ଦେହ ବେପାର ପାଇଁ ବେଙ୍ଗଲରୁ ଆସିଥିଲେ ରୂପଜୀବୀ; ହେଲେ ଧରାପଡ଼ିଗଲେ

ନାବାଳିକାଙ୍କ ବୟାନ ଆଧାରରେ ପୋଲିସ ସହରର ବିଭିନ୍ନ ହୋଟେଲରେ ମାରାଥନ୍ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ କିନ୍‌ପିନ୍ ଦମ୍ପତି ଦେହଜୀବୀ ଚାଲାଣ କରୁଥିବା ଜାଣିବାକୁ ପାଇଥିଲା

ବଲାଙ୍ଗୀର: ପଶ୍ଚିମ ଓଡ଼ିଶାର ପୁରୁଣା ସହର ହେଉଛି ବଲାଙ୍ଗିର ଟାଉନ। ଏଠାରେ ଦୀର୍ଘ ଦିନ ଧରି ଚାଲିଥିଲା ଦେହ ବେପାର। ଦଲାଲମାନେ ରାଜ୍ୟ ବାହାରୁ ରୂପଜୀବୀଙ୍କୁ ଆଣି ସହରରେ ଗଢ଼ି ଉଠିଥିବା ହୋଟେଲରେ ଚଳାଇଥିଲେ ସେକ୍ସ ରାକେଟ। ଏହାର ନେତୃତ୍ୱ ନେଉଥିଲେ ଏକ ଦମ୍ପତି। ଅଭିଯୋଗ ଅନୁସାରେ ପଶ୍ଚିମବଙ୍ଗରୁ ରୂପଜୀବୀଙ୍କୁ ଆଣି ହୋଟେଲରେ ରଖୁଥିଲେ। ରେଟ୍ ଛିଡ଼ିବା ପରେ ଗ୍ରାହକଙ୍କୁ ପଠାଉଥିଲେ। ଆଉ ମୋଟା ଅଙ୍କର ଟଙ୍କା ରୋଜଗାର କରୁଥିଲେ।

ସେକ୍ସ ରାକେଟର ଏହି ଖେଳ ଖେଳି ଦମ୍ପତି ଭଲ ରୋଜଗାର କରୁଥିଲେ। ହେଲେ ଭାଗ୍ୟକୁ ଦେହ ବେପାରରେ ନିୟୋଜିତ ହୋଇଥିବା ଜଣେ ନାବାଳିକା ଗର୍ଭବତୀ ହୋଇଯାଇଥିଲା। ଏହି ମାମଲା ପୋଲିସ ପାଖରେ ଆସି ପହଞ୍ଚିଲା। ପୋଲିସ ନାବାଳିକାଙ୍କୁ ପଚରାଉଚରା କରିଥିଲା। ଏହା ପରେ ସହରରେ ଚାଲିଥିବା ସେକ୍ସ ରାକେଟର ପର୍ଦ୍ଦାଫାସ ହୋଇଥିଲା। ତା’ପରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଜାଲ ବିଛାଇଥିଲା।

ନାବାଳିକାଙ୍କ ବୟାନ ଆଧାରରେ ପୋଲିସ ସହରର ବିଭିନ୍ନ ହୋଟେଲରେ ମାରାଥନ୍ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ କିନ୍‌ପିନ୍ ଦମ୍ପତି ଦେହଜୀବୀ ଚାଲାଣ କରୁଥିବା ଜାଣିବାକୁ ପାଇଥିଲା। ଏହା ପରେ ପୋଲିସ ବିଭିନ୍ନ ହୋଟେଲରେ ଚଢ଼ାଉ କରି ୯ ଜଣ ଦେହଜୀବୀଙ୍କୁ ଉଦ୍ଧାର କରିଥିଲା। ସେଥିରୁ ଅଧିକାଂଶ ପଶ୍ଚିମବଙ୍ଗର ବୋଲି ଜଣାପଡିଛି।

ପୋଲିସ ଏହି ଘଟଣାରେ ଦମ୍ପତିଙ୍କ ସମେତ ୫ ଜଣ ଗ୍ରାହକଙ୍କୁ ଗିରଫ କରିଛି। ସେମାନଙ୍କ ବିରୋଧରେ ମାମଲା ରୁଜୁ କରି କୋର୍ଟ ସାଲାଣ କରିଛି। ସେମାନେ କେତେଦିନ ହେଲା ଏହି ବେପାର କରୁଥିଲେ, ପୋଲିସ ତାହା ଉପରେ ତଦନ୍ତ ଚଳାଇଛି।