fbpx

ଭାରତରେ ୧୬୦୦ କୋଟି ନିବେଶ କରିବ PWC; ୧୦ ହଜାର ଲୋକଙ୍କୁ ମିଳିବ ଚାକିରି

ନୂଆଦିଲ୍ଲୀ: ବିଶ୍ୱରେ ପ୍ରସିଦ୍ଧି ହାସଲ କରିଥିବା କନସଲ୍ଟନ୍ସି ଫାର୍ମ ପ୍ରାଇସ ୱାଟରହାଉସ୍ କୁପରସ (ପିଡବ୍ଲ୍ୟୁସି) ଭାରତରେ ୧୬୦୦ କୋଟି ନିବେଶ କରିବ । ଆସନ୍ତା ୫ ବର୍ଷ ମଧ୍ୟରେ ପିଡବ୍ଲ୍ୟୁସି ଭାରତରେ ଏହି ଅର୍ଥ ନିବେଶ କରିବ । ଏହା ସହିତ ଅତିରିକ୍ତ ୧୦ ହଜାର ନୂଆ ଚାକିରି ସୁଯୋଗ ସୃଷ୍ଟି ହେବ ବୋଲି ଜଣାପଡିଛି । ଏହା ସହିତ କମ୍ପାନୀ ଏହାର କ୍ୟାମ୍ପସ ନିଯୁକ୍ତିକୁ ୫ ଗୁଣ ବୃଦ୍ଧି କରାଯିବ ବୋଲି କୁହାଯାଇଛି ।

ବିଭିନ୍ନ ଷ୍ଟେକହୋଲ୍ଡର ଓ ନିବେଶକଙ୍କ ସହିତ ଆଲୋଚନା ପରେ ପିଡବ୍ଲ୍ୟୁସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଭାରତୀୟ ଅର୍ଥନୀତିରେ ନିବେଶ ବର୍ତ୍ତମାନ ପ୍ରକୃଷ୍ଟ ସମୟ ରହିଛି ବୋଲି ପିଡବ୍ଲ୍ୟୁସି ପକ୍ଷରୁ କୁହାଯାଇଛି । ଭାରତର ଘରୋଇ ବଜାରକୁ ବିକଶିତ କରିବା ସହିତ ଅର୍ଥନୀତିକୁ ବିକଶିତ କରାଇବା ଆମର ପ୍ରାରମ୍ଭିକ ଲକ୍ଷ୍ୟ ରହିବ ବୋଲି କମ୍ପାନୀର ଭାରତୀୟ ମୁଖ୍ୟ ସଞ୍ଜୀବ କ୍ରିଷ୍ଣନ କହିଛନ୍ତି ।

ଡିଜିଟାଲ, କ୍ଲାଉଡ, ସାଇବର ଏବଂ ଆନାଲିଟିକ୍ସରେ କମ୍ପାନୀ ନିବେଶ କରିବ । ଆସନ୍ତା ୫ ବର୍ଷ ମଧ୍ୟରେ କମ୍ପାନୀ ୧୬୦୦ କୋଟି ନିବେଶ କରିବ ଏବଂ ୧୦ ହଜାର ନୂତନ ନିଯୁକ୍ତି ସୃଷ୍ଟି କରିବ ବୋଲି କ୍ରିଷ୍ଣନ କହିଛନ୍ତି । ପିଡବ୍ଲ୍ୟୁସିର ଭାରତରେ ବର୍ତ୍ତମାନ ୧୫ ହଜାର କର୍ମଚାରୀ ରହିଛନ୍ତି । କମ୍ପାନୀ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଗାମୀ ଦିନରେ ୪୦ ପ୍ରତିଶତ ମହିଳାଙ୍କୁ ଦିଆଯିବ । ଏହା ସହିତ କମ୍ପାନୀର ରେଭିନ୍ୟୁର ୧ ପ୍ରତିଶତ ଲୋକଙ୍କ ଉନ୍ନତି ପାଇଁ ବିନିଯୋଗ କରାଯିବ ଏବଂ ପିଡବ୍ଲ୍ୟୁସି ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ନିର୍ମାଣ କରାଯିବ । ଉଲ୍ଲେଖଯୋଗ୍ୟ ଯେ, ବିଶ୍ୱର ୧୫୫ଟି ଦେଶରେ ପିବଡବ୍ଲ୍ୟୁସି କାମ କରୁଥିବା ବେଳେ ୨ ଲକ୍ଷ ୮୪ ହଜାର କର୍ମଚାରୀଙ୍କୁ ନିଯୁକ୍ତି ମିଳିଛି ।

Get real time updates directly on you device, subscribe now.