fbpx

ଗର୍ଭବତୀ ସ୍ତ୍ରୀର ତଣ୍ଟି କାଟି ସ୍ୱାମୀ ଫେରାର, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

କେସିଙ୍ଗା (ଭାସ୍କର ନ୍ୟୁଜ୍‌): ଗର୍ଭବତୀ ସ୍ତ୍ରୀର ତଣ୍ଟି କାଟି ତାକୁ ହତ୍ୟା ଉଦ୍ୟମ କରିଛି ଜଣେ ସ୍ୱାମୀ । ଘଟଣା ପରେ ଅଭିଯୁକ୍ତ ସ୍ୱାମୀ ଫେରାର ହୋଇଯାଇଥିବାବେଳେ ଗୁରୁତର ଅବସ୍ଥାରେ ଗର୍ଭବତୀ ମହିଳାଙ୍କୁ କେସିଙ୍ଗା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନାନୁଯାୟୀ ସମ୍ବଲପୁର ଜିଲା ଅଇଁଠାପାଲି ଥାନା ଅନ୍ତର୍ଗତ ବାଇଦାର ନୂଆ ପାଲି ଗ୍ରାମର ନିହାର ସାହାଡ଼ି (୨୩) ନାମକ ଯୁବକ ସେହି ଗ୍ରାମର ପ୍ରକାଶିନୀ ସାହାଡ଼ି (୨୨) ଯୁବତୀଙ୍କୁ ଗତ ବର୍ଷ ପ୍ରେମ ବିବାହ କରିଥିଲେ । ନିହାର ନିଜ ମାମୁଁ ଘର କଳାହାଣ୍ଡି ଜିଲା ନର୍ଲା ବ୍ଲକର ଧରାମାଲ ଗ୍ରାମକୁ ବୁଲି ଯିବାକୁ କହି ସ୍ତ୍ରୀ ପ୍ରକଶିନୀ ଓ ଜଣେ ସାଙ୍ଗକୁ ଡାକି ନେଇଥିଲେ । ରବବାର ସନ୍ଧ୍ୟାରେ ସେମାନେ ଧରାମାଲ ଗ୍ରାମରେ ପହଞ୍ଚିଥିଲେ । ସନ୍ଧ୍ୟା ହେବାରୁ ତିନି ଜଣ ଧରାମାଲ ଗ୍ରାମର ଜଙ୍ଗଲକୁ ଯାଇଥିଲେ । ସେଠାରେ ନିହାର ପ୍ରକାଶିନୀଙ୍କ ଗଳାକାଟି ହତ୍ୟା ଉଦ୍ୟମ କରିଥିଲେ । ହେଲେ ପ୍ରକାଶିନୀ ଘଟଣାସ୍ଥଳରେ ଚେତାଶୂନ୍ୟ ହେବାରୁ ସ୍ୱାମୀ ନିହାର ଓ ତାଙ୍କ ସାଙ୍ଗ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।ତେବେ ପ୍ରକାଶିନୀ ଗୁରୁତର ଅବସ୍ଥାରେ ଘୁଷୁରି ଘୁଷିରି ଜଙ୍ଗଲ ନିକଟରେ ଥିବା ଏକ କୁଡିଆ ଘଷର ରାତି କଟାଇଥିଲେ । ସୋମବାର ସକାଳେ ପଡୋଶୀ ଗ୍ରାମର କିଛି ଲୋକେ ପ୍ରକାଶିନୀଙ୍କୁ ଗୁରୁତର ଅବସ୍ଥାରେ ଦେଖି ପଲମ ଫାଣ୍ଡିକୁ ଖବର ଦେଇଥିଲେ । ପରେ ଫାଣ୍ଡି ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ପ୍ରକାଶିନୀଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥିଲେ । ତେବେ ପ୍ରକାଶିନୀ ୭ ମାସର ଗର୍ଭବତୀ ଥିବାବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭବାନୀପାଟଣା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଏ ନେଇ କେସିଙ୍ଗା ପୋଲିସ୍‌ ୩୧୯/୨୧ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିବା ଜଣାପଡିଛି ।

Get real time updates directly on you device, subscribe now.