ରଥଯାତ୍ରା ଲାଗି ଭକ୍ତ ପାଇଁ ଚାଲିବ ସ୍ପେଶାଲ ଟ୍ରେନ, ବଣ୍ଟାଯିବ ମାଗଣା ଖାଦ୍ୟ, ରେଳବାଇର ବ୍ୟାପକ ପ୍ରସ୍ତୁତି
ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଲକ୍ଷ ଲକ୍ଷ ଭକ୍ତ ଆସିବାର ସମ୍ଭାବନା ଥିବାରୁ, ପୂର୍ବତଟ ରେଳବାଇ (ECoR) ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଭକ୍ତମାନଙ୍କ ଯାତ୍ରାକୁ ନିରାପଦ, ସୁଗମ ଓ ଆରାମଦାୟକ କରିବା ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ, ଯାତ୍ରୀ ସୁବିଧାରେ ବୃଦ୍ଧି, କଡ଼ା ସୁରକ୍ଷା ବ୍ୟବସ୍ଥା ଏବଂ ଭିଡ଼ ନିୟନ୍ତ୍ରଣ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି।
ଭୁବନେଶ୍ୱର, ଜୁଲାଇ ୧୫: ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ (ଇଷ୍ଟ କୋଷ୍ଟ ରେଳବାଇ ECoR) ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଭକ୍ତମାନଙ୍କ ଯାତ୍ରାକୁ ସୁରକ୍ଷିତ, ସୁବିଧାଜନକ ଏବଂ ସୁଚାରୁ ଭାବେ ପରିଚାଳନା କରିବା ପାଇଁ ସ୍ୱତନ୍ତ୍ର ସ୍ପେଶାଲ୍ ଟ୍ରେନ୍, ଯାତ୍ରୀ ସୁବିଧା ବୃଦ୍ଧି, କଡ଼ା ସୁରକ୍ଷା ବ୍ୟବସ୍ଥା ଓ ଜନଗହଳି ପରିଚାଳନାର ବ୍ୟବସ୍ଥା କରାଯାଇଛି।
ରଥଯାତ୍ରା ସମୟରେ ଅତିରିକ୍ତ ଯାତ୍ରୀ ଚାପକୁ ସମ୍ଭାଳିବା ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଏବଂ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନକୁ ପୁରୀ ସହ ସଂଯୋଗ କରୁଥିବା ବହୁ ସଂଖ୍ୟକ ସ୍ପେଶାଲ୍ ଟ୍ରେନ୍ ଚଳାଚଳ କରିବ। ଏହି ଟ୍ରେନ୍ଗୁଡ଼ିକ ରାଉରକେଲା, ବିରମିତ୍ରପୁର, ବାଙ୍ଗିରିପୋଷି, ଜୁନାଗଡ଼ ରୋଡ୍, ବଡ଼ମପାହାଡ଼, ବୌଦ୍ଧ, ଜଗଦଲପୁର, ବାଲେଶ୍ୱର, ଅନୁଗୁଳ, ଗୁଣୁପୁର, ରାୟଗଡ଼ା, ପାରାଦୀପ, ଭଦ୍ରକ, କେନ୍ଦୁଝର, ଦଶପଲ୍ଲା, ଖୋର୍ଦ୍ଧା ରୋଡ୍, ସମ୍ବଲପୁର, ତାଳଚେର, କଟକ, ବ୍ରହ୍ମପୁର, ଢେଙ୍କାନାଳ, ବଡ଼ବିଲ, ପଳାସା, ବିଶାଖାପାଟଣା, ଗୋଣ୍ଡିଆ ଓ ସାନ୍ତ୍ରାଗାଛି ଭଳି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରୁ ଚଳାଚଳ କରିବ। ଯାତ୍ରୀଙ୍କ ସଂଖ୍ୟା ଉପରେ ନିରନ୍ତର ନଜର ରଖାଯିବ ଏବଂ ଆବଶ୍ୟକ ହେଲେ ଅଧିକ ସ୍ପେଶାଲ୍ ଟ୍ରେନ୍ ମଧ୍ୟ ଚଳାଚଳ କରାଯିବ।
ପୁରୀ ରେଳ ଷ୍ଟେସନରେ ବହୁ ସଂଖ୍ୟକ ଭକ୍ତଙ୍କୁ ସୁଚାରୁ ଭାବେ ପରିଚାଳନା କରିବା ପାଇଁ ପ୍ରାୟ ୩୦ ହଜାର ଯାତ୍ରୀଙ୍କ କ୍ଷମତା ବିଶିଷ୍ଟ ଅସ୍ଥାୟୀ ଅପେକ୍ଷା ସ୍ଥଳ ଏବଂ ମେଳା ଶେଡ୍ ପ୍ରସ୍ତୁତ କରାଯାଇଛି। ଏଠାରେ ଛାୟାଯୁକ୍ତ ବସିବା ସ୍ଥାନ, ଏୟାର କୁଲିଂ ବ୍ୟବସ୍ଥା ସହିତ ଜର୍ମାନ୍ ହ୍ୟାଙ୍ଗର ଶେଡ୍ ଓ ଗ୍ରୀଷ୍ମ ପ୍ରବାହରୁ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା ରହିଛି।
ଯାତ୍ରୀଙ୍କ ସୁବିଧା ପାଇଁ ପୁରୀ ଷ୍ଟେସନରେ ୧୨୯ଟି ମଡ୍ୟୁଲାର ଶୌଚାଳୟ, ୬୮ଟି ସ୍ନାନଘର, ୬୫ଟି ପାନୀୟ ଜଳ ବୁଥ୍, ୧୦ଟି ଥଣ୍ଡା ପାଣି ପଏଣ୍ଟ ଏବଂ ସମଗ୍ର ଷ୍ଟେସନ ପରିସରରେ ମାଗଣା ୱାଇ-ଫାଇ ସୁବିଧା ଉପଲବ୍ଧ କରାଯାଇଛି। ଜରୁରୀ ଚିକିତ୍ସା ପାଇଁ ୨୪ ଘଣ୍ଟା କାର୍ଯ୍ୟକ୍ଷମ ତିନୋଟି ମେଡିକାଲ୍ ଓ ପ୍ରାଥମିକ ଚିକିତ୍ସା କେନ୍ଦ୍ର ସହ ଆମ୍ବୁଲାନ୍ସ ସେବା ମଧ୍ୟ ରହିବ। ଏହା ସହ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଓ ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ପ୍ରାୟ ୩.୫ ଲକ୍ଷ ଭକ୍ତଙ୍କୁ ମାଗଣା ଭୋଜନ ବଣ୍ଟନ କରାଯିବ।
ବୟସ୍କ ଓ ଦିବ୍ୟାଙ୍ଗ ଯାତ୍ରୀଙ୍କ ସୁବିଧା ପାଇଁ ବ୍ୟାଟେରି ଚାଳିତ ଗାଡ଼ି ଏବଂ ସ୍ୱତନ୍ତ୍ର ହ୍ୱିଲଚେୟାର ବ୍ୟବସ୍ଥା କରାଯାଇଛି। ଟିକେଟ୍ କାଉଣ୍ଟରରେ ଭିଡ଼ କମାଇବା ପାଇଁ ୪୦ଟି ବୁକିଂ କାଉଣ୍ଟର, ୧୨ଟି ଅଟୋମେଟିକ୍ ଟିକେଟ୍ ଭେଣ୍ଡିଂ ମେସିନ୍ (ATVM), ୩୨ଟି ମୋବାଇଲ୍ ଅନରିଜର୍ଭଡ୍ ଟିକେଟିଂ ସିଷ୍ଟମ୍ (MUTS) ଏବଂ ଅତିରିକ୍ତ ୨୧ଟି ଷ୍ଟେସନରେ ଟିକେଟ୍ ବୁକିଂ ସୁବିଧା ରଖାଯାଇଛି।
Uttarakhand Govt.
ରଥଯାତ୍ରା ସମୟରେ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏଥିରେ ୭୫୮ ଜଣ ରେଳ ସୁରକ୍ଷା ବଳ (RPF) କର୍ମଚାରୀ, ୧,୫୦୦ ଜଣ ସରକାରୀ ରେଳ ପୁଲିସ (GRP), ୧୦୦ ଜଣ ସିଭିଲ୍ ଡିଫେନ୍ସ ସ୍ୱେଚ୍ଛାସେବୀ, ସ୍କାଉଟ୍ସ ଏବଂ ଗାଇଡ୍ସ ନିୟୋଜିତ ହୋଇଛନ୍ତି। ଏହାଛଡ଼ା ୨୫୦ଟି ସିସିଟିଭି କ୍ୟାମେରା, ୪ଟି ଡ୍ରୋନ୍, ୧୦ଟି ସ୍ନିଫର ଡଗ୍ ଓ ୩ଟି ଅଗ୍ନିଶମ ଗାଡ଼ି ମଧ୍ୟ ମୁତୟନ କରାଯାଇଛି।
ରଥଯାତ୍ରା ସମୟରେ ଟ୍ରେନ୍ ଚଳାଚଳ, ଯାତ୍ରୀଙ୍କ ଗତିବିଧି ଓ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବା ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ଏକ ସ୍ୱତନ୍ତ୍ର ‘ୱାର୍ ରୁମ୍’ ସ୍ଥାପନ କରାଯାଇଛି। ବରିଷ୍ଠ ରେଳ ଅଧିକାରୀମାନେ ୨୪ ଘଣ୍ଟା ସିସିଟିଭି ଓ ଡ୍ରୋନ୍ ମାଧ୍ୟମରେ ପରିସ୍ଥିତି ଉପରେ ନଜର ରଖିବା ସହ ଜରୁରୀ ସ୍ଥିତିରେ ତୁରନ୍ତ ପଦକ୍ଷେପ ନେବେ।
ପରିଷ୍କାର-ପରିଚ୍ଛନ୍ନତା ପାଇଁ ୪୩୦ ଜଣ ସଫେଇ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ସେମାନଙ୍କ ସହାୟତା ପାଇଁ ସ୍ୱେରେଜ୍ ସକ୍ସନ୍ ଭେହିକଲ୍, ଅଳିଆ ସଂଗ୍ରହ ଗାଡ଼ି, ଇଣ୍ଡଷ୍ଟ୍ରିଆଲ୍ ଭାକ୍ୟୁମ୍ କ୍ଲିନର ଓ ଜେଟ୍ କ୍ଲିନିଂ ମେସିନ୍ ବ୍ୟବହାର କରାଯିବ। ଯାତ୍ରୀଙ୍କୁ ତୁରନ୍ତ ସୂଚନା ଦେବା ପାଇଁ ଷ୍ଟେସନରେ ୧୫ଟି LED ଭିଡିଓ ୱାଲ୍, ୬୦ଟି ପବ୍ଲିକ୍ ଆନାଉନ୍ସମେଣ୍ଟ ସ୍ପିକର ଏବଂ GPS ସଂଯୁକ୍ତ ଘଣ୍ଟା ସ୍ଥାପନ କରାଯାଇଛି।
ରଥଯାତ୍ରା ପୂର୍ବରୁ ପୁରୀ ରେଳ ଷ୍ଟେସନରେ ଅନେକ ଭିତ୍ତିଭୂମି ବିକାଶ କାର୍ଯ୍ୟ ଶେଷ କରାଯାଇଛି। ନୂତନ ଟର୍ମିନାଲ୍ ଭବନର ତଳ ମହଲା ଦେଇ ଯାତ୍ରୀ ଚଳାଚଳ ବ୍ୟବସ୍ଥାକୁ ସୁଧାରାଯାଇଥିବା ବେଳେ ପର୍ଯ୍ୟଟକ କମ୍ପ୍ଲେକ୍ସରେ ଅତିରିକ୍ତ ଦୁଇଟି ମହଲା ନିର୍ମାଣ କରାଯାଇଛି। ହୋଲ୍ଡିଂ ଏରିଆ ଓ ଷ୍ଟେସନ ପ୍ରବେଶ ପଥର ପରିଚାଳନାକୁ ମଧ୍ୟ ଅଧିକ ସୁସଂଗଠିତ କରାଯାଇଛି।
ପୂର୍ବତଟ ରେଳବାଇ ସମସ୍ତ ଭକ୍ତଙ୍କୁ ସୁରକ୍ଷିତ ଯାତ୍ରା କରିବାକୁ ଅନୁରୋଧ କରିଛି। ଫୁଟବୋର୍ଡ, ବଫର କିମ୍ବା ଟ୍ରେନ୍ ଛାତ ଉପରେ ଯାତ୍ରା ନ କରିବା, ଅପରିଚିତ ବ୍ୟକ୍ତିଙ୍କ ଠାରୁ ଖାଦ୍ୟ କିମ୍ବା ପାନୀୟ ଗ୍ରହଣ ନ କରିବା ଏବଂ କୌଣସି ସନ୍ଦେହଜନକ କିମ୍ବା ମାଲିକବିହୀନ ସାମଗ୍ରୀ ଦେଖିଲେ ତୁରନ୍ତ ରେଳ କର୍ମଚାରୀ କିମ୍ବା ସୁରକ୍ଷା ବଳକୁ ସୂଚନା ଦେବାକୁ ପରାମର୍ଶ ଦିଆଯାଇଛି। ଏହାସହ ଯାତ୍ରା ଆରମ୍ଭ ପୂର୍ବରୁ ଅଧିକୃତ ରେଳବାଇ ପ୍ଲାଟଫର୍ମରେ ଟ୍ରେନ୍ ସମୟସୂଚୀ ଓ ସଂରକ୍ଷଣ ସ୍ଥିତି ଯାଞ୍ଚ କରିବାକୁ ମଧ୍ୟ ଯାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି।

