ନିର୍ବାଚନ ପୂର୍ବରୁ କଂଗ୍ରେସରେ ପୋଷ୍ଟର ୱାର: ହାତାହାତି ହେଉଛନ୍ତି କର୍ମୀ!
ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜଳନ୍ଧର ସାଂସଦ ଚରଣଜିତ ସିଂହ ଚନ୍ନୀ ଓ ପଞ୍ଜାବ କଂଗ୍ରେସ ସଭାପତି ଅମରିନ୍ଦର ସିଂହ ରାଜା ୱାଡିଙ୍ଗଙ୍କ ସମର୍ଥକଙ୍କ ମଧ୍ୟରେ ତୀବ୍ର ବିବାଦ ଚାଲିଛି
ନୂଆଦିଲ୍ଲୀ: ୨୦୨୭ ମସିହାରେ ପଞ୍ଜାବରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ହେଲେ ତା’ପୂର୍ବରୁ ଆରମ୍ଭ ହୋଇଛି କଂଗ୍ରେସର ଆଭ୍ୟନ୍ତରୀଣ କନ୍ଦଳ। ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ବୈଠକରେ ଉଡୁଛି ଚେୟାର। ଦଳର ସାଂଗଠନିକ ଅଭିଯାନ ‘ହର ବୁଥ କଂଗ୍ରେସ ମଜବୁତ’ ବର୍ତ୍ତମାନ ଗୋଷ୍ଠୀ ବିବାଦର ଶିକାର ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜଳନ୍ଧର ସାଂସଦ ଚରଣଜିତ ସିଂହ ଚନ୍ନୀ ଓ ପଞ୍ଜାବ କଂଗ୍ରେସ ସଭାପତି ଅମରିନ୍ଦର ସିଂହ ରାଜା ୱାଡିଙ୍ଗଙ୍କ ସମର୍ଥକଙ୍କ ମଧ୍ୟରେ ତୀବ୍ର ବିବାଦ ଚାଲିଛି। ପରିସ୍ଥିତି ଏପରି ହୋଇଛି ଯେ, ବୈଠକ ସମୟରେ ପରସ୍ପର ଉପରକୁ ଚେୟାର ଫିଙ୍ଗୁଛନ୍ତି। ଜୋରଦାର ନାରାବାଜି ହେଉଛି।
ପଞ୍ଜାବର ବିଭିନ୍ନ ଜିଲ୍ଲାରେ ଏବେ ପରସ୍ପର ବିରୋଧରେ ପୋଷ୍ଟର ଲଗାଯାଉଛି। ଫିରୋଜପୁରରେ ଚନ୍ନୀଙ୍କ ବିରୋଧରେ ପୋଷ୍ଟର ଲାଗିଛି। ଯେଉଁଥିରେ ତାଙ୍କୁ ଆରଏସଏସ ସହ ଯୋଡ଼ି ‘ଚନ୍ନୀଙ୍କୁ ହଟାଅ, କଂଗ୍ରେସକୁ ବଞ୍ଚାଅ’ ଭଳି ସ୍ଲୋଗାନ ଲେଖାଯାଇଛି। ଅମୃତସର ଓ ଶ୍ରୀମୁକ୍ତସର ସାହିବରେ ମଧ୍ୟ ଏଭଳି ପୋଷ୍ଟର ଦେଖିବାକୁ ମିଳିଛି। କେତେକ ପୋଷ୍ଟରରେ ପଞ୍ଜାବ କଂଗ୍ରେସର ପ୍ରଭାରୀ ଭୂପେଶ ବଘେଲଙ୍କୁ ବ୍ରିଟିଶ ଶାସନ ସମୟର ଜେନେରାଲ ଡାୟରଙ୍କ ସହ ତୁଳନା କରାଯାଇଛି।
ଅନ୍ୟପକ୍ଷରେ ଭଟିଣ୍ଡାରେ ଚନ୍ନୀ ସମର୍ଥକମାନେ ରାହୁଲ ଗାନ୍ଧୀଙ୍କୁ ଆଗାମୀ ନିର୍ବାଚନରେ ଚନ୍ନୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ଦାବି କରିଛନ୍ତି।
କେଉଁଠୁ ବଢ଼ିଲା ବିବାଦ: ବିବାଦର ଆରମ୍ଭ ସେତେବେଳେ ହୋଇଥିଲା, ଯେତେବେଳେ କଂଗ୍ରେସ ସୁପ୍ରିମୋ ରାଜା ୱାଡିଙ୍ଗଙ୍କୁ ପ୍ରଦେଶ କଂଗ୍ରେସ ସଭାପତି ପଦରେ ବଜାୟ ରଖିଥିଲେ ଓ ଚରଣଜିତ ସିଂହ ଚନ୍ନୀଙ୍କୁ ନିର୍ବାଚନ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଥିଲେ। ଏହା ପରଠାରୁ ଦୁଇ ଗୋଷ୍ଠୀ ମଧ୍ୟରେ ଟଣାଓଟରା ଆରମ୍ଭ ହୋଇଥିଲା। ଅନେକ କର୍ମୀ ଖୋଲାଖୋଲି ଭାବେ ରାଜା ୱାଡିଙ୍ଗଙ୍କୁ ଦୁର୍ବଳ ନେତା ବୋଲି କହୁଛନ୍ତି। ତେବେ ରାଜା ୱାଡିଙ୍ଗଙ୍କ କହିବା ଅନୁସାରେ, ଖୋଲାଖୋଲି ନାରାବାଜି ଗଣତନ୍ତ୍ରର ଏକ ଅଂଶ।
Uttarakhand Govt.
ବୈଠକରେ ହଙ୍ଗାମା: ମୋଗା ସମେତ ଅନ୍ୟାନ୍ୟ ସ୍ଥାନରେ ହୋଇଥିବା ସାଂଗଠନିକ ବୈଠକରେ ଉଭୟ ଗୋଷ୍ଠୀର କର୍ମୀମାନଙ୍କ ମଧ୍ୟରେ ତୀବ୍ର ହଙ୍ଗାମା ଦେଖିବାକୁ ମିଳିଛି। ଅନେକ ସ୍ଥାନରେ ସମର୍ଥକମାନଙ୍କୁ ଧକ୍କା ଦେଇ ବାହାରକୁ କାଢ଼ିବାକୁ ପଡ଼ିଛି। ଲଗାତାର ନାରାବାଜି ଯୋଗୁଁ ଦଳର କାର୍ୟ୍ୟସୂଚୀ ଉପରେ କାମ କରିବା କଷ୍ଟକର ହୋଇପଡ଼ିଛି। ତେବେ ଦଳର ବରିଷ୍ଠ ନେତାମାନେ କ୍ୟାମେରା ସାମ୍ନାରେ ସବୁକିଛି ସ୍ୱାଭାବିକ ବୋଲି ଦାବି କରୁଛନ୍ତି। ସେମାନେ ଏହା ପଛରେ କୌଣସି ବାହ୍ୟ ଷଡ଼ଯନ୍ତ୍ର କିମ୍ବା ‘ସ୍ଲିପର ସେଲ୍’ର ହାତ ଥାଇପାରେ ବୋଲି କହୁଛନ୍ତି।
ରାଜନୈତିକ ବିଶ୍ଳେଷକଙ୍କ ଚିନ୍ତା: ଦଳର ଏହି ଆଭ୍ୟନ୍ତରୀଣ କଳହକୁ ନେଇ ରାଜନୈତିକ ବିଶ୍ଳେଷକମାନେ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ରାଜନୈତିକ ବିଶ୍ଳେଷକ କୁଲଦୀପ ସିଂହଙ୍କ କହିବା ଅନୁସାରେ, ଏହି ଗୋଷ୍ଠୀ କନ୍ଦଳ ଯୋଗୁଁ କଂଗ୍ରେସ ନିଜର ବିଜୟ ସମ୍ଭାବନାକୁ ବଡ଼ ଧରଣର କ୍ଷତି ପହଞ୍ଚାଉଛି। ବିଭିନ୍ନ ଗୋଷ୍ଠୀର ନେତାମାନେ ଭାବୁଛନ୍ତି ଯେ ପଞ୍ଜାବରେ କଂଗ୍ରେସର ବିଜୟ ନିଶ୍ଚିତ। ହେଲେ ଗୋଷ୍ଠୀ କନ୍ଦର ବିଜୟରେ ପ୍ରତିବନ୍ଧକ ସାଜିଛି।
ପଞ୍ଜାବରେ ପରିସ୍ଥିତି ଏତେ ଜଟିଳ ହୋଇପଡ଼ିଛି ଯେ, ଉଭୟ ପକ୍ଷ ପରସ୍ପର ବିରୋଧରେ ପୁଲିସରେ ଅଭିଯୋଗ ଦାଖଲ କରିଛନ୍ତି। ରାଜନୈତିକ ବିଶେଷଜ୍ଞମାନଙ୍କ ମତରେ, ଦଳର ନେତାମାନଙ୍କ ଉପରେ ସୁପ୍ରିମୋଙ୍କ ନିୟନ୍ତ୍ରଣ ଦୁର୍ବଳ ହୋଇପଡ଼ିଛି। ଯଦି ଏହି କନ୍ଦଳକୁ ଶୀଘ୍ର ରୋକା ନଯାଏ, ତେବେ ୨୦୨୨ ବିଧାନସଭା ନିର୍ବାଚନ ଭଳି ପରିସ୍ଥିତି ପୁଣି ଦେଖାଦେଇପାରେ।

