‘CJP ଆପ୍‌ର ବି-ଟିମ୍’ ସନ୍ଦେହକୁ ନେଇ ଜବାବ ରଖିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍

CJPକୁ ନେଇ ଉଠୁଥିବା ରାଜନୈତିକ ଦାବି ମଧ୍ୟରେ ଭଗବନ୍ତ ମାନଙ୍କ ସ୍ପଷ୍ଟ ଜବାବ, ଆପ୍‌ ନିଜସ୍ୱ ରାଜନୈତିକ ଦଳ ଏବଂ ଲୋକଙ୍କ ସମର୍ଥନକୁ ନିଜର ‘ଏ-ଟିମ୍’।

ଚଣ୍ଡିଗଡ: ‘କକ୍‌ରୋଚ୍ ଜନତା ପାର୍ଟି’ ଯେ ‘ଆମ୍ ଆଦମୀ ପାର୍ଟି’ର ‘ବି-ଟିମ୍’ ବୋଲି ବଢୁଥିବା ଚର୍ଚ୍ଚା ମଧ୍ୟରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ଏହି ଦାବି ଉପରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ଆପ୍‌ର କୌଣସି ‘ବି-ଟିମ୍’ ନାହିଁ, ବରଂ ଏହା ଦେଶର ୧୪୦ କୋଟି ଭାରତୀୟ ଏବଂ ପଞ୍ଜାବର ୩.୫ କୋଟି ଲୋକଙ୍କ ପାଇଁ ‘ଏ-ଟିମ୍’। ‘ଇଣ୍ଡିଆ ଟୁଡେ’ର ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସମୟରେ ମାନ୍ ଏହି ସ୍ପଷ୍ଟୀକରଣ ଦେଇଥିଲେ।

ସିଜେପି ସହିତ ଦଳର ସମ୍ପର୍କ ବିଷୟରେ ଏକ ପ୍ରଶ୍ନର ଉତ୍ତର ଦେଇ ମାନ୍ କହିଛନ୍ତି ଯେ ଆମ୍ ଆଦମୀ ପାର୍ଟିର ଏହା ସହିତ କୌଣସି ପ୍ରତ୍ୟକ୍ଷ ସମ୍ପର୍କ ନାହିଁ। ସେ ଉଲ୍ଲେଖ କରିଛନ୍ତି ଯେ ଦୀପକେ ନାମକ ଜଣେ ଯୁବକ ୨୦୨୦ ମସିହାରେ ‘ଆପ୍’ର ସୋସିଆଲ୍ ମିଡିଆ ଟିମ୍‌ରେ କାମ କରୁଥିଲେ ଏବଂ ସେଠାରେ ସେ ହାସ୍ୟରସ ଓ ବ୍ୟଙ୍ଗ ମାଧ୍ୟମରେ ରାଜନୈତିକ ବାର୍ତ୍ତା ପହଞ୍ଚାଇବାର କଳା ଶିଖିଥିଲେ, ତେବେ ପରବର୍ତ୍ତୀ ସମୟରେ ସେ ଦଳ ଛାଡ଼ି ଆମେରିକା ଚାଲିଯାଇଥିଲେ।

ରାଜନୈତିକ ବିରୋଧୀଙ୍କୁ ସମାଲୋଚନା କରି ମାନ୍ କହିଛନ୍ତି ଯେ, ବିରୋଧୀ ଦଳଗୁଡ଼ିକ କ୍ରମାଗତ ଭାବେ ‘ଆପ୍’କୁ ଅନ୍ୟ ଦଳ ସହିତ ଯୋଡ଼ିବାକୁ ଚେଷ୍ଟା କରିଆସୁଛନ୍ତି, କେତେବେଳେ ଏହାକୁ କଂଗ୍ରେସର ‘ବି-ଟିମ୍’ତ କେତେବେଳେ ବିଜେପିର ‘ବି-ଟିମ୍’ ବୋଲି ଆଖ୍ୟା ଦେଉଛନ୍ତି। ତଥାପି, ‘ଆପ୍’ର ନିଜସ୍ୱ ସ୍ୱତନ୍ତ୍ର ରାଜନୈତିକ ବିଚାରଧାରା ରହିଛି ଏବଂ ଏହା ପଞ୍ଜାବ ତଥା ଦେଶର ଜନସାଧାରଣଙ୍କ ସହ ଦୃଢ଼ ଭାବେ ଛିଡ଼ା ହୋଇଛି।

ଅନ୍ୟପକ୍ଷରେ, ଦୀପକେ ପୂର୍ବରୁ ଏହି ଅଭିଯୋଗଗୁଡ଼ିକୁ ଖଣ୍ଡନ କରିସାରିଛନ୍ତି। ସେ ଦର୍ଶାଇଛନ୍ତି ଯେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ତାଙ୍କୁ କଂଗ୍ରେସର ‘ବି-ଟିମ୍’ ବୋଲି କହୁଥିବା ବେଳେ ଅନ୍ୟମାନେ ତାଙ୍କୁ ‘ଆପ୍’ର ‘ବି-ଟିମ୍’ ବୋଲି ବର୍ଣ୍ଣନା କରୁଛନ୍ତି। ବିରୋଧୀ ଦଳଗୁଡ଼ିକ ଏକାଠି ବସି ସେ ପ୍ରକୃତରେ କାହାର ‘ବି-ଟିମ୍’ ତାହା ସ୍ଥିର କରିବା ଉଚିତ୍ ବୋଲି ମତ ଦେଇ, ସେ ନିଜକୁ ଛାତ୍ରମାନଙ୍କର ‘ଏ-ଟିମ୍’ ବୋଲି ବର୍ଣ୍ଣନା କରିଛନ୍ତି।