ନିଦ ଆସିବାରୁ ପିଟିଦେଲେ… କାରକୁ ଏକ କିମି ଟାଣିନେଲା କଣ୍ଟେନର

ନିଦରେ ମନୀଷ ଗାଡ଼ି ଭାରସାମ୍ୟ ହରାଇ ଆଗରେ ଯାଉଥିବା କଣ୍ଟେନର ପଛ ପାଶ୍ୱର୍ରେ ପଶି ଯାଇଥିଲା। ହେଲେ ଏ ସମ୍ପର୍କରେ କଣ୍ଟେନର ଚାଳକଙ୍କୁ ମଧ୍ୟ ଜଣାନଥିଲା

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଦେଇ ଯାଇଥିବା ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ଆଜି ଏକ ଭୟଙ୍କର ଓ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୋଟିଏ ଭୁଲ ପାଇଁ ପୂରା ପରିବାର ସଫା ହୋଇଯାଇଛି। ଯେଉଁଥିରେ ୫ ଜଣଙ୍କ ମୃତ୍ୟୁ ଘଟିଛି।

ଆଜି ସକାଳେ ବିହାର ସିୱାନ ଜିଲ୍ଲା ସିସୱାନ ଗାଁର ମନୀଷ ଶ୍ରୀବାସ୍ତବ(୩୮), ତାଙ୍କ ପତ୍ନୀ କଞ୍ଚନ(୩୫), ଝିଅ ଆଦିତୀ(୧୪), ଓ ତାଙ୍କ ୧୫ ବର୍ଷୀୟ ପୁଅ ଏକ କାରରେ ଫରିଦାବାଦ ଅଭିମୁଖେ ଯାଉଥିଲେ। ଆଉ ଗାଡ଼ି ଚଲାଉଥିଲେ ମନୀଷ। ତେବେ ୨୩୮ ନମ୍ବର ପୂର୍ବାଞ୍ଚଳ ଏକ୍ସପ୍ରେସୱେର ଆଜମଗଡ଼ ଜିଲ୍ଲା ବନ୍ଧରାପୁରଠାରେ ମନୀଷଙ୍କ ଆଖିକୁ ନିଦ ଆସି ଯାଇଥିଲା। ଯାହାଫଳରେ ସେ ଶୋଇ ଯାଇଥିଲେ।

ନିଦରେ ମନୀଷ ଗାଡ଼ି ଭାରସାମ୍ୟ ହରାଇ ଆଗରେ ଯାଉଥିବା କଣ୍ଟେନର ପଛ ପାଶ୍ୱର୍ରେ ପଶି ଯାଇଥିଲା। ହେଲେ ଏ ସମ୍ପର୍କରେ କଣ୍ଟେନର ଚାଳକଙ୍କୁ ମଧ୍ୟ ଜଣାନଥିଲା। ସେ ଏକ କିମିରୁ ଅଧିକ ଦୂର କାରକୁ ଟାଣି ନେଇ ଯାଇଥିଲେ। ହେଲେ ଜାତୀୟ ରାଜପଥରେ ପାଟ୍ରୋଲିଂ କରୁଥିବା ପୋଲିସ କଣ୍ଟେନରକୁ ଅଟକାଇଥିଲା। କାର ଭିତରେ ଥିବା ପୂରା ପରିବାରକୁ ଉଦ୍ଧାର କରିଥିଲା। ଦୁର୍ଘଟଣାରେ ପରିବାର ସମସ୍ତଙ୍କ ମୃତ୍ୟୁ ଘଟିଛି।

ଏସ୍‌ପି ଡକ୍ଟର ଅନିଲ କୁମାର କହିଛନ୍ତି, ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ କାର ଦ୍ରୁତ ଗତିରେ ଆସି କଣ୍ଟେନରକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ଘଟିଛି।