ପୁରୀ ଶ୍ରୀମନ୍ଦିରରେ ଆଜି ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ବିଶ୍ୱପ୍ରସିଦ୍ଧ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଆଜି ସାଧାରଣ ଦର୍ଶନ ୪ ଘଣ୍ଟା ପାଇଁ ଅସ୍ଥାୟୀ ଭାବେ ବନ୍ଦ ରହିବ ବୋଲି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ପକ୍ଷରୁ ସୂଚନା ଦିଆଯାଇଛି।

ଭୁବନେଶ୍ୱର  : ବିଶ୍ୱପ୍ରସିଦ୍ଧ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଆଜି ସାଧାରଣ ଦର୍ଶନ ୪ ଘଣ୍ଟା ପାଇଁ ଅସ୍ଥାୟୀ ଭାବେ ବନ୍ଦ ରହିବ ବୋଲି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଶାସନ ଅନୁଯାୟୀ, ଆଜି ଜ୍ୟେଷ୍ଠ କୃଷ୍ଣ ଚତୁର୍ଥୀ ତିଥି ହୋଇଥିବାରୁ ମହାପ୍ରଭୁଙ୍କର ସ୍ୱତନ୍ତ୍ର ‘ବନକଲାଗି ନୀତି’ ବା ଶ୍ରୀମୁଖ ଶୃଙ୍ଗାର ଅନୁଷ୍ଠିତ ହେବ। ଏହି କାରଣରୁ, ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ରଖାଯିବ। ତେଣୁ ଶ୍ରୀକ୍ଷେତ୍ରକୁ ଆସୁଥିବା ଶ୍ରଦ୍ଧାଳୁମାନେ ଏହି ସମୟକୁ ଦୃଷ୍ଟିରେ ରଖି ନିଜର ଦର୍ଶନ ଯୋଜନା କରିବାକୁ ଅନୁରୋଧ କରାଯାଇଛି, ଯଦ୍ୱାରା ସେମାନେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ।

ସୂଚନାଯୋଗ୍ୟ ଯେ, ପରମ୍ପରା ଅନୁଯାୟୀ ମହାପ୍ରଭୁଙ୍କର ଏହି ଗୁପ୍ତ ବନକଲାଗି ନୀତି ସାଧାରଣତଃ ବୁଧବାର କିମ୍ବା ଗୁରୁବାର ଦିନ କରାଯାଇଥାଏ। ଦ୍ୱିପହର ଧୂପ ସରିବା ପରେ ମନ୍ଦିରର ସମସ୍ତ ଦ୍ୱାର ବନ୍ଦ କରି ଦତ୍ତମହାପାତ୍ର ସେବକମାନଙ୍କ ଦ୍ୱାରା ମହାପ୍ରଭୁ ଏବଂ ତାଙ୍କ ଭାଇଭଉଣୀଙ୍କର ଏହି ସ୍ୱତନ୍ତ୍ର ଗୁପ୍ତ ସେବା ପ୍ରକ୍ରିୟା ସମ୍ପାଦନ କରାଯାଏ।