ରଜ ମଉଜ ଫିକା କରିବ ବର୍ଷା! ବିଜୁଳି ଘଡ଼ଘଡ଼ି ସହ ଝଡ଼ପବନ ନେଇ ପାଣିପାଗ ବିଭାଗର ଚେତାବନୀ

ଚଳିତ ବର୍ଷ ରଜ ପର୍ବ ସମୟରେ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ଏହି ସମୟରେ ବିଜୁଳି, ଘଡ଼ଘଡ଼ି ସହ ଜୋରରେ ପବନ ବହିବାର ମଧ୍ୟ ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଭୁବନେଶ୍ୱର: ଚଳିତ ବର୍ଷ ରଜ ପର୍ବ ସମୟରେ ଓଡ଼ିଶାବାସୀଙ୍କୁ ଭିଜାଇବ ବର୍ଷା। ଏହି ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି, ଘଡ଼ଘଡ଼ି ଏବଂ ଜୋରରେ ପବନ ବହିବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତା ଜୁନ୍ ୧୪ ରୁ ଜୁନ୍ ୧୬ ତାରିଖ ପର୍ଯ୍ୟନ୍ତ ସାରା ଓଡ଼ିଶାରେ ରଜ ମଉଜ ଭିତରେ ବର୍ଷାର ପ୍ରଭାବ ଦେଖିବାକୁ ମିଳିବ। ଏହାକୁ ଦୃଷ୍ଟିରେ ରଖି ଆଗାମୀ ୫ ଦିନ ପାଇଁ ସ୍ୱତନ୍ତ୍ର ସତର୍କ ସୂଚନା (ୱାର୍ଣ୍ଣିଂ) ଜାରି କରାଯାଇଛି।

ପ୍ରଥମ ଦିନ (ଜୁନ୍ ୧୨ ସକାଳ ୮.୩୦ ପର୍ଯ୍ୟନ୍ତ) ପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, ରାୟଗଡ଼, କୋରାପୁଟ, ମାଲକାନଗିରି, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାର କେତେକ ସ୍ଥାନରେ ଘଣ୍ଟାପ୍ରତି ୫୦ ରୁ ୬୦ କିଲୋମିଟର ବେଗରେ ପବନ ବହିବା ସହ ବିଜୁଳି ଘଡ଼ଘଡ଼ି ଆଶଙ୍କା ଥିବାରୁ ଓରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ଗଜପତି ଏବଂ ଗଞ୍ଜାମ ଜିଲ୍ଲା ପାଇଁ ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବା ଆଶଙ୍କା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଦ୍ୱିତୀୟ ଦିନ (ଜୁନ୍ ୧୨ ସକାଳ ୮.୩୦ ରୁ ଜୁନ୍ ୧୩ ସକାଳ ୮.୩୦) ମଧ୍ୟରେ କେନ୍ଦ୍ରାପଡ଼ା, କଟକ, ମୟୂରଭଞ୍ଜ, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି, ଜୋର ପବନ ସହ ପ୍ରବଳ ବର୍ଷା ପାଇଁ ଓରେଞ୍ଜ ୱାର୍ଣ୍ଣିଂ ରହିଛି। ଏହା ସହିତ ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦୁଝର, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରେ ମଧ୍ୟ ଝଡ଼ପବନ ଆଶଙ୍କା ଯୋଗୁଁ ଓରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ଏହି ସମୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼, ଗଜପତି, ଗଞ୍ଜାମ ଏବଂ ପୁରୀ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ତୃତୀୟ ଦିନ (ଜୁନ୍ ୧୩ ସକାଳ ୮.୩୦ ରୁ ଜୁନ୍ ୧୪ ସକାଳ ୮.୩୦) ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବା ନେଇ ୟେଲୋ ୱାର୍ଣ୍ଣିଂ ରହିଛି। ଏହା ସହିତ କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ରାୟଗଡ଼, କୋରାପୁଟ, ମାଲକାନଗିରି ଏବଂ ଗଜପତି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଚତୁର୍ଥ ଦିନ (ଜୁନ୍ ୧୪ ସକାଳ ୮.୩୦ ରୁ ଜୁନ୍ ୧୫ ସକାଳ ୮.୩0 – ରଜ ପହିଲି) ଦିନ ମଧ୍ୟ ଓଡ଼ିଶାର ସମସ୍ତ ଜିଲ୍ଲାରେ କାଳବୈଶାଖୀ ଜନିତ ଝଡ଼ପବନ ପାଇଁ ୟେଲୋ ୱାର୍ଣ୍ଣିଂ ବଳବତ୍ତର ରହିବ। ଏହି ସମୟରେ କନ୍ଧମାଳ, ନବରଙ୍ଗପୁର, ରାୟଗଡ଼, କୋରାପୁଟ, ମାଲକାନଗିରି ଏବଂ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ସେହିପରି ପଞ୍ଚମ ଦିନ (ଜୁନ୍ ୧୫ ସକାଳ ୮.୩୦ ରୁ ଜୁନ୍ ୧୬ ସକାଳ ୮.୩୦ – ରଜ ସଂକ୍ରାନ୍ତି) ଦିନ ଅପରାହ୍ନ କିମ୍ବା ସନ୍ଧ୍ୟା ସମୟରେ ରାଜ୍ୟର ସମସ୍ତ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଏବଂ ପବନ ହେବାର ଆଶଙ୍କା ରହିଛି, ବିଶେଷ କରି କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।