ଇନଷ୍ଟାରୁ ବନ୍ଧୁତା, ତା’ପରେ ବିବାହ ପାଇଁ ଚାପ: ଛାତ୍ରୀ ନେଲେ ଚରମ ନିଷ୍ପତ୍ତି

ଛାତ୍ରୀଙ୍କ ବାପାଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରିଛି। ଏପରିକି ଅଭିଯୁକ୍ତ ମହିଳାଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ଧାରା ୧୦୮ ଅର୍ଥାତ୍ ଆତ୍ମହତ୍ୟା ପାଇଁ ପ୍ରରୋଚନା ଅଭିଯୋଗରେ ମାମଲା ରୁଜୁ କରିଛି

ଲୁଧିଆନା: ୧୫ ବର୍ଷର ଛାତ୍ରୀ ଜଣକ ଦଶମ ଶ୍ରେଣୀରେ ପଢ଼ୁଥିଲେ। ସେହି ସମୟରେ ଇନଷ୍ଟାଗ୍ରାମରେ ଜଣେ ମହିଳାଙ୍କ ସହିତ ତାଙ୍କର ବନ୍ଧୁତା ଗଢ଼ି ଉଠିଥିଲା। ପରବର୍ତ୍ତୀ ସମୟରେ ସେହି ବନ୍ଧୁତା ପାଲଟିଲା ଛାତ୍ରୀଙ୍କ ପାଇଁ ଅଣ ଲେଉଟା ରାସ୍ତା। ବାହାହେବା ପାଇଁ ବାରମ୍ବାର କହିବାରୁ ଚରମ ନିଷ୍ପତ୍ତି ନେଲେ ଛାତ୍ରୀ। ଘରେ କେହି ନଥିବା ବେଳେ ଆତ୍ମହତ୍ୟା କରିଦେଲେ। ଏପରି ହୃଦୟ ବିଦାରକ ଘଟଣା ପଞ୍ଜାବରେ ଘଟିଛି। ଛାତ୍ରୀଙ୍କ ବାପାଙ୍କ ଅଭିଯୋଗ କ୍ରମେ ପୋଲିସ ୨୫ ବର୍ଷୀୟା ମହିଳାଙ୍କ ବିରୋଧରେ ମାମଲା ରୁଜୁ କରିଛି।

ଘଟଣାଟି ପଞ୍ଜାବର ଲୁଧିଆନା ରାହୋନ ରୋଡ୍ ଅଞ୍ଚଳର। ଅକ୍ଟୋବର ୩୧ ତାରିଖରେ ଦଶମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଏହି ମାମଲା ଏବେ ଥାନାରେ ପହଞ୍ଚିଛି। ଛାତ୍ରୀଙ୍କ ବାପା ଥାନାରେ ଜଣେ ମହିଳାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ପ୍ରାୟ ୬ ମାସ ତଳେ ଝିଅ ପଦ୍ମା(ଛଦ୍ମନାମ) ଇନଷ୍ଟାଗ୍ରାମରେ ଲୁଧିଆନାର ଅନ୍ୟ ଏକ ଅଞ୍ଚଳରେ ରହୁଥିବା ୨୫ ବର୍ଷୀୟା ମହିଳାଙ୍କ ସହ ବନ୍ଧୁତା ହୋଇଥିଲା।

ଉକ୍ତ ମହିଳା ଛାତ୍ରୀ ପଦ୍ମାଙ୍କୁ ବିବାହ କରିବା ପାଇଁ ବାରମ୍ବାର ଚାପ ପକାଉଥିଲେ। ଏଥିରେ ପଦ୍ମା ରାଜି ହୋଇଥିଲେ। ଯେଉଁଥିପାଇଁ ତାଙ୍କୁ ଇମୋସନାଲି ବ୍ଲକ୍‌ମେଲ୍ କରାଯାଇଥିଲା। ଯାହାକୁ ନେଇ ପଦ୍ମା ମାନସିକ ଚାପରେ ରହୁଥିଲେ। ଆଉ ଶେଷରେ ନେଲେ ଚରମ ନିଷ୍ପତ୍ତି। ଅକ୍ଟୋବର ୩୧ ତାରିଖ ଅପରାହ୍ନ ପ୍ରାୟ ୫ଟାରେ ଆତ୍ମହତ୍ୟା କରିଥିବା ଅଭିଯୋଗରେ ଦର୍ଶା ଯାଇଛି।

ଛାତ୍ରୀଙ୍କ ବାପାଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରିଛି। ଏପରିକି ଅଭିଯୁକ୍ତ ମହିଳାଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ଧାରା ୧୦୮ ଅର୍ଥାତ୍ ଆତ୍ମହତ୍ୟା ପାଇଁ ପ୍ରରୋଚନା ଅଭିଯୋଗରେ ମାମଲା ରୁଜୁ କରିଛି। ଅଭିଯୁକ୍ତ ମହିଳା ଜଣକ ଏକ ଦୋକାନ ଚଳାଉଥିବା ବେଳେ ଅବିବାହିତ ବୋଲି ପୋଲିସ ଜଣିବାକୁ ପାଇଛି।

ମାମଲା ଥାନାରେ ପହଞ୍ଚିବା ପରେ ଅଭିଯୁକ୍ତ ମହିଳା ଫେରାର ହୋଇଯାଇଛି। ପୋଲିସ ତାଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଅଭିଯୁକ୍ତ ମହିଳା ଅନ୍ୟ କୌଣସି ଝିଅଙ୍କ ସହ ଏଭଳି ବନ୍ଧୁତା ରଖି ସେମାନଙ୍କ ଉପରେ ଚାପ ପକାଇଥିଲେ କି ନାହିଁ, ତାହା ଉପରେ ମଧ୍ୟ ଯାଞ୍ଚ ଚାଲିଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି।