fbpx

ତିନି ରଥରେ ଲାଗିବ ସୋଲ ଫୁଲ, ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ପୁରୀ(ଓଡ଼ିଶା ଭାସ୍କର):  ରଥାଯାତ୍ରା ଦିନ ମହାପ୍ରଭୁ ରଥରେ ବସି ମାଉସୀ ଘରକୁ ଗଲାବେଳେ ବ୍ୟବହାର ହୋଇଥାଏ ସୋଲରେ ନିର୍ମିତ ଫୁଲ । ରଥରେ ଝଟକୁ ଥାଏ ଏହି ସୋଲ ଫୁଲ। ଏହି ସୋଲ ଫୁଲ ନିର୍ମାଣର ସୌଭାଗ୍ୟ ପାଇଛନ୍ତି ଖୋର୍ଦ୍ଧା ଗୁରୁଜଙ୍ଗ ଭୋଇସାହିର ରାଜକିଶୋର । ଆଉ ଏହି ସୋଲ ଫୁଲ ପ୍ରସ୍ତୁତିର ସୌଭାଗ୍ୟ ପାଇ ନିଜକୁ ଖୁବ ଧନ୍ୟ ମନେ କରିଛନ୍ତି ରାଜକିଶୋର । ରାଜକିଶୋରଙ୍କ ପୁରା ପରିବାର ଲାଗି ପଡ଼ିଛନ୍ତି ମହାପ୍ରଭୁଙ୍କ ପାଇଁ ସୋଲ ଫୁଲ ପ୍ରସ୍ତୁତ କରିବାରେ ।

ସୋଲରେ ତିଆରି ହୋଇଛି ଧଳାରଙ୍ଗର ସେବତୀ, କଦମ୍ବ ଫୁଲ । ମହାପ୍ରଭୁଙ୍କ ରଥଯାତ୍ରାରେ ତିନି ରଥରେ ଲାଗିହେବ ଏହି ସୋଲ ନିର୍ମିତ ଫୁଲ । ପ୍ରାୟ ୨୧ ବର୍ଷ ହେଲାଣି ରାଜ କିଶୋରଙ୍କ ପରିବାର ଏଭଳି ଫୁଲ ପ୍ରସ୍ତୁତ କରି ମହାପ୍ରଭୁଙ୍କ ରଥରେ ଲଗାଇ ଆସୁଛନ୍ତି । ସୋଲକୁ କାଟି ସେଥିରେ ସେବତୀ, କଦମ୍ବ ଫୁଲ ଆଦି ପ୍ରସ୍ତୁତ କରୁଛନ୍ତି । କାର୍ତ୍ତିକ ମାସରୁ ସୋଲ ସଂଗ୍ରହ କରି ଅଖି ତୃତୀୟାରୁ ପ୍ରସ୍ତୁତି ଆରମ୍ଭ କରିଥାନ୍ତି । ଫୁଲରେ ରଙ୍ଗବେରଙ୍ଗର ଟିକିଲି ଲଗାଇ ତାକୁ ଖୁବ୍ ଆକର୍ଷଣୀୟ କରିଥାନ୍ତି । ଖାଲି ସେତିକି ନୁହେଁ ସୁନ୍ଦର ସୁନ୍ଦର ଟାହିଆ ମଧ୍ୟ ପ୍ରସ୍ତୁତ କରନ୍ତି ରାଜକିଶୋର ।

ଗତ ଦୁଇ ବର୍ଷ ହେଲା ମହାମାରୀ କରୋନା ଯୋଗୁଁ ନାନା କଟକଣା  ଜାରି ହୋଇଥିବାବେଳେ ରାଜକିଶୋରଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି । କିନ୍ତୁ ସେ ଏହାକୁ ଖାତିର ନ କରି ପିପିଲି, ନିମାପଡ଼ା, ଅସ୍ତରଙ୍ଗ ଆଦି ଅଞ୍ଚଳରୁ ସୋଲ ସଂଗ୍ରହ କରିଛନ୍ତି ରାଜକିଶୋର । ମହାପ୍ରଭୁଙ୍କ ଏହି ସେବା ପାଇଁ ସେମାନେ ମନ୍ଦିର ପ୍ରଶାସନ ଠାରୁ ଅନୁମତି ପାଇଛନ୍ତି ଓ ନିଷ୍ଠାର ସହ ଦାୟିତ୍ୱ ତୁଲାଉଛନ୍ତି । ତେବେ ଏଥିପାଇଁ ସେ କେବେ କୌଣସି ପାରିଶ୍ରମିକ ପାଇ ନାହାନ୍ତି। ଜଗନ୍ନାଥଙ୍କ ସେବାରେ ସେ ପାଇଥାନ୍ତି ଅପାର ଆନନ୍ଦ ।

Get real time updates directly on you device, subscribe now.