ଦେଶର ସବୁ ମନ୍ଦିରରେ ଚାଲିଛି ଦାନ ଦୁର୍ନୀତି, ଅଯୋଧ୍ୟା ଓ ବଦ୍ରିନାଥ ପରେ ଏବେ ‘ମା’ ବଗଳାମୁଖୀ’ ମନ୍ଦିରରୁ ଆସିଲା ବଡ଼ ଅଭିଯୋଗ
ଅଯୋଧ୍ୟା ଓ ବଦ୍ରିନାଥ ପରେ ଏବେ ‘ମା’ ବଗଳାମୁଖୀ’ ମନ୍ଦିରରୁ ଆସିଲା ବଡ଼ ଅଭିଯୋଗ
Bagalamukhi Temple: ଅଯୋଧ୍ୟାର ରାମ ମନ୍ଦିର ଏବଂ ଉତ୍ତରାଖଣ୍ଡର ବଦ୍ରିନାଥ ମନ୍ଦିରରେ ଦାନ ଅର୍ଥ ହେରଫେର ଅଭିଯୋଗକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଏବେ ଆଉ ଏକ ପ୍ରସିଦ୍ଧ ଶକ୍ତିପୀଠରୁ ସମାନ ଧରଣର ଆର୍ଥିକ ଅନିୟମିତତା ମାମଲା ସାମ୍ନାକୁ ଆସିଛି ।
ବିଜେପି ଶାସିତ ମଧ୍ୟପ୍ରଦେଶର ଅଗର-ମାଲୱା ଜିଲ୍ଲାରେ ଅବସ୍ଥିତ ପ୍ରସିଦ୍ଧ ‘ମା’ ବଗଳାମୁଖୀ’ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦାନ ପଇସା ଓ ସୁନା-ରୂପା ଗହଣା ହଡ଼ପ କରାଯାଉଥିବା ନେଇ ସାଙ୍ଘାତିକ ଅଭିଯୋଗ ହୋଇଛି । ମାମଲାର ଗମ୍ଭୀରତାକୁ ଦେଖି ଜିଲ୍ଲାପାଳ ପ୍ରୀତି ଯାଦବ ଏକ ୩ ଜଣିଆ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରିଛନ୍ତି ।
ଚାଲିଥିଲା ସମାନ୍ତରାଳ ବେଆଇନ ବ୍ୟବସ୍ଥା
ମିଳିଥିବା ସୂଚନା ଅନୁଯାୟୀ, ମା’ ବଗଳାମୁଖୀ ମନ୍ଦିରର ପରିଚାଳନା ପାଇଁ ସରକାରୀ କମିଟି ରହିଥିଲେ ମଧ୍ୟ ଗତ କିଛି ବର୍ଷ ହେବ ମନ୍ଦିର ପରିସରରେ ଏକ ଅଣ-ପଞ୍ଜୀକୃତ, ବେସରକାରୀ କମିଟି ସମାନ୍ତରାଳ ଭାବେ ସକ୍ରିୟ ରହିଥିଲା । ଏହି ବେଆଇନ କମିଟି ଶ୍ରଦ୍ଧାଳୁଙ୍କଠାରୁ ନଗଦ ଟଙ୍କା ସମେତ ସୁନା ଓ ରୂପା ଅଳଙ୍କାର ଦାନ ଆକାରରେ ଗ୍ରହଣ କରୁଥିଲା ।
ଏଥିପାଇଁ କିଛି ପ୍ରାଇଭେଟ୍ ବ୍ୟାଙ୍କ ଆକାଉଣ୍ଟର ବ୍ୟବହାର କରାଯାଇ ବଡ଼ ଧରଣର ଆର୍ଥିକ ଦୁର୍ନୀତି କରାଯାଉଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ନିର୍ଦ୍ଦିଷ୍ଟ ଅଭିଯୋଗ ହୋଇଥିଲା । କୁହାଯାଉଛି ଯେ, କିଛି ବର୍ଷ ପୂର୍ବେ ଜଣେ ସରକାରୀ ଅଧିକାରୀଙ୍କ ନିକଟତର ଲୋକଙ୍କ ଦ୍ୱାରା ଏହି ବେଆଇନ କମିଟି ଗଠନ କରାଯାଇଥିଲା ।
୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ
ଅଗର-ମାଲୱା ଜିଲ୍ଲାପାଳ ପ୍ରୀତି ଯାଦବ ବୁଧବାର ଦିନ ସୂଚନା ଦେଇଛନ୍ତି ଯେ, ମଙ୍ଗଳବାର ଦିନ ଏହି ତଦନ୍ତ କମିଟି ଗଠନ କରାଯାଇଛି । ଏହି କମିଟିର ନେତୃତ୍ୱ ଜିଲ୍ଲା ପଞ୍ଚାୟତର ସିଇଓ ବି.ଏସ୍. ସୋଲଙ୍କି କରୁଛନ୍ତି । ଅନ୍ୟ ସଦସ୍ୟ ଭାବେ ଜିଲ୍ଲା କୋଷାଗାର ଅଧିକାରୀ ମନୀଷ ସୋଲଙ୍କି ଏବଂ ନଳଖେଡ଼ା ପୌର ପରିଷଦର ସିଏମଓ ମିନି ଅଗ୍ରୱାଲ ସାମିଲ ଅଛନ୍ତି ।
ତଦନ୍ତକାରୀ ଦଳକୁ ତୁରନ୍ତ ମନ୍ଦିର ପରିସର ଯାଞ୍ଚ କରିବା, ବ୍ୟାଙ୍କ ଓ ଦାନ ସମ୍ପର୍କିତ ରେକର୍ଡ ପରୀକ୍ଷା କରିବା, ସଂପୃକ୍ତ ପକ୍ଷଙ୍କ ବୟାନ ରେକର୍ଡ କରିବା ଏବଂ ଆସନ୍ତା ୭ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ତଦନ୍ତ ରିପୋର୍ଟ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ରାଜନୈତିକ ପ୍ରତିକ୍ରିୟା ଓ ସରକାରଙ୍କ ଆଭିମୁଖ୍ୟ
ଏହି ପ୍ରସଙ୍ଗକୁ ନେଇ ମଧ୍ୟପ୍ରଦେଶ ବିଧାନସଭାର ବିରୋଧୀ ଦଳ ନେତା ତଥା ପୂର୍ବତନ ମନ୍ତ୍ରୀ ଉମଙ୍ଗ ସିଙ୍ଘାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ ଏକ ସ୍ୱଚ୍ଛ ତଦନ୍ତ ଦାବି କରିବା ସହ ଶ୍ରଦ୍ଧାଳୁଙ୍କ ଦାନର ସଠିକ୍ ହିସାବ ରଖିବା ଏବଂ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି ।
ଅନ୍ୟପଟେ ମଧ୍ୟପ୍ରଦେଶର ଧାର୍ମିକ ନ୍ୟାସ ଓ ଦେବୋତ୍ତର ମନ୍ତ୍ରୀ ଧର୍ମେନ୍ଦ୍ର ଲୋଧୀ କହିଛନ୍ତି, “ମନ୍ଦିର ପରିଚାଳନା କମିଟି ବାହାରେ ଥିବା କିଛି ବ୍ୟକ୍ତି ଏହି ଅନିୟମିତତା କରିଛନ୍ତି । ଆମ ସରକାର ଦୋଷୀଙ୍କୁ ଆଦୌ ଛାଡ଼ିବେ ନାହିଁ । ତଦନ୍ତ ଚାଲିଛି ଏବଂ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଖୁବ୍ ଶୀଘ୍ର ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।”
ମା’ ବଗଳାମୁଖୀ ମନ୍ଦିରର ମାହାତ୍ମ୍ୟ
ମଧ୍ୟପ୍ରଦେଶର ନଳଖେଡ଼ା ସହରରେ ଅବସ୍ଥିତ ମା’ ବଗଳାମୁଖୀ ମନ୍ଦିର ଦେଶର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ଭାବେ ଜଣାଶୁଣା । ହିନ୍ଦୁ ପରମ୍ପରାରେ ବର୍ଣ୍ଣିତ ୧୦ ମହାବିଦ୍ୟାଙ୍କ ମଧ୍ୟରୁ ମା’ ବଗଳାମୁଖୀ ଅନ୍ୟତମ, ଯାହାଙ୍କୁ ବିଜୟ ଏବଂ ସୁରକ୍ଷାର ଦେବୀ କୁହାଯାଏ ।
ପୌରାଣିକ ମାନ୍ୟତା
ମାନ୍ୟତା ରହିଛି ଯେ, ମହାଭାରତ ଯୁଦ୍ଧ ସମୟରେ କୌରବମାନଙ୍କ ଉପରେ ବିଜୟ ହାସଲ କରିବା ପାଇଁ ଭଗବାନ ଶ୍ରୀକୃଷ୍ଣଙ୍କ ପରାମର୍ଶ କ୍ରମେ ପାଣ୍ଡବ ରାଜା ଯୁଧିଷ୍ଠିର ଏହି ମନ୍ଦିର ପ୍ରତିଷ୍ଠା କରିଥିଲେ ।
ତାନ୍ତ୍ରିକ ଅନୁଷ୍ଠାନ
ଶତ୍ରୁ ନାଶ, ନକାରାତ୍ମକ ଶକ୍ତିର ବିନାଶ ଏବଂ କୋର୍ଟ କଚେରୀ ମାମଲାରେ ବିଜୟ ପାଇଁ ଏଠାରେ ବିଶେଷ ତାନ୍ତ୍ରିକ ପୂଜା ଓ ‘ଲଙ୍କା ଯଜ୍ଞ’ କରାଯାଇଥାଏ । ବିଶେଷ କରି ନିର୍ବାଚନ ସମୟରେ ଦେଶର ବଡ଼ ବଡ଼ ରାଜନେତାମାନେ ନିଜର ବିଜୟ ପାଇଁ ଏହି ମନ୍ଦିରରେ ସ୍ୱେଶାଲ୍ ପୂଜାର୍ଚ୍ଚନା କରାଇଥାନ୍ତି ।


