ବର୍ଷା ଦିନେ ଲାଇଟ୍ ଚାରିପାଖେ ବୁଲୁଥିବା ପୋକଙ୍କୁ ନେଇ ହଇରାଣ ହେଉଛନ୍ତି କି, ଆପଣାନ୍ତୁ ଏହି ସହଜ ଉପାୟ, ତୁରନ୍ତ ମିଳିବ ମୁକ୍ତି
ବର୍ଷା ଦିନେ ଲାଇଟ୍ ଚାରିପାଖେ ବୁଲୁଥିବା ପୋକଙ୍କୁ ନେଇ ହଇରାଣ ହେଉଛନ୍ତି କି, ଆପଣାନ୍ତୁ ଏହି ସହଜ ଉପାୟ
Monsoon Insects: ବର୍ଷା ଋତୁ ଆରମ୍ଭ ହେବା ମାତ୍ରେ ହିଁ ଘରେ ପୋକମାଛିଙ୍କ ପ୍ରାଦୁର୍ଭାବ ବଢ଼ିଯାଇଥାଏ । କିଛି ପୋକ ଚଟାଣରେ ଚାଲୁଥିବା ବେଳେ ଆଉ କିଛି ଉଡ଼ନ୍ତା ପୋକ ଘର ସାରା ବୁଲିଥାନ୍ତି । ଏହି ଦିନରେ ବିଶେଷ କରି ‘ଲାଇଟ୍ ଚାରିପଟେ ବୁଲୁଥିବା ପୋକ’ ଅଧିକ ଦେଖାଯାନ୍ତି, ଯେଉଁମାନେ ଆଲୋକ ଦେଖି ସେଥିପ୍ରତି ଆକର୍ଷିତ ହୁଅନ୍ତି ଏବଂ ଘରର ଲାଇଟ୍ ଚାରିପାଖେ ଘୁରି ବୁଲନ୍ତି ।
ଏହି ପୋକଗୁଡ଼ିକ ଉଡ଼ି ଉଡ଼ି ଖାଦ୍ୟ ପଦାର୍ଥରେ ପଡ଼ନ୍ତି, ଶରୀରରେ ଲାଖି ଯାଆନ୍ତି ଏବଂ ପୂରା ଘରକୁ ଅପରିଷ୍କାର କରିଦିଅନ୍ତି । ଯଦି ଆପଣ ମଧ୍ୟ ଏହି ବର୍ଷା ପୋକଙ୍କ ଯୋଗୁଁ ଅତିଷ୍ଠ ହୋଇଗଲେଣି, ତେବେ କିଛି ସହଜ ଘରୋଇ ଉପାୟ ଆପଣାଇ ଏମାନଙ୍କଠାରୁ ସହଜରେ ମୁକ୍ତି ପାଇପାରିବେ ।
ଜାଣନ୍ତୁ କିଛି ସହଜ ଟିପ୍ସ
‘ଲାଇଟ୍ ଟ୍ରାପ୍’ର ବ୍ୟବହାର କରନ୍ତୁ
ଏହା ପୋକ ଭଗାଇବାର ଏକ ବହୁତ ପୁରୁଣା ଏବଂ ପ୍ରଭାବଶାଳୀ ଉପାୟ । ଏଥିପାଇଁ ଘରର ଯେକୌଣସି ଗୋଟିଏ ବାହାର ଅଂଶର (ଯେପରିକି ବାଲକୋନି କିମ୍ବା ବାରଣ୍ଡା) ଲାଇଟ୍ ଜଳାଇ ଦିଅନ୍ତୁ, ଯାହାଫଳରେ ଘର ଭିତରର ସବୁ ପୋକ ସେହି ଆଲୋକ ଆଡ଼କୁ ଚାଲିଯିବେ ।
ଏବେ ସେହି ଜଳୁଥିବା ଲାଇଟ୍ର ଠିକ୍ ତଳେ ଏକ ବାଲ୍ଟି କିମ୍ବା ଟବ୍ରେ ପାଣି ଭର୍ତ୍ତି କରି ରଖନ୍ତୁ ଏବଂ ସେଥିରେ ଅଳ୍ପ ଲିକ୍ୱିଡ୍ ସୋପ୍ ବା ସର୍ଫ ଗୁଣ୍ଡ ମିଶାଇ ଦିଅନ୍ତୁ । ଆଲୋକ ଚାରିପାଖେ ବୁଲୁଥିବା ପୋକଗୁଡ଼ିକ ପାଣିରେ ନିଜର ପ୍ରତିବିମ୍ବ ଦେଖି ସେଥିରେ ପଡ଼ିଯିବେ ଏବଂ ସାବୁନ ପାଣି ଯୋଗୁଁ ବାହାରକୁ ଆସି ନପାରି ମରିଯିବେ ।
ଲାଇଟ୍ର ରଙ୍ଗ ବଦଳାଇ ଦିଅନ୍ତୁ
ବର୍ଷା ଦିନର ପୋକଗୁଡ଼ିକ ସାଧାରଣତଃ ଧଳା କିମ୍ବା ନୀଳ ରଙ୍ଗର ଆଲୋକ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି । ତେଣୁ ଏହି ଦିନରେ ଘରର ମୁଖ୍ୟ ଦ୍ୱାର କିମ୍ବା ବାହାରେ ଥିବା ଧଳା ଲାଇଟ୍ ବଦଳରେ ହଳଦିଆ କିମ୍ବା ୱାର୍ମ ଅରେଞ୍ଜ ରଙ୍ଗର ଲାଇଟ୍ ବ୍ୟବହାର କରନ୍ତୁ । ଏହାଦ୍ୱାରା ପୋକମାନେ ଘର ଆଡ଼କୁ ଆସିବେ ନାହିଁ ।
ଲିମ୍ବ ଏବଂ କର୍ପୁର ସ୍ପ୍ରେ
ପୋକମାନଙ୍କୁ ଦୂରେଇ ରଖିବା ପାଇଁ ଆପଣ ଘରେ ଏକ ପ୍ରାକୃତିକ ସ୍ପ୍ରେ ପ୍ରସ୍ତୁତ କରିପାରିବେ । ପାଣିରେ ଅଳ୍ପ ଲିମ୍ବ ତେଲ କିମ୍ବା କର୍ପୁର ଗୁଣ୍ଡକୁ ଭଲ ଭାବେ ମିଶାଇ ଦିଅନ୍ତୁ । ଏହି ପାଣିକୁ ଘରର କବାଟ, ଝରକା ଏବଂ ଲାଇଟ୍ ଚାରିପାଖେ ସ୍ପ୍ରେ କରନ୍ତୁ । ଲିମ୍ବ ଓ କର୍ପୁରର ତୀବ୍ର ଗନ୍ଧ ଯୋଗୁଁ ପୋକମାନେ ତୁରନ୍ତ ସେହି ସ୍ଥାନ ଛାଡ଼ି ପଳାଇଥାନ୍ତି ।
ସଂନ୍ଧ୍ୟା ସମୟରେ ଲାଇଟ୍ ବନ୍ଦ ରଖନ୍ତୁ
ଯେତେବେଳେ ସନ୍ଧ୍ୟା ହେବ, ସେହି ସମୟରେ କିଛି ସମୟ ପାଇଁ ଘରର ଭିତର ଲାଇଟ୍ଗୁଡ଼ିକୁ ବନ୍ଦ କରିଦିଅନ୍ତୁ ଏବଂ ବାହାର ଲାଇଟ୍ ଜଳାଇ ରଖନ୍ତୁ । ଘର ଭିତରେ ଅନ୍ଧାର ହେବା ଯୋଗୁଁ ପୋକଗୁଡ଼ିକ ଆଲୋକ ସନ୍ଧାନରେ ଆପେ ଆପେ ବାହାରକୁ ଚାଲିଯିବେ । ପୋକ ବାହାରିଗଲା ପରେ ଆପଣ ଝରକା କବାଟ ବନ୍ଦ କରି ଭିତର ଲାଇଟ୍ ଜଳାଇ ପାରିବେ ।
ଘରେ ଓଦାଳିଆ ଭାବ ହେବାକୁ ଦିଅନ୍ତୁ ନାହିଁ
ବର୍ଷା ଦିନେ ଘରର କାନ୍ଥ କିମ୍ବା ଆସବାବପତ୍ର, ବିଶେଷ କରି କାଠ ଜିନିଷରେ ଓଦାଳିଆ ଭାବ ବା ସିଲନ୍ ରହିଲେ ପୋକମାନେ ସେଠାକୁ ଅଧିକ ଆସନ୍ତି । ତେଣୁ ଘରକୁ ସବୁବେଳେ ସଫା ଏବଂ ଶୁଖିଲା ରଖିବାକୁ ଚେଷ୍ଟା କରନ୍ତୁ । ଘରେ ଓଦାଳିଆ ଭାବ ନରହିଲେ ବର୍ଷା ପୋକଙ୍କ ସଂଖ୍ୟା ଆପେ ଆପେ କମିଯିବ ।


