ବଙ୍ଗଳାରେ ବିଜେପିର ଐତିହାସିକ ବିଜୟ ନେଇ ଅନୁରାଗ ଠାକୁର ଆଶାବାଦୀ

ଜଙ୍ଗଲରାଜ'ର ଅନ୍ତ ହେବ ବୋଲି ଅନୁରାଗ ଠାକୁରଙ୍କ ବଡ଼ ବୟାନ

ନୂଆଦିଲ୍ଲୀ/କଲିକତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୬ର ଅନ୍ତିମ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ଏବେ ରାଜନୈତିକ ବାତାବରଣ ସରଗରମ ହୋଇଛି। କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଅନୁରାଗ ଠାକୁର ଶାସକ ତୃଣମୂଳ କଂଗ୍ରେସ (TMC) ଉପରେ ବର୍ଷିବା ସହ ରାଜ୍ୟରେ ବିଜେପିର ବଡ଼ ବିଜୟ ନେଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଅନୁରାଗ ଠାକୁର କହିଛନ୍ତି ଯେ, ପଶ୍ଚିମବଙ୍ଗର ଜନସାଧାରଣ ଟିଏମସିର ବର୍ଷ ବର୍ଷର କୁଶାସନ, ଦୁର୍ନୀତି ଏବଂ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ କେବେବି କ୍ଷମା କରିବେ ନାହିଁ। ରାଜ୍ୟରେ ଚାଲିଥିବା ‘ଜଙ୍ଗଲରାଜ୍’ର ଅନ୍ତ ଘଟାଇବା ପାଇଁ ଜନତା ବହୁ ସଂଖ୍ୟାରେ ବାହାରି ବିଜେପି ସପକ୍ଷରେ ଭୋଟ୍ ଦେଇଛନ୍ତି ବୋଲି ସେ ଦାବି କରିଛନ୍ତି।

ଅନୁରାଗ ଠାକୁର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପଶ୍ଚିମବଙ୍ଗରେ ଟିଏମସି ସରକାର ସମୟରେ ବେକାରୀ ସମସ୍ୟା ବୃଦ୍ଧି ପାଇଛି ଏବଂ ବେଆଇନ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢ଼ିଚାଲିଛି। ଜନସାଧାରଣ ଏବେ ଶାନ୍ତି ଏବଂ ବିକାଶ ଚାହୁଁଛନ୍ତି, ଯାହା କେବଳ ଭାରତୀୟ ଜନତା ପାର୍ଟି ହିଁ ଦେଇପାରିବ। ଚଳିତ ନିର୍ବାଚନରେ ଭୋଟରଙ୍କ ଅଭୂତପୂର୍ବ ଉତ୍ସାହ ଏବଂ ରେକର୍ଡ ମତଦାନ ହାର ପ୍ରମାଣ କରୁଛି ଯେ ରାଜ୍ୟରେ ଏକ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ସରକାର ଲୋକଙ୍କ ଭରସା ହରାଇ ସାରିଛନ୍ତି ଏବଂ ଆଗାମୀ ଫଳାଫଳରେ ଏହା ସ୍ପଷ୍ଟ ହୋଇଯିବ।

ଅନ୍ୟପକ୍ଷରେ, ବୁଧବାର ସନ୍ଧ୍ୟାରେ ପ୍ରକାଶ ପାଇଥିବା ବିଭିନ୍ନ ଏକଜିଟ୍ ପୋଲ୍ (Exit Polls) ମଧ୍ୟ ବିଜେପି ସପକ୍ଷରେ ପୂର୍ବାନୁମାନ କରିଛନ୍ତି। ‘ଚାଣକ୍ୟ ଷ୍ଟ୍ରାଟେଜି’ର ଆକଳନ ଅନୁସାରେ, ୨୯୪ ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭାରେ ବିଜେପି ୧୫୦ ରୁ ୧୬୦ଟି ଆସନ ପାଇ ବହୁମତ ହାସଲ କରିପାରେ। ସେହିପରି ‘ମାଟ୍ରିଜ୍’ (Matrize) ଏକଜିଟ୍ ପୋଲ୍ ମଧ୍ୟ ବିଜେପିକୁ ୧୪୬ ରୁ ୧୬୧ଟି ଆସନ ମିଳିବ ବୋଲି ପୂର୍ବାନୁମାନ କରିଛି। ଏହାର ବିପରୀତରେ ଶାସକ ଟିଏମସି ୧୨୫ ରୁ ୧୪୦ ଆସନ ମଧ୍ୟରେ ସୀମିତ ରହିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଯଦି ଏହି ପୂର୍ବାନୁମାନ ସତ ହୁଏ, ତେବେ ପଶ୍ଚିମବଙ୍ଗ ଇତିହାସରେ ବିଜେପି ପ୍ରଥମ ଥର ପାଇଁ ନିଜେ ସରକାର ଗଢ଼ିବାରେ ସଫଳ ହେବ।

ନିର୍ବାଚନର ଶେଷ ପର୍ଯ୍ୟାୟରେ ପ୍ରାୟ ୯୦ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି। ପୂର୍ବ ବର୍ଦ୍ଧମାନ, ହୁଗୁଳି ଏବଂ ନଦିଆ ଭଳି ଜିଲ୍ଲାରେ ଭୋଟରମାନେ ବହୁ ସଂଖ୍ୟାରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ତେବେ ନିର୍ବାଚନ ସମୟରେ ଅନେକ ସ୍ଥାନରେ ହିଂସା ଏବଂ ଧସ୍ତାଧସ୍ତିର ଖବର ମଧ୍ୟ ସାମ୍ନାକୁ ଆସିଛି। ଟିଏମସି ସାଂସଦ ମିତାଲି ବାଗ୍ ବିଜେପି କର୍ମୀଙ୍କ ବିରୋଧରେ ଆକ୍ରମଣର ଅଭିଯୋଗ ଆଣିଥିବା ବେଳେ ବିଜେପି ଏହାକୁ ଭିତ୍ତିହୀନ ବୋଲି କହିଛି। ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଆଗାମୀ ମେ ୪ ତାରିଖରେ ଭୋଟ୍ ଗଣତି ହେବାକୁ ଯାଉଛି। ସେହି ଦିନ ହିଁ ସ୍ପଷ୍ଟ ହେବ ଯେ ମମତା ବାନାର୍ଜୀ ନିଜ ଗଡ଼ ରକ୍ଷା କରିବାରେ ସଫଳ ହେଉଛନ୍ତି ନା ବିଜେପି ବଙ୍ଗଳାରେ ଇତିହାସ ରଚୁଛି।