ବାହାଘର ଓ ହୋମଯଜ୍ଞ ପାଇଁ ପୂଜକ କେତେ ଟଙ୍କା ଡିମାଣ୍ଡ କରନ୍ତି?

ଆମେରିକାରେ ବିବାହ ପାଇଁ ପଣ୍ଡିତ ୫୦୧ରୁ ୧୫୦୦ ଡଲାର ଡିମାଣ୍ଡ କରନ୍ତି। ଯାହା ଭାରତୀୟ ମୁଦ୍ରାରେ ୪୭୮୦୦ ଟଙ୍କାରୁ ୧୪୩୫୦୦ ଟଙ୍କା ହେବ

ନ୍ୟୁୟର୍କ: ଆମେରିକାରେ ୩୬ ଲକ୍ଷରୁ ଅଧିକ ହିନ୍ଦୁ ବାସ କରୁଛନ୍ତି। ସେମାନେ ଦେବା ଦେବୀଙ୍କୁ ଆରାଧନା କରନ୍ତି। ଭାରତୀୟ ପର୍ବପର୍ବାଣୀଙ୍କୁ ଧୂମ୍‌ଧାମରେ ପାଳନ କରନ୍ତି। ହେଲେ କେବେ ଭାବିଛନ୍ତି ଆମେରିକା ଭଳି ହାଇଫାଇ ସହରରେ ବାସ କରୁଥିବା ହିନ୍ଦୁମାନେ କେମିତି ପୂଜା କରନ୍ତି? ଏଥିପାଇଁ ସେମାନଙ୍କୁ କେତେ ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ? ପୂଜକ କେତେ ଟଙ୍କା ଡିମାଣ୍ଡ କରନ୍ତି? ତା’ହେଲେ ଆସନ୍ତୁ ଜାଣିବା ଏ ସମ୍ପର୍କରେ।

ଆମେରିକାରେ ପୂଜକଙ୍କ ଖର୍ଚ୍ଚକୁ ନେଇ କଣ୍ଟେଣ୍ଟ କ୍ରିଏଟର ସାଗରିକା ଯାଦବ ଇନ୍‌ଷ୍ଟାଗ୍ରାମରେ କହିଛନ୍ତି; ଆମେରିକାରେ ହିନ୍ଦୁ ପୁରୋହିତଙ୍କ ଫି’ ବହୁତ ଅଧିକ। କୌଣସି ପରିବାର ଘରେ କରୁଥିବା ସାଧାରଣ ସତ୍ୟନାରାୟଣ ପୂଜା ପାଇଁ ପଣ୍ଡିତମାନେ ୩୦୦ରୁ ୩୫୦ ଡଲାର ଡିମାଣ୍ଡ କରନ୍ତି। ଅର୍ଥାତ ଭାରତୀୟ ମୁଦ୍ରାରେ ୨୮,୦୦୦ ରୁ ୩୩,୦୦୦ ପର‌୍ୟ୍ୟନ୍ତ ଫି’ ନିଅନ୍ତି। ଯଦି ପୂଜା ସାମଗ୍ରୀ ପୂଜକ ଆଣିଲେ, ତାହାହେଲେ ଅଲଗା ପଇସା ଦେବାକୁ ପଡ଼ିଥାଏ।

ଆମେରିକାରେ ବିବାହ ପାଇଁ ପଣ୍ଡିତ ୫୦୧ରୁ ୧୫୦୦ ଡଲାର ଡିମାଣ୍ଡ କରନ୍ତି। ଯାହା ଭାରତୀୟ ମୁଦ୍ରାରେ ୪୭୮୦୦ ଟଙ୍କାରୁ ୧୪୩୫୦୦ ଟଙ୍କା ହେବ। ଘରେ କୌଣସି ହୋମଯଜ୍ଞ ପାଇଁ ୧୫୧ରୁ ୩୫୧ ଡଲାର ଡିମାଣ୍ଡ କରନ୍ତି ପଣ୍ଡିତ। ଅର୍ଥାତ ୧୪୪୦୧ରୁ ୩୩୪୭୬ ଟଙ୍କା ଡିମାଣ୍ଡ କରିଥାନ୍ତି।

ସେ ଆହୁରି କହିଛନ୍ତି; ମନ୍ଦିରରେ ପୂଜା କରାଇବା ପାଇଁ ଅଲଗା ଭାବେ ୧୦୦ ରୁ ୧୫୦ ଡଲାର ଅର୍ଥାତ ପ୍ରାୟ ୧୦,୦୦୦ ରୁ ୧୫,୦୦୦ ଟଙ୍କା ଦେବାକୁ ପଡ଼ିଥାଏ। ପୂଜା ସାମଗ୍ରୀ ଭକ୍ତମାନେ ନିଜେ ଆଣିପାରିବେ କିମ୍ବା ଅତିରିକ୍ତ ଟଙ୍କା ଦେଇ ପଣ୍ଡିତଙ୍କୁ ଆଣିବା ପାଇଁ କହିପାରିବେ। ଏହାଛଡ଼ା ଗୃହ ପ୍ରବେଶ, ଧନତେରସ, ଶ୍ରାବଣ ମାସ ଓ ନୂତନ ଗାଡି ପୂଜା ଭଳି ଅବସରରେ ପୁରୋହିତଙ୍କ ଚାହିଦା ବହୁତ ବଢିଯାଏ। ସେଠାରେ ପୂଜକମାନେ ଭଲ ରୋଜଗାର କରନ୍ତି ବୋଲି ସେ କହିଛନ୍ତି।

ତେବେ ଏଠି ପ୍ରଶ୍ନ ଉଠୁଥିବ ପୂଜକମାନେ ଆମେରିକା କେମିତି ଯାଆନ୍ତି? ଏ ସମ୍ପର୍କରେ ସାଗରିକା ଯାଦବ କୁହନ୍ତି, ପଣ୍ଡିତମାନେ ଆର-୧ ଭିସାରେ ଆମେରିକା ଯାଇଥାଆନ୍ତି। ଏଥିପାଇଁ ସେମାନଙ୍କୁ ବହୁ ପରିଶ୍ରମ କରିବାକୁ ପଡ଼ିଥାଏ। ପାଠ ପଢ଼ନ୍ତି ଓ ପରୀକ୍ଷା ଦିଅନ୍ତି। ପରୀକ୍ଷାରେ ପାସ ହେବା ପରେ ସେମାନଙ୍କୁ ଆର୍‌-୧ ଭିସା ମିଳିଥାଏ। ତା’ପରେ ସେମାନେ ଆମେରିକା ଯାଇ ପୂଜା କରିଥାଆନ୍ତି।