fbpx

ଏହି ବଡ଼ ଭୁଲ ପାଇଁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଟାର୍ଗେଟରେ ଥିଲେ ସଲମାନ ଖାନ୍

ମୁମ୍ବାଇ: ଆତତାୟୀଙ୍କ ଟାର୍ଗେଟରେ ଥିଲେ ବଲିଉଡର ଭାଇଜାନ ସଲମାନ ଖାନ । ପଞ୍ଜାବୀ ଗାୟକ ସିଦ୍ଧୁ ମୋସେୱାଲାଙ୍କ ହତ୍ୟା ପରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପୁଣି ଥରେ ସଲମାନ ଖାନଙ୍କୁ ହତ୍ୟା ଧମକ ଦେଇଥିଲେ। ଏନେଇ ସୋମବାର ପଚରାଉଚରା ପାଇଁ ମୁମ୍ବାଇ ପୋଲିସର ଏକ ଟିମ୍ ସଲମାନ ଖାନଙ୍କ ଘରେ ପହଞ୍ଚିଥିଲା। ଘଟଣାରେ ମୁମ୍ବାଇ ପୋଲିସ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିବା ପରେ ବାହାରକୁ ଆସିଛି। ଯଦିଓ ମୁମ୍ବାଇ ପୋଲିସ ଏହାକୁ ଏକ ନିତିଦିନିଆ ପ୍ରକ୍ରିୟା ବୋଲି କହିଛି। କିନ୍ତୁ ହତ୍ୟା ଧମକ ପରେ ସଲମାନ ଖାନଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କରି ଦିଆଯାଇଛି ।

ଅନ୍ୟପକ୍ଷେ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ସୁଟର ଦୀପକ ମୁଣ୍ଡି ଗିରଫ ହେବା ପରେ ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି ।ଏନେଇ ଡିଜିପି ଗୌରବ ଯାଦବ ପ୍ରେସମିଟ କରି ସୂଚନା ଦେଇଛନ୍ତି ଯେ, ଶନିବାର ଦିନ ପଞ୍ଜାବ ପୋଲିସ ପଶ୍ଚିମବଙ୍ଗ-ନେପାଳ ସୀମାରୁ ଦୀପକ ମୁଣ୍ଡିଙ୍କ ସମେତ ତାଙ୍କର ଦୁଇ ସହଯୋଗୀ କପିଲ ପଣ୍ଡିତ ଏବଂ ରାଜନ୍ଦର ଜୋକରଙ୍କୁ ଗିରଫ କରିଥିଲା । ଏହାପରେ ସଲମାନ ଖାନଙ୍କୁ ହତ୍ୟା କରିବା ନେଇ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଓ ଗୋଲ୍ଡି ବ୍ରାର ମିଳିତ ଭାବେ ହତ୍ୟା ଯୋଜନା କରିଥିବା ସତ୍ୟ ସାମ୍ନାକୁ ଆସିଥିଲା । କୃଷ୍ଣସାର ମୃଗ ଶିକାର ଘଟଣାରେ ବଲିଉଡ ସୁପରଷ୍ଟାର ସଲମାନ ଖାନ, ଲରେନ୍ସ ବିଷ୍ଣୋଇଙ୍କ ଟାର୍ଗେଟରେ ଆସିଥିଲେ ।

ଡିଜିପି ଗୌରବ ଯାଦବ କହିଛନ୍ତି, “ଏହି ଅଭିଯୁକ୍ତମାନେ ନେପାଳରୁ ଦୁବାଇକୁ ପଳାଇ ଯିବାକୁ ଚେଷ୍ଟା କରୁଥିଲେ। ସେମାନଙ୍କର ପରବର୍ତ୍ତୀ ଟାର୍ଗେଟ ଥିଲେ ବଲିଉଡ ଅଭିନେତା ସଲମାନ ଖାନ। ସେହିଭଳି ଏପର୍ଯ୍ୟନ୍ତ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ୨୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ମୋଟାମୋଟି ଭାବେ ଏହି ମାମଲାରେ ୩୩ ଜଣଙ୍କ ନାମ ରହିଛି। ଅନ୍ୟପକ୍ଷେ ଏନକାଉଣ୍ଟରରେ ଦୁଇ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଛି।

ଏହି ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ପୋଲିସ ଚଣ୍ଡିଗଡ଼କୁ ଆଣିଥିଲା। ସେମାନଙ୍କୁ ମାନସା କୋର୍ଟରେ ହାଜର କରାଯାଇଥିଲା। ଏହି ହତ୍ୟାକାଣ୍ଡରେ ବୋଲେରୋ ଏବଂ କରୋଲା ଗାଡି ବ୍ୟବହାର କରାଯାଇଥିଲା। ଦୀପକ ମୁଣ୍ଡି ଏହି ହତ୍ୟାକାଣ୍ଡର ଏକ ମୁଖ୍ୟ ଅଂଶ ଥିଲେ। କପିଲ ପଣ୍ଡିତ ଏବଂ ରାଜିନ୍ଦର ଜୋକର ଅସ୍ତ୍ରଶସ୍ତ୍ର ଯୋଗାଇ ଗ୍ୟାଙ୍ଗଷ୍ଟରମାନଙ୍କୁ ଲୁଚାଇବାରେ ସାହାଯ୍ୟ କରିଥିଲେ। ମେ ୨୯ରେ ପଞ୍ଜାବର ମାନସା ଜିଲ୍ଲାରେ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରାଯାଇଥିଲା। ଗାୟକଙ୍କ ହତ୍ୟା ପରେ ସଲମାନ ଖାନଙ୍କୁ ମଧ୍ୟ ହତ୍ୟା ଧମକ ଦିଆଯାଇଥିଲା। ଏହା ପରେ ପୋଲିସ ତାଙ୍କ ଘରର ସୁରକ୍ଷାକୁ ବଢ଼ାଇ ଦେଇଥିଲା।

Get real time updates directly on you device, subscribe now.