ଡାକ୍ତରାଣୀଙ୍କୁ ଡିଜିଟାଲ୍ ଆରେଷ୍ଟର ଭୟ ଦେଖାଇ ନେଇଥିଲେ ୫୮.୫୦ ଲକ୍ଷ

ଭିଡିଓ କଲ୍‌ରେ ପୋଲିସ ଅଧିକାରୀଙ୍କ ପରି ପୋଷାକ ପିନ୍ଧିଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଦେଖାଇ ତାଙ୍କ ଉପରେ ମାନସିକ ଚାପ ସୃଷ୍ଟି କରାଯାଇଥିବା ଅଭିଯୋଗ ହୋଇଛି। ଏହି ଭୟ ଓ ଚାପରେ ଡାକ୍ତରାଣୀ ମାଡ଼ାମ ୫୮ ଲକ୍ଷ ୫୦ ହଜାର ଟଙ୍କା ଠକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇ ଦେଇଥିଲେ

ରାଜକୋଟ: ପୋଲିସ ପଞ୍ଝାରେ ଶଳା ଓ ଭିଣୋଇ। ସହଜରେ ଟଙ୍କା ରୋଜଗାର କରିବା ପାଇଁ ସାଇବର ଠକେଇକୁ ମାଧ୍ୟମ କରିଥିଲେ। ଆଉ ମହିଳା, ବୃଦ୍ଧା, ବୃଦ୍ଧଙ୍କୁ ନିଜ ଜାଲରେ ଫସାଇ ଠକୁଥିଲେ। ଶଳା ଓ ଭିଣୋଇଙ୍କ ଏହି ମାୟା ଜଲରେ ଫସିଥିଲେ ଜଣେ ଅବସରପ୍ରାପ୍ତ ୮୦ ବର୍ଷୀୟା ଡାକ୍ତରାଣୀ। ନିଜକୁ ମୁମ୍ବାଇ ପୋଲିସର ଭୟ ଦେଖାଇ ଶଳା-ଭିଣୋଇ ଲୁଟିଥିଲେ ୫୮.୫୦ ଲକ୍ଷ ଟଙ୍କା। ଏନେଇ ଅଭିଯୋଗ ହେବା ପରେ ଗୁଜରାଟ ପୋଲିସ ଶଳା ଓ ଭିଣୋଇଙ୍କୁ ଧରିଛି।

ରାଜକୋଟର ୟାଜ୍ଞିକ ରୋଡ୍ ଅଞ୍ଚଳରେ ରହୁଥିଲେ ୮୦ ବର୍ଷୀୟା ଅବସରପ୍ରାପ୍ତ ଡାକ୍ତର। ସେପ୍ଟେମ୍ବର ୨୧ ତାରିଖରେ ତାଙ୍କ ପାଖକୁ ଏକ ଅଜଣା ହ୍ୱାଟ୍ସଆପ୍ ନମ୍ବରରୁ ଫୋନ୍ ଆସିଥିଲା। ଫୋନ୍ କରିଥିବା ବ୍ୟକ୍ତି ନିଜକୁ ମୁମ୍ବାଇର କୋଲାବା ପୋଲିସ ଷ୍ଟେସନର ଜଣେ ସବ୍‌-ଇନ୍ସପେକ୍ଟର ବୋଲି ପରିଚୟ ଦେଇଥିଲେ। ମନି ଲଣ୍ଡରିଂ ମାମଲାରେ ତାଙ୍କ ଆଧାର କାର୍ଡ ଓ ଏଟିଏମ୍ କାର୍ଡ ମିଳିଥିବା କହି ଗିରଫ କରାଯିବାର ଭୟ ଦେଖାଇଥିଲେ। ଘରୁ ବାହାରକୁ ନଯିବାକୁ କୁହାଯାଇଥିଲା।

ଭିଡିଓ କଲ୍‌ରେ ପୋଲିସ ଅଧିକାରୀଙ୍କ ପରି ପୋଷାକ ପିନ୍ଧିଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଦେଖାଇ ତାଙ୍କ ଉପରେ ମାନସିକ ଚାପ ସୃଷ୍ଟି କରାଯାଇଥିବା ଅଭିଯୋଗ ହୋଇଛି। ଏହି ଭୟ ଓ ଚାପରେ ଡାକ୍ତରାଣୀ ମାଡ଼ାମ ୫୮ ଲକ୍ଷ ୫୦ ହଜାର ଟଙ୍କା ଠକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇ ଦେଇଥିଲେ। ହେଲେ ଲୋଭ ଏତିକିରେ ଥମିନଥିଲା। ଆହୁରି ୨୧ ଲକ୍ଷ ଟଙ୍କା ପଠାଇବା ପାଇଁ ଯୋଜନା କରିଥିଲେ। ସେଥିପାଇଁ ମହିଳା ଡାକ୍ତରଙ୍କ ଉପରେ ଚାପ ପକାଯାଇଥିଲେ। ତେବେ ଏ ସମ୍ପର୍କରେ ମହିଳା ଡାକ୍ତରଙ୍କ ଆକାଉଣ୍ଟ ଥିବା ବ୍ୟାଙ୍କ କର୍ମଚାରୀ ଜାଣିପାରିଥିଲେ। ମହିଳା ଡାକ୍ତରଙ୍କ ସହିତ ଯୋଗାଯୋଗ କରି ଥାନାରେ ଅଭିଯୋଗ କରିବାକୁ ପରାମର୍ଶ ଦେଇଥିଲେ। ଏହା ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ।

ବ୍ୟାଙ୍କ ଆକାଉଣ୍ଟର ଯାଞ୍ଚ ଓ ବୈଷୟିକ ତଥ୍ୟ ଆଧାରରେ ପୋଲିସ ଅହମ୍ମଦାବାଦରୁ ଦର୍ଶନ ମକୱାନା ଓ ଶୁଭମ ପରମାରଙ୍କୁ ଗିରଫ କରିଛି। ଉଭୟେ ସମ୍ପର୍କରେ ଶଳା-ଭିଣୋଇ ଏବଂ ଅହମ୍ମଦାବାଦରେ କାରଖାନା ଚଳାଉଥିବା ଜଣାପଡ଼ିଛି। ମାତ୍ର ୬ ପ୍ରତିଶତ କମିସନ୍ ପାଇବା ଲୋଭରେ ସେମାନେ ନିଜ କମ୍ପାନୀର କରେଣ୍ଟ ଆକାଉଣ୍ଟକୁ ସାଇବର ଠକଙ୍କ ବ୍ୟବହାର ପାଇଁ ଦେଇଥିବା ପୋଲିସ ଜାଣିବାକୁ ପାଇଛି।

ତଦନ୍ତରୁ ଜଣାପଡ଼ିଛି; ମହିଳା ଡାକ୍ତରଙ୍କଠାରୁ ଠକେଇ ହୋଇଥିବା ଟଙ୍କା ସେହି ଆକାଉଣ୍ଟକୁ ଯାଇଥିଲା। ଏହାବ୍ୟତୀତ ମାତ୍ର ୬ ଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରୁ ସାଇବର ଠକେଇ ଜରିଆରେ ପ୍ରାୟ ୨.୫ କୋଟି ଟଙ୍କା ଏହି ଆକାଉଣ୍ଟକୁ ଆସିଥିବା ଜଣାପଡ଼ିଛି। ପୋଲିସ ଅଭିଯୁକ୍ତଙ୍କଠାରୁ ୧.୨୦ ଲକ୍ଷ ଟଙ୍କା ମୂଲ୍ୟର ଚାରିଟି ମୋବାଇଲ୍ ଫୋନ୍ ଓ ଗୋଟିଏ ଲାପଟପ୍ ଜବତ କରିଛି।

ପୋଲିସର ପ୍ରାଥମିକ ପଚରାଉଚରାରୁ ଉଭୟେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ନୁହନ୍ତି, ବରଂ ଠକେଇ ପାଇଁ ବ୍ୟାଙ୍କ ଆକାଉଣ୍ଟ ଯୋଗାଇ ଦେଉଥିବା ‘ମ୍ୟୁଲ୍ ଆକାଉଣ୍ଟ ପ୍ରୋଭାଇଡର’ ଭାବେ କାମ କରୁଥିବା ସନ୍ଦେହ କରାଯାଉଛି। ଏବେ ଏହି ନେଟୱର୍କର ମୁଖ୍ୟ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିବା ଓ ଠକେଇ ଟଙ୍କାର ଆର୍ଥିକ କାରବାରକୁ ଅଟକାଇବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି।