fbpx

ବିଲୀନ ହେବାକୁ ଯାଉଛି ରାଇବଣିଆ ଦୁର୍ଗ: ଜାଣନ୍ତୁ ଏହାର ଐତିହ

ଓଡ଼ିଶା ଭାସ୍କର: ଐତିହାସିକ ଘଟଣାର ମୁକସାକ୍ଷୀ ହେଉଛି ପୁରାତନ ରାଇବଣିଆ ଦୁର୍ଗ । ପୂର୍ବ ଭାରତର ଶେଷ ସ୍ୱାଧୀନ ଦୁର୍ଗ ମଧ୍ୟରୁ ରାଇବଣିଆ ଦୁର୍ଗ ଅନ୍ୟତମ । ବାହ୍ୟ ଶତ୍ରୁମାନଙ୍କ କବଳରୁ ଓଡ଼ିଶାବାସୀଙ୍କୁ ରକ୍ଷା କରୁଥିଲା ଏହି ଦୁର୍ଗ । ଉକ୍ରଳର ସୀମା ସୁରକ୍ଷା ଦୃଷ୍ଟିରୁ ରାଜା ଲାଙ୍ଗୁଳା ନରସିଂହ ଦେବ ଏହି ଦୁର୍ଗ ନିର୍ମାଣ କରିଥିଲେ । କିନ୍ତୁ ଧିରେ ଧିରେ ଆଜି ଏହି ଦୁର୍ଗ ଧ୍ୱଂସ ହେବାକୁ ବସିଲାଣି । ଉପଯୁକ୍ତ ରକ୍ଷଣାବେକ୍ଷଣ ପାଉ ନଥିବାରୁ ଏହି ଦୁର୍ଗ ବିଲୀନ ହେବା ପରିସ୍ଥିତିରେ ପହଞ୍ଚିଛି ।

ଓଡ଼ିଶାର ବାଲେଶ୍ୱର ଜିଲ୍ଲାରେ ଏହି ଦୁର୍ଗ ଅବସ୍ଥିତ । ସେ ସମୟରେ ଏହି ଦୁର୍ଗକୁ ଓଡ଼ିଶା ଓ ପଶ୍ଚିମବଙ୍ଗର ପ୍ରବେଶ ପଥ ଭାବେ ବ୍ୟବହାର କରାଯାଉଥିଲା । ପଶ୍ଚିମବଙ୍ଗ ସୀମାନ୍ତରେ ଅବସ୍ଥିତ ଏହି ଦୁର୍ଗ କଟକର ବାରବାଟୀ ଦୁର୍ଗ ଠାରୁ ମଧ୍ୟ ବଡ଼ ବୋଲି କୁହାଯାଏ । ଏହି ଦୁର୍ଗର ପଶ୍ଚିମ ପାଶ୍ୱର୍ରେ ସ୍ଥଳଭାଗ ରହିଥିବା ବେଳେ ଅନ୍ୟ ତିନିି ପାଶ୍ୱର୍ରେ ସୁବର୍ଣ୍ଣରେଖା ନଦୀ ଘେରି ରହିଥିଲା । ସ୍ଥଳଭାଗରେ ଜଙ୍ଗଲ ଥିବାରୁ ବାହ୍ୟ ଶତ୍ରୁମାନେ ଆକ୍ରମଣ କରିପାରୁ ନଥିଲେ । ତେବେ ରାଇବଣିଆ ଦୁର୍ଗରେ ହଜାର ହଜାର ସୈନିକଙ୍କ ସହ ଯୁଦ୍ଧ ଘୋଡ଼ା ମଧ୍ୟ ରହିବାର ବ୍ୟବସ୍ଥା କରାଯାଇଥିଲା ।

ଇତିହାସ କହେ ଯେ, ମହାଭାରତ ସମୟରେ ପାଣ୍ଡବମାନେ ଦ୍ରୌପଦୀଙ୍କ ସହ ଏହି ସ୍ଥାନରେ ଅଜ୍ଞାତ ବାସ କରିଥିଲେ । ସେହିପରି ବିରାଟ ରାଜାଙ୍କ ଗଡ ଥିଲା ଏହି ରାଇବଣିଆ ଦୁର୍ଗ । ବିରାଟ ରାଜାଙ୍କ କୂଳଦେବୀ ଏହି ଗଡ଼ରେ ପୂଜା ପାଉଥିବାର ଲୋକକଥା ରହିଛି । ବର୍ତ୍ତମାନ ଏହି ମନ୍ଦିରରେ ୧୬୧ ଦେବୀଙ୍କ ମୂର୍ତ୍ତି ରହିଛି । ଉକ୍ରଳ ଆକ୍ରମଣ କରିବା ସମୟରେ କଳାପାହାଡ଼ ଏହି ଦୁର୍ଗକୁ ଭାଙ୍ଗି ଦେଇଥିବା କୁହାଯାଏ । ତେବେ କୁତବୁଦ୍ଦିନ ଆଇବାକଙ୍କ ଆକ୍ରମଣରୁ ମଧ୍ୟ ଏହି ଦୁର୍ଗ ସେ ସମୟର କଳିଙ୍ଗକୁ ସୁରକ୍ଷା ଦେଇଥିଲା ।

ଦୁର୍ଗର ରକ୍ଷଣାବେକ୍ଷଣ ହୋଇ ପାରୁ ନଥିବାରୁ ଏବେ ଏହା ନଷ୍ଟ ହେବାକୁ ବସିଲାଣି । ମାଙ୍କଡ଼ା ପଥରରେ ନିର୍ମିତ ଏହି ଦୁର୍ଗ ନଷ୍ଟ ହେବାକୁ ଯାଉଥିବା ବେଳେ ସ୍ଥାନୀୟ ଲୋକେ ଏହି ଦୁର୍ଗର ଅବଶେଷକୁ ଘର ତୋଳାରେ ବ୍ୟବହାର କରୁଥିବା ଜଣା ପଡ଼ିଛି । ଏହା ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଯୋଗାଯୋଗର ସୁବ୍ୟବସ୍ଥା ହୋଇ ପାରିନାହିଁ ।

Get real time updates directly on you device, subscribe now.