fbpx

ଫୁଲୁଛି ମହାନଦୀ ପାଣି: ବିଭିନ୍ନ ସ୍ଥାନରେ ଲୋକଙ୍କ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ବନ୍ୟାର ଆଶଙ୍କା ବଢାଇ ଦେଇଛି । ଫଳରେ ବିଭିନ୍ନ ସ୍ଥାନରେ ନଦୀର ଜଳସ୍ତର ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । ହୀରାକୁଦର ୨୬ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିବା ବେଳେ ମହାନଦୀରେ ଜଳସ୍ତର ବଢୁଥିବା ଦେଖାଯାଇଛି । ଜଳସ୍ତର ବୃଦ୍ଧି ପାଇବା ଫଳରେ ଅନେକ ସ୍ଥାନରେ ଘାଇ ହେବା ସହିତ ବନ୍ଧ ଭାଙ୍ଗିବା ଆରମ୍ଭ କଲାଣି । ତେବେ ମହାନଦୀର ବଢୁଥିବା ଜଳସ୍ତରକୁ ଲକ୍ଷ୍ୟ କରି ପ୍ରଶାସନ ଏବେ ପଦକ୍ଷେପ ନେବା ଆରମ୍ଭ କରିଛି । ବିଭିନ୍ନ ସ୍ଥାନରୁ ଲୋକମାନଙ୍କୁ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ତିର୍ତ୍ତୋଲ ବ୍ଲକର ତଳିଆ ଅଞ୍ଚଳରୁ ପ୍ରାୟ ୪୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ବିପଦସଙ୍କୁଳ ଅବସ୍ଥାରୁ ଏମାନଙ୍କୁ ଉଦ୍ଧାର କରାଯାଇ ୪ଟି ସ୍କୁଲରେ ରଖାଯାଇଥିବା ଜଣାଯାଇଛି । ଏନେଇ ତିର୍ତ୍ତୋଲର ବିଡିଓ ସୂଚନା ଦେଇଛନ୍ତି । ସେପଟେ ବଡମ୍ବାର ଶଙ୍ଖାମେରୀ ଗାଁ ନିକଟରେ ମହାନଦୀରେ ଘଳିଆ ପଡିଥିବା ଜଣାଯାଇଛି । ଗାଁରେ ପାଣି ପଶିଯିବାରୁ ଲୋକମାନଙ୍କୁ ସ୍ଥାନୀୟ ହାଇସ୍କୁଲକୁ ସ୍ଥାନାନ୍ତର କରାଯାଇଛି ।

ଅନ୍ୟ ପକ୍ଷରେ ହୀରାକୁଦରେ ମଧ୍ୟ ପାଣି ହୁ ହୁ ହୋଇ ବଢୁଛି । ଉପର ମୁଣ୍ଡରୁ ପ୍ରବଳ ଜଳ ପ୍ରବେଶ ଯୋଗୁଁ ବୃଦ୍ଧି ପାଉଛି ହୀରକାକୁଦର ଜଳସ୍ତର । ସନ୍ଧ୍ୟା ୬ଟା ସୁଦ୍ଧା ହୀରାକୁଦକୁ ୯.୨୧ ଲକ୍ଷ କ୍ୟୁସେକ ଜଳ ପ୍ରବେଶ କରୁଥିବା ଜାଣିବାକୁ ମିଳିଛି । ତେବେ ମୋଟ ୨୬ଟି ଗେଟ ଦେଇ ୪.୫୧ କ୍ୟୁସେକ ଜଳ ନିଷ୍କାସନ ହେଉଛି । ଏହାସହିତ ଡ୍ୟାମରେ ସେକେଣ୍ଡକୁ ପ୍ରାୟ ୫ ଲକ୍ଷ କ୍ୟୁସେକ ଜଳ ବଳକା ଜମି ରହୁଛି ।

Get real time updates directly on you device, subscribe now.