fbpx

ପୂର୍ବ ଶତୃତାକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ ଘଟଣା: ଦୁଇଥର ଏତଲା ଦେବା ପରେ ବି ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ, ଜଣେ ଗୁରୁତର ଓ ଅନ୍ୟ ଜଣେ ଜୀବନ ମରଣ ସହ କରୁଛି ସଂଗ୍ରାମ

ରାଜନଗର (ଆପ୍ର): କରୋନା ମହାମାରୀର ଦ୍ୱିତୀୟ ଲହର ସଂକ୍ରମଣ ପାଇଁ ପୋଲିସ ଘରକୁ ଯାଇ ଏତଲା ଆଣିବାକୁ ପୋଲିସ ମୁଖ୍ୟ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହି କଟକଣା ମଧ୍ୟରେ ମାଡ ଖାଇଥିବା ପରିବାର ପକ୍ଷରୁ ଥାନାରେ ଦୁଇଥର ଏତଲା ଦେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଘଟଣା ବିଭାଗର ସ୍ୱଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାଜନଗର ବ୍ଲକ ଗୁପ୍ତି ପଞ୍ଚାୟତ ଦେବେନ୍ଦ୍ରନାରାୟଣପୁର ଗ୍ରାମରେ ମରଣାନ୍ତକ ଆକ୍ରମଣରେ ଜଣେ ଗୁରୁତର ଆହତ ହୋଇ କଟକ ବଡମେଡିକାଲରେ ଜୀବନ ସହ ସଂଗ୍ରାମ କରୁଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ରାଜନଗର ଥାନାରେ ଅଭିଯୋଗ ହୋଇଛି ।

ଅଭିଯୋଗକାରୀ ଭବସିନ୍ଧୁ ମଣ୍ଡଳ ଚଳିତମାସ ୧୪ତାରିଖ ଦିନ ଦେଇଥିବା ଏତଲାରେ ଦର୍ଶାଇଛନ୍ତି ଯେ, ପୂର୍ବ ଶତୃତାକୁ କେନ୍ଦ୍ର କରି ୧୩ତାରିଖ ରାତି ପ୍ରାୟ ୧୦ଟା ସମୟରେ ତାଙ୍କ ଘରେ ପଶି ସେହି ଗ୍ରାମର ଭବାନୀ ମଣ୍ଡଳ, ସୁବଳ ଗାଇନ୍‌, ଗୋବିନ୍ଦ ଗାଇନ, ମଧୁ ଗାଇନ ଓ ମଦନ ଗାଇନ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ତଳେ ପକାଇ ଠେଙ୍ଗାରେ ପିଟିଥିଲେ । ଚିତ୍କାର ଶୁଣି ତାଙ୍କ ଭାଉଜ ଶଙ୍କରୀ ମଣ୍ଡଳ ଆସି ପହଞ୍ଚି ଯିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରି ଆହତ କରିଥିଲେ । ଏଥିସହିତ ତାଙ୍କ ଭାଇ ଗୋବିନ୍ଦ ମଣ୍ଡଳ, ଦିନବନ୍ଧୁ ମଣ୍ଡଳ, ହେମନ୍ତ ମଣ୍ଡଳ, ଉତମ ମଣ୍ଡଳଙ୍କୁ ମଧ୍ୟ ମାରିଛନ୍ତି । ମାଡରେ ଏତଲାକାରୀ ଭବସିନ୍ଧୁ ଗୁରୁତର ଆହତ ହୋଇ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ଶଙ୍କରୀ ମଣ୍ଡଳଙ୍କର ମୁଣ୍ଡରେ ଗଭୀର ଆଘାତ ହୋଇଥିବାରୁ ସେ କଟକ ବଡ ମେଡିକାଲରେ ଜୀବନ ପାଇଁ ସଂଗ୍ରାମ କରୁଛନ୍ତିି ।

ଅଭିଯୋଗ ପରେ ଅଭିଯୁକ୍ତମାନେ ରାଜନଗର ଥାନାକୁ ଆସିଥିଲେ ମଧ୍ୟ ପୋଲିସ ସେମାନଙ୍କ ବିରୁଦ୍ଧରେ କୈାଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ କିନ୍ତୁ ଘଟଣାର ସରଜମିନ ତଦନ୍ତ କରାଯାଇନଥିବା ଆହତଙ୍କ ଭାଇ ହେମନ୍ତ ମଣ୍ଡଳ ୧୭ତାରିଖ ଦିନ ପୁନର୍ବାର ରାଜନଗର ଥାନାରେ ଏତଲା ଦେଇଛନ୍ତି । ମରଣାନ୍ତକ ଆକ୍ରମଣ ଘଟଣାରେ ସଂପୃକ୍ତ ଥିବା ଆସାମୀମାନେ ଖୋଲାଖୋଲି ଭାବେ ଆହତ ବ୍ୟକ୍ତିମାନଙ୍କ ସଂପର୍କୀୟଙ୍କୁ ଜୀବନରୁ ମାରିଦେବାକୁ ଧମକ ଚମକ ଦେଉଥିବା ହେମନ୍ତ ଅଭିଯୋଗ କରିଛନ୍ତି । ଏ ସଂପର୍କରେ ଗୃହ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ଦୃଷ୍ଟି ଦେବାକୁ ଅଭିଯୋଗକାରୀ ଦାବି କରିଛନ୍ତି ।

Get real time updates directly on you device, subscribe now.