ନୂଆ ଦିଲ୍ଲୀର ଭାଗବତ ଟୁଙ୍ଗୀ ତରଫରୁ ରଜ ପର୍ବ ପାଳିତ
ଦିଲ୍ଲୀ ଓଡ଼ିଆ ଭାଗବତ ଟୁଙ୍ଗୀ ପକ୍ଷରୁ ରଜ ପର୍ବ ଉପଲକ୍ଷେ ଏକ ଭବ୍ୟ ସାଂସ୍କୃତିକ ସନ୍ଧ୍ୟା ଆୟୋଜିତ ହୋଇଯାଇଛି।
ନୂଆ ଦିଲ୍ଲୀ : ନୂଆଦିଲ୍ଲୀ କିଦୱାଇ ନଗର (ପୂର୍ବ) ସ୍ଥିତ ଓଡ଼ିଆ ଭାଗବତ ଟୁଙ୍ଗୀ ପକ୍ଷରୁ ଗତ ୫ ବର୍ଷ ହେବ ପ୍ରତିଦିନ ନିୟମିତ ଭାବେ ଭାଗବତର ଗୋଟିଏ ଅଧ୍ୟାୟ ପାଠ କରାଯାଉଛି। ପୂର୍ବରୁ ସମସ୍ତେ ଏକାଠି ହୋଇ ଭାଗବତ ପଢ଼ୁଥିବା ବେଳେ, ଏବେ ଏହା ଗୁଗୁଲ୍ ମିଟ୍ ମାଧ୍ୟମରେ ଅନଲାଇନ୍ରେ କରାଯାଉଛି। ଏହି ଡିଜିଟାଲ୍ ମାଧ୍ୟମ ଜରିଆରେ ପ୍ରତିଦିନ ଅନେକ ଭାଗବତପ୍ରେମୀ ଯୋଡ଼ି ହୋଇ ଭାଗବତ ପଠନ ଓ ଶ୍ରବଣର ସୁଯୋଗ ପାଉଛନ୍ତି।
ଭାଗବତ ପାଠ ସହିତ ଜଗନ୍ନାଥ ତଥା ଉତ୍କଳୀୟ ସଂସ୍କୃତିକୁ ଭବିଷ୍ୟତ ପୀଢ଼ି ନିକଟରେ ଯଥାବତ୍ ପହଞ୍ଚାଇବା ପ୍ରୟାସ ଅନ୍ତର୍ଗତ ଭାଗବତ ଟୁଙ୍ଗୀ ତରଫରୁ ସମୟ ସମୟରେ ଉତ୍କଳୀୟ ଉତ୍ସବ ମଧ୍ୟ ପାଳନ କରାଯାଉଛି। ଏହି ପ୍ରୟାସ ଅନ୍ତର୍ଗତ ଭାଗବତ ଟୁଙ୍ଗୀର ସଦସ୍ୟମାନେ ଆଖପାଖ ଓଡ଼ିଆ ଅଧିବାସୀମାନଙ୍କ ସହଯୋଗରେ ଗତକାଲି ୧୪ ଜୁନ୍ ୨୦୨୬ ସନ୍ଧ୍ୟାରେ ଲୋଧି ରୋଡ ସ୍ଥିତ ଗୋଦାବରୀ ଅଡିଡୋରିୟମରେ ସାଂସ୍କୃିତକ ସନ୍ଧ୍ୟା ଆୟୋଜନ କରିଥିଲେ। ପ୍ରଭୁ ଜଗନ୍ନାଥଙ୍କ ଚରଣରେ ପୁଷ୍ପାଞ୍ଜଳି ଏବଂ ଦ୍ବୀପ ପ୍ରଜ୍ଜ୍ୱଳନ କରାଇଥିଲା। ଦ୍ବୀପ ପ୍ରଜ୍ଜ୍ୱଳନ ଅବସରରେ ସୁପ୍ରୀମ କୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଅନଙ୍ଗ କୁମାର ପଟ୍ଟନାୟକ ତଥା ଟୁଙ୍ଗୀର ବରିଷ୍ଠ ସଦସ୍ୟମାନେ ଉପସ୍ଥିତ ଥିଲେ। ସାଂସ୍କୃତିକ ସନ୍ଧ୍ୟାରେ ପ୍ରବାସୀ ଓଡ଼ିଆ ବିକାଶ ସମିତିର ସଭାପତି ଡଃ ସୂର୍ଯ୍ୟ ନାରାୟଣ ମିଶ୍ର ଏବଂ ଅନ୍ୟ ବରିଷ୍ଠ ସଦସ୍ୟମାନ ମଧ୍ୟ ଯୋଗ ଦେଇଥିଲେ ।
ସର୍ବ ମଙ୍ଗଳ ଜଗନ୍ନାଥ। ଜଗନ୍ନାଥ ଭଜନ ସହିତ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୂ ସଦସ୍ୟମାନେ ରଜର ପାରମ୍ପାରିକ ମୁଢ଼ି ନଡ଼ିଆ, ଫଳ, ପୋଡ଼ପିଠାର ସ୍ୱାଦ ନେଇଥିଲେ। ଏଥରର ସାଂସ୍କୃତିକ ସନ୍ଧ୍ୟାର ପ୍ରମୁଖ ଆକର୍ଷଣ ଥିଲା – ଭଜନ, ଓଡ଼ିଆ ସୁଗମ ସଙ୍ଗୀତ, ଶାସ୍ତ୍ରୀୟ ଓ ଅର୍ଦ୍ଧ-ଶାସ୍ତ୍ରୀୟ ନୃତ୍ୟ,ଲୋକନୃତ୍ୟ, ବଲିଉଡ୍ ନୃତ୍ୟ ଏବଂ ସର୍ବୋପରି ଓଡ଼ିଆ ରଙ୍ଗମଞ୍ଚର କାଳଜୟୀ ହାସ୍ୟ ଅଭିନୟ “ପେଟେଣ୍ଟ ମେଡିସିନ୍”। ଉଚ୍ଚ ମାନର ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କୁ ବିମୋହିତ କରିଥିଲା।
ଶ୍ରୀମତୀ ବବିତା ଜେନା, ଶ୍ରୀମତୀ ମୀନାକ୍ଷୀ ଗୌଡ଼, ଶ୍ରୀ ମନୋଜ ଦାସମହାପାତ୍ର ଆଦିଙ୍କ ନେତୃତ୍ବରେ ସୁନ୍ଦର ନୃତ୍ୟ, ଗୀତ ଓ ଅଭିନୟ ଏହି କାର୍ଯ୍ୟକ୍ରମରେ ପରିବେଷଣ କରାଯାଇଥିଲା। ଦେଶ ଓ ବିଦେଶରେ ନୃତ୍ୟ ପରିବେଷଣ କରିଥିବା ଦୂରଦର୍ଶନ ପ୍ୟାନେଲର ପଞ୍ଜୀକୃତ ଓଡ଼ିଶୀ ନୃତ୍ୟଙ୍ଗନା ଅର୍ପିତା ଦେବଶ୍ରୀ ଶ୍ରୀରାଧାକୃଷ୍ଣଙ୍କ ଦୈବ୍ୟ ପ୍ରେମକୁ ନୃତ୍ୟ ମାଧ୍ୟମରେ ପରିବେଷଣ କରିଥିଲେ।
ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା ଦାୟୀତ୍ବରେ ମୁଖ୍ୟ ଦାୟିତ୍ବ ନିଭାଇଥିବା ଭାଗବତ ଟୁଙ୍ଗୀର ପ୍ରମୁଖ ସଦସ୍ୟଗଣଙ୍କ ମଧ୍ୟରେ ଡଃ ପ୍ରମୋଦ ସାହୁ, ଶ୍ରୀ ସୁଶାନ୍ତ ଜେନା, ଶ୍ରୀ ବିଜୟ ସାହୁ, ଶ୍ରୀ ନରେନ୍ଦ୍ର ସାହୁ, ଶ୍ରୀ ସମୀର ଦାସ, ଶ୍ରୀ ଅର୍ଜୁନ ଜେନା, ଶ୍ରୀ ସୁମନ୍ତ ହରିଚନ୍ଦନ, ଶ୍ରୀମତୀ ସ୍ବର୍ଣ୍ଣପ୍ରଭା ଦାଶ, ଶ୍ରୀ ସୁଶାନ୍ତ କୁମାର ନାୟକ, ଶ୍ରୀ ପି କେ ରଥ, ଶ୍ରୀ ପୁଷ୍ପଜିତ ମହାନ୍ତି, ଶ୍ରୀ ରମେଶ ସାହୁ, ଶ୍ରୀ ଦାଶରଥି କୁମାର ଆଦି ଅନ୍ତର୍ଭୁକ୍ତ ଥିଲେ। ରଜର ମଧୁର ସ୍ମୃତିକୁ ଆହୁରି ରଙ୍ଗିନ କରିବା ପାଇଁ ରଜ ପାନ ସହିତ ଓଡ଼ିଆ ପାରମ୍ପରିକ ସୁସ୍ୱାଦୁ ଭୋଜନ ଆପ୍ୟାୟିତ କରାଯାଇଥିଲା।


