ଗର୍ଭବତୀ ଆଶା ଦିଦିଙ୍କୁ ମାରିଦେଲା ନକଲୀ ଡାକ୍ତର! ହସ୍ପିଟାଲ୍ ସିଲ୍‌, ଧରାଇଦେବାକୁ ପୁରସ୍କାର ଘୋଷଣା

ଶନିବାର ରାତିରେ ମେଡିକାଲକୁ ରୋଗୀ ଆସିବା ପରେ ଷ୍ଟାଫ୍ ନର୍ସ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରିଥିଲେ। ପରେ ଆସିଲେ ନକଲୀ ଡାକ୍ତର। ଆଉ ଆଶା ଦିଦିଙ୍କ ପେଟ କାଟି ପିଲାକୁ ବାହାର କରିଥିଲେ

ଲକ୍ଷ୍ନୌ: ବିକଳ ସ୍ୱାସ୍ଥ୍ୟସେବା। ଘରୋଇ ହସ୍ପିଟାଲରେ ନକଲି ଡାକ୍ତର। ବିନା ପାଠ ପଢ଼ାରେ ରୋଗୀ ସେବା କରୁଛନ୍ତି। ଗର୍ଭବତୀଙ୍କ ଅପରେସନ୍ କରୁଛନ୍ତି। ଯେଉଁଥିପାଇଁ ଆଜି ଜଣେ ଗର୍ଭବତୀ ଆଶା ଦିଦିଙ୍କ ଜୀବନ ଯାଇଛି। ନକଲୀ ଡାକ୍ତର ପେଟ କାଟି ଛୁଆ କାଢ଼ି ଚମ୍ପଟ ମାରିଛି। ଏପରି ଘଟଣା ଉତ୍ତରପ୍ରଦେଶ ସୋନଭଦ୍ର ଜିଲ୍ଲାରେ ଘଟିଛି।

କୋନ୍ ଅଞ୍ଚଳର ଆଶା ଦିଦି ଗର୍ଭବତୀ ହୋଇଥିଲେ। ପ୍ରସବ ବେଦନା ହେବାରୁ ଶନିବାର ପରିବାର ଲୋକେ କଚନରୱା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ। ସେଠାରୁ ତାଙ୍କୁ କୋନ୍ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ରେଫର କରାଯାଇଥିଲା। ହେଲେ ତାଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଶନିବାର ରାତିରେ ମେଡିକାଲକୁ ରୋଗୀ ଆସିବା ପରେ ଷ୍ଟାଫ୍ ନର୍ସ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରିଥିଲେ। ପରେ ଆସିଲେ ନକଲୀ ଡାକ୍ତର। ଆଉ ଆଶା ଦିଦିଙ୍କ ପେଟ କାଟି ପିଲାକୁ ବାହାର କରିଥିଲେ। ସେହି ସମୟରେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଏ କଥା ଜଣାପଡ଼ିବା ପରେ ନକଲୀ ଡାକ୍ତର ମେଡିକାଲ୍ ଛାଡ଼ି ଚମ୍ପଟ ମାରିଥିଲେ। ଅପରେସନ ପରେ ଛୁଆଟି ସୁସ୍ଥ ରହିଛି। ଏହି ଘଟଣା ପ୍ରଘଟ ହେବା ପରେ ମେଡିକାଲରେ ଉତ୍ତେଜନା ପ୍ରକାଶ ପାଇଥିଲା।

ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ପ୍ରଶାସନ ହସ୍ତକ୍ଷେପ କରିଥିଲା। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା। ଏପରିକି ନବଜାତକୁ ଅନ୍ୟ ଏକ ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ଯାଞ୍ଚ ବେଳେ ଜଣାପଡ଼ିଛି ଉକ୍ତ ଘରୋଇ ହସ୍ପିଟାଲଟି ବେଆଇନ୍ ଭାବେ ଚାଲୁଥିଲା। ଆଉ ସେଠାରେ କାର୍ଯ୍ୟରତ ଡାକ୍ତର ହେଉଛନ୍ତି ଜଣେ କ୍ୱାକ୍‌(ନକଲୀ ଡାକ୍ତର)।

ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ନିର୍ଦ୍ଦେଶରେ ଉକ୍ତ ହସ୍ପିଟାଲକୁ ସିଲ୍ କରାଯାଇଛି। ପୋଲିସ ଜଣେ ଷ୍ଟାଫ୍ ନର୍ସ ଓ ଜଣେ କର୍ମଚାରୀଙ୍କୁ ଗିରଫ କରିଛି। ହେଲେ ହସ୍ପିଟାଲର ମାଲିକ ନସିମ ଅହମ୍ମଦ ଫେରାର ହୋଇଯାଇଛନ୍ତି। ତାକୁ ଧରିବା ପାଇଁ ୨୫,୦୦୦ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି। ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ସ୍ୱତନ୍ତ୍ର ଟିମ୍ ଗଠନ କରିଛି।

ଭୁଲ୍ ଅପରେସନ ଯୋଗୁଁ ମହିଳାଙ୍କ ମୃତ୍ୟୁ ହୋଇଥିବା ମେଡ଼ିକାଲ୍ ଅଧିକାରୀ ସ୍ୱୀକାର କରିଛନ୍ତି। ବର୍ତ୍ତମାନ ପିଲାର ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ଥିବା ଜଣାପଡ଼ିଛି।