fbpx

ଅଣ୍ଡା ଚୋରି କରି ସସପେଣ୍ଡ ହେଲେ ହେଡ୍ କନେଷ୍ଟବଳ, ଭିଡିଓ ଭାଇରାଲ୍

ପଞ୍ଜାବ, ୧୬/୦୫(ଓଡିଶା ଭାସ୍କର): କିଛି ଦିନ ହେବ ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ ଜଣେ ପୋଲିସ୍ କର୍ମଚାରୀ ଅଣ୍ଡା ଚୋରି କରୁଥିବା ଦେଖିବାକୁ ମିଳିଛି । ଉକ୍ତ ପୋଲିସ୍ ଜଣକ ପଞ୍ଜାବ ଫତେଗଡ ସାହିବ୍ ଟାଉନର ହେଡ୍ କନେଷ୍ଟବଳ ହୋଇଥିବା ବେଳେ ତାଙ୍କ ନାଁ ହେଉଛି ପ୍ରୀତିପାଲ୍ ସିଂ ବୋଲି ସୂଚନା ମିଳିଛି । ତେବେ ଭାଇରାଲ୍ ଭିଡିଓରେ ସେ ଅଣ୍ଡା ଚୋରି କରୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓଟି ଭାଇରାଲ୍ ହେବା ପରେ ତାଙ୍କୁ ପଞ୍ଜାବ ପୋଲିସ୍ ପକ୍ଷରୁ ସସପେଣ୍ଡ କରି ଦିଆଯାଇଛି । ତାଙ୍କ ଭିଡିଓକୁ ପଞ୍ଜାବ ପୋଲିସ୍ ଟୁଇଟ୍ କରି ସସପେଣ୍ଡ କରାଯାଇଥିବା ନେଇ ସୂଚନା ଦେଇଛି ।

ଉକ୍ତ ଭିଡିଓରେ ଦେଖିବାକୁ ମିଳିଛି ଯେ, ହେଡ୍ କନେଷ୍ଟବଳ ଜଣକ ଏକ ବ୍ୟସ୍ତବହୁଳ ରୋଡ୍ ସାଇଡ୍ ରେ ଥିବା ଏକ ଗାଡିରେ ଅଣ୍ଡା ରଖାଯାଇଥିବା ବେଳେ ସେ ସେହି ଗାଡି ପାଖରେ ଠିଆ ହୋଇଛନ୍ତି । ଆଉ ଗୋଟିଏ ଗୋଟିଏ ଅଣ୍ଡା ଗାଡିରୁ ଆଣି ନିଜ ପକେଟରେ ରଖୁଛନ୍ତି । ତାକୁ ପୁଣି କିଏ କାଳେ ଦେଖୁଥିବ ବୋଲି ଏପଟେ ସେପଟେ ଖୁବ୍ ଯତ୍ନ ସହକାରେ ଚାହୁଁଛନ୍ତି । ଅଣ୍ଡା ପକେଟରେ ରଖିବା ଭିତରେ ଉକ୍ତ ଅଣ୍ଡା ଗାଡିର ଡ୍ରାଇଭର୍ ଆସି ପହଞ୍ଚି ଯାଉଛନ୍ତି । ଆଉ ହେଡ୍ କନେଷ୍ଟବଲ୍ ଜଣକ କିଛି ନ ଜାଣିଲା ପରି ସେଠାରୁ ଚାଲି ଯାଉଛନ୍ତି ।

ଏହି ସମୟରେ କେହି ଜଣେ ତାଙ୍କ ଭିଡିଓକୁ ତାଙ୍କ ଫୋନ୍ ରେ ରେକର୍ଡ କରିଛନ୍ତି । ଆଉ ତାକୁ ସୋସିଆଲ ମିଡିଆରେ ଭାଇରାଲ୍ କରିଛନ୍ତି । ପୋଲିସ୍ ଏହି ଭିଡିଓର ଯାଞ୍ଚ କରି ହେଡ୍ କନେଷ୍ଟବଳ କୁ ସସପେଣ୍ଡ କରି ଦେଇଛନ୍ତି ।

Get real time updates directly on you device, subscribe now.