fbpx

ପ୍ରିୟଦର୍ଶିନୀଙ୍କୁ ହତ୍ୟା କରିଛି ଜଗନ୍ନାଥ! ଚିଠି ଓ ବୟାନରୁ ମିଳିଲା ଖିଅ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁ ଚର୍ଚ୍ଚିତ ଭୀମଟାଙ୍ଗି ପ୍ରିୟଦର୍ଶିନୀ ମର୍ଡର୍ ମିଷ୍ଟ୍ରିର ଆଉକିଛି ଗୁମର ଖୋଲିଛି । ସେହି ଏକାଘରୁ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିବା ଅଜଣା ବ୍ୟକ୍ତିଙ୍କ ମିଳିଛି ପରିଚୟ । ସେ ହେଉଛନ୍ତି ଜଗନ୍ନାଥ ପ୍ରଧାନ ଓ ସେ ହିଁ ପ୍ରିୟଦର୍ଶିନୀଙ୍କୁ ହତ୍ୟା କରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଖାଲି ସେତିକି ନୁହେଁ, ହତ୍ୟାକାଣ୍ଡ ଘଟିଥିବା ଘରୁ ଜଗନ୍ନାଥ ଲେଖିଥିବା ଏକ ଚିଠି ମିଳିଛି । ଯେଉଁଥିରେ ସେ ‘ମାରିବି ଓ ମରିବି’ ବୋଲି ଉଲ୍ଲେଖ କରିଥିବା ଜଣାପଡ଼ିଛି ।

ଭୁବନେଶ୍ୱର ଡିସିପି ଉମାଶଙ୍କରଙ୍କ ତଥ୍ୟ ଅନୁସାରେ ହତ୍ୟାକାରୀ ମୃତ ମହିଳାଙ୍କ ସ୍ୱାମୀ ରକେଶ ସାହୁଙ୍କୁ ଭିଡିଓ କଲ କରିଥିଲା । ଏକ ଅଜଣା ନମ୍ବରରୁ ରାକେଶଙ୍କ ହ୍ୱାଟ୍ସଆପକୁ ଭିଡିଓ କଲ ଆସିଥିଲା । ଭିଡିଓ କଲରେ ରାକେଶ ଦେଖିଥିଲେ ସ୍ତ୍ରୀଙ୍କ ରକ୍ତ ଜୁଡୁବୁଡୁ ଶରୀର । ଆଉ ଫୋନ କଲ ପାଇବା ପରେ ଘର ମାଲିକଙ୍କୁ ତୁରନ୍ତ ଅବଗତ କରାଇଥିଲେ । କିନ୍ତୁ ଘର ମାଲିକ ତଳକୁ ଗଲା ବେଳକୁ ଘର ଭିତରୁ ଲକ୍ ରହିଥିଲା । ଘର କବାଟ ଭାଙ୍ଗି ଭିତରକୁ ଯାଇ ଦେଖିବାବେଳକୁ ରାକେଶଙ୍କ ସ୍ତ୍ରୀ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିଲେ । ତେବେ ସୌଭାଗ୍ୟକୁ ୩ ବର୍ଷର କୁନିପୁଅ ମାଲିକଙ୍କ ଉପରଘରକୁ ଚାଲିଯାଇଥିବାରୁ ଜଗନ୍ନାଥର କୋପରୁ ବର୍ତ୍ତିଯାଇଥିବା କୁହାଯାଉଛି ।

ଘଟଣା ସ୍ଥଳରେ ଏୟାର ଫିଲ୍ଡ ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ôଚ ଖୋଳତାଡ଼ କରି କାଢ଼ିଛନ୍ତି କିଛି ଖିଅ । ପୋଲିସର ସୂଚନା ମୁତାବକ ପ୍ରିୟଦର୍ଶିନୀଙ୍କ ବେକ କଟାଯାଇ ତାଙ୍କୁ ହତ୍ୟା କରାଯାଇଛି । ଏଥିସହ ଜଗନ୍ନାଥ ବିଷ ଖାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ । ଅନ୍ୟପଟେ ଉଭୟ ରାକେଶ ଓ ପ୍ରିୟଦର୍ଶିନୀଙ୍କ ମଧ୍ୟରେ ସମ୍ପର୍କ ଖୁବ୍ ଭଲ ଥିବା କହିଛନ୍ତି ରାକେଶଙ୍କ ସାଙ୍ଗ । ସେମାନେ ଭୀମଟାଙ୍ଗି ପ୍ଲଟ ନମ୍ବର ଏ/ଏଲ୧ର ଗ୍ରାଉଣ୍ଡ ଫ୍ଲୋରରେ ଦୀର୍ଘ ୫ ବର୍ଷରୁ ଭଡ଼ାରେ ରହି ଆସୁଥିଲେ । ମୂଳଘର ଯାଜପୁର କୁଆଖିଆ ଅଞ୍ଚଳରେ । ରାକେଶ ଓ ପ୍ରିୟଦର୍ଶିନୀଙ୍କ ୩ ବର୍ଷର ପୁଅ ବେଶ୍ ହସଖୁସିରେ ରହିଥିଲେ । ତେବେ ହଠାତ ଏପରି ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି । ତେବେ ସବୁଠାରୁ ବଡ଼ ପ୍ରଶ୍ନ ଜଗନ୍ନାଥ କିଏ? କଣ ରହିଥିଲା ଚିଠି ଲେଖି ଧମକ ଦେବା ଓ ହତ୍ୟା ପଛର ରହସ୍ୟ? ଏନେଇ ପୋଲିସ୍ ଅଧିକ ଖୋଳତାଡ଼ ଚଳାଇଛି ।

Get real time updates directly on you device, subscribe now.