ମହାପ୍ରଭୁଙ୍କ ରଥଯାତ୍ରାରେ ଦୌଡ଼ିବ ୩୦୦ରୁ ଅଧିକ ସ୍ପେଶାଲ ଟ୍ରେନ୍‌!

ମହାପ୍ରଭୁଙ୍କ ରଥଯାତ୍ରା ସମୟରେ ଶ୍ରଦ୍ଧାଳୁମାନଙ୍କର ବହୁତ ଭିଡ଼କୁ ଦୃଷ୍ଟିରେ ରଖି ରେଳବାଇ ୮୦୦ରୁ ଅଧିକ ନିୟମିତ ଟ୍ରେନ ସହିତ ୩୦୦ରୁ ଅଧିକ ସ୍ପେଶାଲ ଟ୍ରେନ ଚଳାଇବାର ଯୋଜନା ରଖିଛି

ନୂଆଦିଲ୍ଲୀ: କୋଟି ଓଡ଼ିଆଙ୍କ ମଉଡ଼ମଣୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଆସିବାକୁ ଯାଉଛି। ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଏଥିରେ ପଛରେ ପଡ଼ିନି ରେଳ ବିଭାଗ। କୋଟି କୋଟି ଯାତ୍ରୀଙ୍କ ଆଗମନକୁ ଦେଖି ରେଳବାଇ ପ୍ରସ୍ତୁତିକୁ ଜୋରଦାର କରିଛି। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି। ଯେଉଁଠାରେ ସେ ଭଗବାନ ଜଗନ୍ନାଥଙ୍କ ଆଗାମୀ ରଥଯାତ୍ରା ପାଇଁ ରେଳବାଇର ବ୍ୟବସ୍ଥା ଓ ଯାତ୍ରୀ ସୁବିଧାର ବିସ୍ତୃତ ସମୀକ୍ଷା କରିବେ। ରଥଯାତ୍ରାକୁ ନେଇ ରେଳ ବିଭାଗ ୩୦୦ରୁ ଅଧିକ ସ୍ପେଶାଲ ଟ୍ରେନ୍ ଚଲାଇବାର ଯୋଜନା କରିଛି।

ଦୁଇଟି ନୂଆ ଟ୍ରେନ

ରେଳବାଇ ସୂଚନା ଅନୁସାରେ, ପୁରୀ-କୋରାପୁଟ ଏକ୍ସପ୍ରେସ ପୁରୀ ରେଳ ଷ୍ଟେସନରୁ ଯାତ୍ରା ଆରମ୍ଭ କରିବ। ଏହି ଟ୍ରେନ୍ ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, ଅନୁଗୁଳ, ସମ୍ବଲପୁର, ବଲାଙ୍ଗୀର, ଦମନଜୋଡ଼ି ଓ ଲକ୍ଷ୍ମୀପୁର ରୋଡ୍ ସମେତ ପ୍ରମୁଖ ଷ୍ଟେସନ ଦେଇ କୋରାପୁଟ ପହଞ୍ଚିବ। ସେହିପରି ବ୍ରହ୍ମପୁର-ସୁରତ (ଉଧନା) ଅମୃତ ଭାରତ ଏକ୍ସପ୍ରେସ୍ ବ୍ରହ୍ମପୁର ରେଳ ଷ୍ଟେସନରୁ ଯାତ୍ରା ଆରମ୍ଭ ହୋଇଛି।

୩୦୦ରୁ ଅଧିକ ସ୍ପେଶାଲ ଟ୍ରେନ ଚାଲିବ

ମହାପ୍ରଭୁଙ୍କ ରଥଯାତ୍ରା ସମୟରେ ଶ୍ରଦ୍ଧାଳୁମାନଙ୍କର ବହୁତ ଭିଡ଼କୁ ଦୃଷ୍ଟିରେ ରଖି ରେଳବାଇ ୮୦୦ରୁ ଅଧିକ ନିୟମିତ ଟ୍ରେନ ସହିତ ୩୦୦ରୁ ଅଧିକ ସ୍ପେଶାଲ ଟ୍ରେନ ଚଳାଇବାର ଯୋଜନା ରଖିଛି। ଅଣସର ସମୟରେ ମଧ୍ୟ ୧୦୦ରୁ ଅଧିକ ସ୍ପେଶାଲ୍ ଟ୍ରେନ୍ ଚାଲିବାର ସମ୍ଭାବନା ରହିଛି। ରେଳ ବିଭାଗ ଆରକ୍ଷଣ ବ୍ୟବସ୍ଥାର ଉନ୍ନତୀକରଣ କରୁଛି। ଯେଉଁଥିରେ ପ୍ରତି ମିନିଟରେ ୧.୨୫ ଲକ୍ଷ ପର‌୍ୟ୍ୟନ୍ତ ଟିକେଟ୍ ବୁକିଂ କରାଯାଇ ପାରିବ। ଯାହା ବର୍ତ୍ତମାନର କ୍ଷମତା ପ୍ରତି ମିନିଟରେ ୨୫,୦୦୦ ଟିକେଟ୍ ତୁଳନାରେ ୫ ଗୁଣ ଅଧିକ।