି ।
ଗଞ୍ଜାମ ଜିଲ୍ଲାକୁ ବ୍ରହ୍ମପୁର ଜିଲ୍ଳା ବୋଲି ଲେଖାଯାଇଛି ସେହିଭଳି ନିୟମଗିରିକୁ ଝାଡ଼ଖଣ୍ଡରେ ଅଛି ବୋଲି ବର୍ଣ୍ଣନା କରାଯାଇଛି । ଏଗୁଡ଼ା ପଢ଼ି ଆମ ପିଲାମାନେ କ’ଣ ମଣିଷ ହେବେ?
ନିତ୍ୟାନନ୍ଦ ଗଣ୍ଡଙ୍କର ଇସ୍ତପା ବାରମ୍ବାର ମଗାଯାଉଥିଲେ ମଧ୍ୟ ତାଙ୍କୁ ସରକାର ଘଂଟ ଘୋଡ଼ାଇ ରଖିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଉପରେ ଏହାର ପ୍ରଭାବ ପଡ଼ୁନାହିଁ ।
ଏମାନଙ୍କୁ ଶିକ୍ଷାଦେବାପାଇଁ ଦିଲ୍ଳୀର ଯନ୍ତରମନ୍ତର ଠାରୁ ଓଡ଼ିଶାରେ ଆହୁରି ପ୍ରଭାବି ଓ ବଡ଼ ଆନ୍ଦୋଳନର ଆବଶ୍ୟକତା ରହିଛି । ଛାତ୍ରଶକ୍ତି ଜାଗ୍ରତ ହେଲେ ଓଡ଼ିଶା ଜାଗିବ ।
ଛାତ୍ର କଂଗ୍ରେସ ଏ ସରକାରକୁ ହଟାଇ:
ନବନିଯୁକ୍ତ ଛାତ୍ର କଂଗ୍ରେସ ସଭାପତି ବିଭୁତି ଭୂଷଣ ମହାପାତ୍ର କହିଲେ ଯେ ପ୍ରତି କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର କଂଗ୍ରେସ ସଂଗଠନକୁ ମଜବୁତ କରାଯିବ । ଛାତ୍ର କଂଗ୍ରେସ ଏ ସରକାରକୁ ହଟାଇବ ।
ଓଡ଼ିଶାର ଶିକ୍ଷାବ୍ୟବସ୍ଥାର ସୁଧାର ପାଇଁ ଏବଂ ଓଡ଼ିଶାର ଛାତ୍ର ସମାଜର ସ୍ୱାର୍ଥ ପାଇଁ ଛାତ୍ର କଂଗ୍ରେସ ଅବିଶ୍ରାନ୍ତ ଲଢ଼େଇ କରିବ । ଛାତ୍ର କଂଗ୍ରେସ ହେଉଛି ଓଡ଼ିଶାର ଛାତ୍ର ମାନଙ୍କର ସ୍ୱର । ଛାତ୍ରବିରୋଧି ବିଜେପି ସରକାର ବିରୋଧରେ ଛାତ୍ର କଂଗ୍ରେସ ଦୁର୍ବାର ଆନ୍ଦୋଳନ କରିବ ।
ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରାଉ:
ସଭାପରେ ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ସଭାପତି, ପିସିସି ସଭାପତି ଓ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତିଙ୍କ ନେତୃତ୍ୱରେ ଏକ ବିଶାଳ ବିକ୍ଷୋଭ ରାଲି ମାଷ୍ଟରକ୍ୟାଂଟିନ ଛକରୁ ବାହାରି ଅଯୋଗ୍ୟ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରାଉ ପାଇଁ ଯାଇଥିଲା ।
ଲୋୟର ପିଏମଜି ଠାରେ ପୋଲିସ ସହ ଏକଘଣ୍ଟା କାଳ ଧସ୍ତାଧସ୍ତି ହୋଇଥିଲା । ଛାତ୍ର କଂଗ୍ରେସ କର୍ମକର୍ତ୍ତା ତିନୋଟି ପୋଲିସ ବାରିକେଡ ଭାଙ୍ଗି ଅଗ୍ରସର ହେଉଥିବା ବେଳେ ସୋମାନଙ୍କୁ ପୋଲିସ ଭ୍ୟାନଯୋଗେ ଉଠାଇ ନେଇଥିଲା । ଘଟଣାସ୍ଥଳରୁ ପିସିିସି ସଭାପତିଙ୍କୁ ମଧ୍ୟ ପୋଲିସ ଗାଡ଼ି ଯୋଗେ ଉଠାଇ ନିଆଯାଇଥିଲା ।
ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଏହି ସଭାରେ ରାଷ୍ଟ୍ରୀୟ ଛାତ୍ର କଂଗ୍ରେସର କର୍ମକର୍ତ୍ତା କବୀର ଅହମ୍ମଦ, ନିରଜ ରାୟ, ପୂର୍ବତନ ଛାତ୍ର କଂଗ୍ରେସ ଦେବାଶିଷ ପଟ୍ଟନାୟକ, ମିଲନ ପଟ୍ଟନାୟକ, ଅଭିଳାଶ ମାଣିଆ, କୃଷ୍ଣ ମହାନ୍ତି, ଗଣେଶ ସାହୁ, ଜ୍ଞାନେନ୍ଦ୍ର ଦାସ, ହରିଶଙ୍କର ରାଉତ, ସ୍ପନ୍ଦନ ସ୍ୱାଇଁ, ଅଜୟ ସାହୁ, ସନ୍ଦୀପ ରାଉତରାୟ, ବଟକୃଷ୍ଣ ରାଉତରାୟ, ସାହାରୁଖ ଖାନ, ଚିତ୍ତରଞ୍ଜନ ନାୟକ, ରତିକାନ୍ତ କାନୁନଗୋ, ହଳଧର ସେଠୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

