ହବିଷ୍ୟାଳିଙ୍କ ପାଇଁ କିପରି କରିବେ ଅନଲାଇନ୍ ପଞ୍ଜୀକରଣ, ଜାଣନ୍ତୁ ସବୁ ତଥ୍ୟ

ହବିଷ୍ୟାଳି-୨୦୨୬ ପାଇଁ ଅକ୍ଟୋବର ୬ ତାରିଖରୁ ଅନଲାଇନ୍ ପଞ୍ଜୀକରଣ ଆରମ୍ଭ ହେବ।

ପୁରୀ: ହବିଷ୍ୟାଳି-୨୦୨୬ ପାଇଁ ଅକ୍ଟୋବର ୬ ତାରିଖରୁ ଅନଲାଇନ୍ ପଞ୍ଜୀକରଣ ଆରମ୍ଭ ହେବ। ରାଜ୍ୟର ବିଭିନ୍ନ ଅଞ୍ଚଳର ଯୋଗ୍ୟ ଆବେଦନକାରୀମାନେ ସରକାରୀ ୱେବସାଇଟ୍‌ରେ ଆବେଦନ କରିପାରିବେ। ଏନେଇ ପୁରୀ ଅତିରିକ୍ତ ଜିଲ୍ଲାପାଳ (ଏଡିଏମ୍‌) ସୂଚନା ଦେଇଛନ୍ତି।

ଆଜି ସର୍କିଟ୍ ହାଉସ୍‌ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏଡିଏମ୍ କହିଛନ୍ତି ଯେ, ୫୦ରୁ ୭୦ ବର୍ଷ ବୟସର ବିଧବା ମହିଳାମାନେ ହବିଷ୍ୟାଳି ଯୋଜନା ପାଇଁ ଆବେଦନ କରିପାରିବେ। ଅକ୍ଟୋବର ୬ ତାରିଖ ସକାଳ ୧୦ଟାରୁ ନଭେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ଅନଲାଇନ୍ ଆବେଦନ କରାଯାଇପାରିବ।

ଚଳିତ ବର୍ଷ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ଥିବା ମୋଟ ୨,୫୦୦ ଜଣ ହବିଷ୍ୟାଳିଙ୍କୁ ଚୟନ କରାଯିବ। ତେବେ ନୂଆ ଆବେଦନକାରୀଙ୍କୁ ଚୟନରେ ପ୍ରାଥମିକତା ଦିଆଯିବ ବୋଲି ଏଡିଏମ୍ କହିଛନ୍ତି।

ଚୟନ ହେବାକୁ ଥିବା ହବିଷ୍ୟାଳିଙ୍କ ରହିବା ପାଇଁ ତିନୋଟି ସ୍ଥାନରେ ବ୍ୟବସ୍ଥା କରାଯିବ। ଏଥିରେ ବୃନ୍ଦାବତୀ ନିବାସ, ପୌରପାଳିକା କଲ୍ୟାଣ ମଣ୍ଡପ ଓ ରେଳୱେ ଟୁରିଷ୍ଟ କମ୍ପ୍ଲେକ୍ସ ରହିଛି। ଏଠାରେ ହବିଷ୍ୟାଳିମାନଙ୍କୁ ମାଗଣା ରହିବା ସୁବିଧା, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ଦର୍ଶନ ଓ ମାଗଣା ମହାପ୍ରସାଦ ଯୋଗାଇ ଦିଆଯିବ।

ଏହାସହ ହବିଷ୍ୟାଳିମାନଙ୍କ ରହଣି ଓ ଶ୍ରୀଜଗନ୍ନାଥ ମନ୍ଦିର ଦର୍ଶନ ଯେପରି ସୁବିଧାଜନକ ହୁଏ, ସେଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯିବ। ସେମାନଙ୍କ ସହାୟତା ପାଇଁ ସ୍ୱେଚ୍ଛାସେବୀ ନିୟୋଜିତ ହେବେ। ଏଥିସହ ସ୍ୱାସ୍ଥ୍ୟସେବା, ଭଜନ ଓ କୀର୍ତ୍ତନ ପାଇଁ ମଧ୍ୟ ଆବଶ୍ୟକ ବ୍ୟବସ୍ଥା କରାଯିବ।

ଚଳିତ ବର୍ଷ ହବିଷ୍ୟାଳି ଯୋଜନାକୁ ସଫଳ କରିବା ପାଇଁ ସମସ୍ତ ସମ୍ପୃକ୍ତ ବିଭାଗ ପରସ୍ପର ସମନ୍ୱୟ ରଖି କାର୍ଯ୍ୟ କରିବେ ବୋଲି ଏଡିଏମ୍ ସୂଚନା ଦେଇଛନ୍ତି।