fbpx

କମୁଛି କୋଭିଡ୍ ସଂକ୍ରମଣ, ଫେବୃଆରୀରେ ଭକ୍ତଙ୍କୁ ଦର୍ଶନ ଦେବେ କି ମହାପ୍ରଭୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଭିଡ୍ ପାଇଁ ବନ୍ଦ ରହିଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଖୁବଶୀଘ୍ର ଖୋଲିପାରେ । ପୁରୀ ଜିଲ୍ଲାରେ କୋଭିଡ୍ ସଂକ୍ରମଣ ହ୍ରାସ ପାଇବା ପରେ ଏନେଇ ବିଚାର ଆରମ୍ଭ ହୋଇଯାଇଛି । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦର ଦର୍ଶନ ବନ୍ଦ ନେଇ କଟକଣା ବଳବତ୍ତର ରହିଥିବାରୁ ସଂକ୍ରମଣ ସ୍ଥିତି ଦେଖି ନିଷ୍ପତ୍ତି ନିଆଯାଇପାରେ । ଅପରପକ୍ଷେ ସେବାୟତଙ୍କ ସଂକ୍ରମଣ ରୋକିବା ପାଇଁ ସେମାନଙ୍କୁ ବୁଷ୍ଟର ଡୋଜ୍ ଦେବାକୁ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି ।

ଗତମାସରେ ପୁରୀରେ ସଂକ୍ରମଣ ଦ୍ରୁତବେଗରେ ବଢ଼ିବା କାରଣରରୁ ଶ୍ରୀମନ୍ଦିର କାର୍ଯ୍ୟାଳୟର ବହୁ ଅଧିକାରୀ, କର୍ମଚାରୀ, ସେବାୟତ ସଂକ୍ରମିତ ହୋଇଥିଲେ । ତେଣୁ ଏହାଦ୍ୱାରା ମହାପ୍ରଭୁଙ୍କ ନୀତିକାନ୍ତି ପ୍ରଭାବିତ ହେବା ଆଶଙ୍କା ରହିଥିବାରୁ ଛତିଶାନିଯୋଗ ନିଷ୍ପତ୍ତିକ୍ରମେ ଶ୍ରୀମନ୍ଦିରକୁ ମାସକ ପାଇଁ ବନ୍ଦ ଘୋଷଣା କରାଯାଇଥିଲା । ଜାନୁଆରୀ ୩୧ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ବୈଠକ ଡାକି ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନେବ ବୋଲି ଘୋଷଣା କରାଯାଇଥିଲା ।

ତେବେ ବର୍ତ୍ତମାନ ରାଜ୍ୟରେ କୋଭିଡ୍ ସଂକ୍ରମଣ ତଳକୁ ଖସୁଥିବାରୁ ଫେବୃଆରୀରେ ଶ୍ରୀମନ୍ଦିର ଖୋଲିପାରେ ବୋଲି ସେବାୟତ ମହଲ ମତ ଦେଇଛନ୍ତି । ଏ ନେଇ ଶ୍ରୀମନ୍ଦିର ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଛତିଶାନିଯୋଗ ବୈଠକ କେବେ ବସିବ ସେନେଇ ନିଷ୍ପତ୍ତି ହୋଇନାହିଁ । ବୈଠକ ବସିବା ପରେ ହିଁ ଶ୍ରୀମନ୍ଦିର ଖୋଲିବ କି ବନ୍ଦ ରହିବ ତା’ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ।

Get real time updates directly on you device, subscribe now.