fbpx

ଏଣିକି ପ୍ରତ୍ୟେକ ଘର ଆଗରେ ଲାଗିବ QR Code: ଅଳିଆ ସଫେଇକୁ ନେଇ BMCର ନୂଆ ପଦକ୍ଷେପ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ କିଛି ଲୋକଙ୍କ ଘରୁ ଅଳିଆ ଠିକଭାବେ ନ ଉଠିବା ନେଇ ଅଭିଯୋଗ ହୋଇଥାଏ । ତେବେ ଏହି ସମସ୍ୟା ଉପରୁ ଏବେ ଉଠିବ ପରଦା । ସଫେଇକୁ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଏକ ନୂଆ ପଦକ୍ଷେପ ଗ୍ରହଣ କରିଛି । ଏଣିକି ପ୍ରତି ଘରେ କ୍ୟୁଆର କୋଡ୍ ଲଗାଇବ ବିଏମସି । ଖୁବଶୀଘ୍ର ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ ବୋଲି ବିଏମସି ପକ୍ଷରୁ ଜଣାପଡ଼ିଛି ।

ସୂଚନା ମୁତାବକ, ରାଜଧାନୀର ପରିମଳ ବ୍ୟବସ୍ଥାକୁ ସୁଧାରିବା ଲକ୍ଷ୍ୟରେ ବିଏମସି ପକ୍ଷରୁ ଏକ ସଫା ଆପ୍ ପ୍ରସ୍ତୁତ କରାଯାଇଛି । ଏହି ଆପକୁ ଏବେ ପରୀକ୍ଷାମୂଳକ ଭାବେ ପ୍ରଚଳନ କରାଯାଇଛି । ଏଥିପାଇଁ ବିଏମସି ପକ୍ଷରୁ ଏକ ସ୍ୱତନ୍ତ୍ର କ୍ୟୁଆର କୋଡ୍ ମଧ୍ୟ ପ୍ରସ୍ତୁତ କରାଯାଇଛି । ରାଜଧାନୀର ପ୍ରତ୍ୟେକ ଘର, ସରକାରୀ ଅଫିସ, ବ୍ୟବସାୟିକ ପ୍ରତିଷ୍ଠାନରେ ଏହି କ୍ୟୁଆର କୋଡ୍ ଲାଗିବ । ଏହି କୋଡକୁ ମୋବାଇଲରେ ସ୍କାନ କରିବା ମାତ୍ରେ ଆପ୍ ଖୋଲିବ ଓ ସେଥିରେ ଜନସାଧାରଣ ଅଭିଯୋଗ କରିପାରିବେ ।

ତେବେ ବଡ଼ ବଡ଼ ହୋଟେଲ ଓ ବିବାହ ମଣ୍ଡପରୁ ବାହାରୁଥିବା ଅଳିଆ ପାଇଁ ଏହି ଆପରେ ପଞ୍ଜିକରଣ କରିବାକୁ ପଡ଼ିବ । ସେଥିରେ ଠିକଣା ଦେବା ପରେ ସଫେଇ ଗାଡ଼ି ଆସି ଘର ନିକଟରୁ ଅଳିଆ ସଂଗ୍ରହ କରିନେବ । ଏଥିପାଇଁ ଜନସାଧାରଣଙ୍କୁ ଫିସ୍ ଦେବାକୁ ପଡ଼ିବ । ଏନେଇ ସାନିଟାରି ଇନ୍ସପେକ୍ଟରମାନଙ୍କୁ ଖୁବଶୀଘ୍ର ଟ୍ରେନିଂ ଦିଆଯିବ । ତେବେ ଏହି କ୍ୟୁଆର କୋଡକୁ ପରୀକ୍ଷାମୂଳକ ଭାବେ ଦୁଇଟି ୱାର୍ଡରେ ଆରମ୍ଭ କରାଯାଇଛି ।

Get real time updates directly on you device, subscribe now.