୨୦ରେ ବୁଝିନଥିଲି, ୪୦ରେ ନିଜକୁ ଚିହ୍ନିଲି… ରାଧିକା ଆପ୍ଟେଙ୍କ ମନର ବ୍ୟଥା

‘ଲଷ୍ଟ ଷ୍ଟୋରିଜ୍ ୩’ର ଅଭିନେତ୍ରୀ ମହିଳାଙ୍କ ଇଚ୍ଛା, ସମ୍ପର୍କ ଓ ନିଜକୁ ବୁଝିବା ଭଳି ବିଷୟ ଉପରେ ମଧ୍ୟ ଖୋଲାଖୋଲି ମତ ରଖିଛନ୍ତି। ସେ କହିଛନ୍ତି; ନିଜ ଭାବନା କିମ୍ବା ଇଚ୍ଛାକୁ ବୁଝିବା ନେଇ ମହିଳାଙ୍କ ମନରେ ଛୋଟବେଳୁ ଲଜ୍ଜା ଓ ଭୟ ସୃଷ୍ଟି କରାଯାଇଥାଏ।

ମୁମ୍ବାଇ: ବୟସ ବଢ଼ିବାକୁ ନେଇ ସମାଜର ଅନେକ ଧାରଣା ରହିଛି। ବିଶେଷକରି ମହିଳାଙ୍କ କ୍ଷେତ୍ରରେ ବୟସ ବଢ଼ିବା ସହ ଜୀବନର ଅନେକ ଇଚ୍ଛା, ସ୍ୱପ୍ନ ଓ ଭାବନା ଉପରେ ଯେମିତି ଅଦୃଶ୍ୟ ପରଦା ପଡ଼ିଯାଏ। କିନ୍ତୁ ଅଭିନେତ୍ରୀ ରାଧିକା ଆପ୍ଟେଙ୍କ ଅନୁଭବ କିଛି ଅଲଗା। ତାଙ୍କ ପାଇଁ ୪୦ ପାର କରିବା ମାନେ କିଛି ହରାଇବା ନୁହେଁ, ବରଂ ନିଜକୁ ଆହୁରି ଗଭୀର ଭାବେ ଚିହ୍ନିବାର ଏକ ନୂଆ ସମୟ।

ରାଧିକା କହିଛନ୍ତି, ୨୦ ବର୍ଷ ବୟସରେ ଜୀବନ ଓ ନିଜକୁ ନେଇ ଅନେକ କିଛି ଅଜଣାଥିଲା। ୩୦ ବର୍ଷରେ ମଧ୍ୟ ଅନେକ ପ୍ରଶ୍ନ ଓ ଦ୍ୱନ୍ଦ୍ୱ ଥିଲା। କିନ୍ତୁ ୪୦ ଦଶକରେ ପହଞ୍ଚିବା ପରେ ନିଜ ଶରୀର, ଭାବନା ଓ ଆବଶ୍ୟକତାକୁ ଆହୁରି ଭଲ ଭାବେ ବୁଝିପାରୁଛି। ବୟସ ସବୁବେଳେ ଦୂରେଇ ଯିବାର ନାଁ ନୁହେଁ; ଅନେକ ସମୟରେ ଏହା ନିଜ ପାଖକୁ ଫେରିବାର ଏକ ଅବସର ବୋଲି ରାଧିକା କହିଛନ୍ତି।

‘ଲଷ୍ଟ ଷ୍ଟୋରିଜ୍ ୩’ର ଅଭିନେତ୍ରୀ ମହିଳାଙ୍କ ଇଚ୍ଛା, ସମ୍ପର୍କ ଓ ନିଜକୁ ବୁଝିବା ଭଳି ବିଷୟ ଉପରେ ମଧ୍ୟ ଖୋଲାଖୋଲି ମତ ରଖିଛନ୍ତି। ସେ କହିଛନ୍ତି; ନିଜ ଭାବନା କିମ୍ବା ଇଚ୍ଛାକୁ ବୁଝିବା ନେଇ ମହିଳାଙ୍କ ମନରେ ଛୋଟବେଳୁ ଲଜ୍ଜା ଓ ଭୟ ସୃଷ୍ଟି କରାଯାଇଥାଏ। ଏହା ବଦଳରେ ଖୋଲା ମନରେ ଏହି ବିଷୟଗୁଡ଼ିକୁ ବୁଝିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।

ମା’ ହେବା ପରେ ରାଧିକାଙ୍କ ଏହି ଚିନ୍ତାଧାରା ଆହୁରି ଗଭୀର ହୋଇଛି। ନିଜ ଜୀବନର ଅନୁଭବକୁ ନେଇ ସେ କହିଛନ୍ତି, ମୋ’ ଝିଅ ବଡ଼ ହେବା ସମୟରେ ନିଜ ଶରୀର କିମ୍ବା ଭାବନାକୁ ନେଇ ଅଯଥା ଲଜ୍ଜା ଓ ଭୟରେ ନରହୁ। ନିଜ ପିଲା ସହ ଏଭଳି ବିଷୟରେ ଖୋଲା ଓ ସମ୍ମାନଜନକ ଆଲୋଚନା କରିବା ପାଇଁ ସେ ଗୁରୁତ୍ୱ ଦେଇଛନ୍ତି।

ରାଧିକାଙ୍କ ଏହି ଚିନ୍ତା ପଛରେ ତାଙ୍କ ନିଜ ଜୀବନର ଏକ ଅନୁଭବ ମଧ୍ୟ ରହିଛି। ଛୋଟବେଳେ ବ୍ୟକ୍ତିଗତ ବିଷୟକୁ ନେଇ ଜଣେ ଶିଶୁଙ୍କୁ ଗାଳି ଦିଆଯାଇଥିବା ଘଟଣା ତାଙ୍କ ମନରେ ଲଜ୍ଜାର ଭାବନା ସୃଷ୍ଟି କରିଥିଲା ବୋଲି ସେ ସ୍ମରଣ କରିଛନ୍ତି। ସେହି ଅନୁଭବ ତାଙ୍କୁ ନିଜ ଝିଅକୁ ଭିନ୍ନ ପରିବେଶ ଦେବାକୁ ଚିନ୍ତା କରାଇଛି।

ରାଧିକା ନିଜେ ମଧ୍ୟ ଗୋପନୀୟତା ଭାଙ୍ଗିବାର ଯନ୍ତ୍ରଣା ଅନୁଭବ କରିଛନ୍ତି। ତାଙ୍କ ଏକ ଫିଲ୍ମର ବ୍ୟକ୍ତିଗତ ଦୃଶ୍ୟ ଅନୁମତି ବିନା ପ୍ରସାରିତ ହେବା ପରେ ସେ ମାନସିକ ଭାବେ ପ୍ରଭାବିତ ହୋଇଥିବା କହିଥିଲେ। ଲୋକେ ଏହା ଦେଖିଥିବା ଜାଣିବା ପରେ ଘରୁ ବାହାରିବା ନେଇ ମଧ୍ୟ ମନରେ ଭୟ ସୃଷ୍ଟି ହୋଇଥିଲା ବୋଲି ସେ ପୂର୍ବରୁ କହିଛନ୍ତି।

ସେଥିପାଇଁ ରାଧିକାଙ୍କ ଏହି କଥା କେବଳ ଜଣେ ଅଭିନେତ୍ରୀଙ୍କ ବ୍ୟକ୍ତିଗତ ମତ ନୁହେଁ। ଏହା ବୟସ, ନିଜକୁ ବୁଝିବା, ମାତୃତ୍ୱ, ବ୍ୟକ୍ତିଗତ ସୀମା ଓ ସମାଜର ଦୃଷ୍ଟିଭଙ୍ଗୀକୁ ନେଇ ଏକ ବଡ଼ ଆଲୋଚନାର ଅଂଶ।