ଅଖିଲେଶଙ୍କ ଅଭିଯୋଗ ନେଇ ଟ୍ରଷ୍ଟ କହିଲା, ସବୁ ଦାନ ରାଶିର ଅଛି ଲିଖିତ ହିସାବ
୧୯୯୪ ମସିହାର ଇତିହାସ ମନେ ପକାଇ ମହନ୍ତ କହିଛନ୍ତି, ୧୯୯୪ରେ ଯେତେବେଳେ ସପା (ସମାଜବାଦୀ ପାର୍ଟି) ସରକାର ଥିଲା। ସେତେବେଳେ ସେମାନେ ଆମକୁ ମାରିଦେଇଥିଲେ।
ପ୍ରୟାଗରାଜ: ଅଯୋଧ୍ୟା ଶ୍ରୀରାମ ମନ୍ଦିରରୁ କୋଟିକୋଟି ଟଙ୍କାର ଦାନ ରାଶି ଗାଏବ ହୋଇଯାଇଛି! ଆଜି ଏପରି ଅଭିଯୋଗ କରିଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ। ଯାହାର ଜବାବ ରଖିଛନ୍ତି ଶ୍ରୀରାମନ୍ଦିର ଟ୍ରଷ୍ଟର ମହନ୍ତ। କହିଛନ୍ତି, ରାମ ମନ୍ଦିର ସବୁ ହିସାବ ରହିଛି। ଏଥିସହ ଅଖିଲେଶଙ୍କୁ ତେର୍ଚ୍ଛା ବାଣ ମଧ୍ୟ ମାରିଛନ୍ତି ମହନ୍ତି। ଏହାକୁ ନେଇ ଉତ୍ତର ପ୍ରଦେଶରେ ରାଜନୀତି ଗରମ ହେବାରେ ଲାଗିଛି।
ଅଖିଳେଶ ଯାଦବ ସୋସିଆଲ ମିଡ଼ିଆ ଏକ୍ସରେ ଏକ ପୋଷ୍ଟରେ ଲେଖିଛନ୍ତି, ସମଗ୍ର ବିଶ୍ୱରେ ଭଗବାନ ରାମଙ୍କ ଭକ୍ତମାନଙ୍କ ପାଇଁ ଏହା ଏକ ଅତ୍ୟନ୍ତ ସମ୍ବେଦନଶୀଳ ଖବର। ରାମ ମନ୍ଦିରର କୋଟି କୋଟି ଟଙ୍କାର ଦାନ ରାଶି ଗାଏବ ହୋଇଯାଇଛି। ଏହା ମନ୍ଦିର ଟ୍ରଷ୍ଟ ପାଇଁ ଏକ ଅତ୍ୟନ୍ତ ଲଜ୍ଜାଜନକ ବିଷୟ। ଏହା ଉପରେ କୌଣସି ସ୍ପଷ୍ଟୀକରଣ ଦେବା ପାଇଁ କେହି ସାମ୍ନାକୁ ଆସୁନାହାନ୍ତି। ଏହା ସହିତ ଅଖିଳେଶ ଏହି ସମ୍ପୂର୍ଣ୍ଣ ମାମଲାରେ କୋର୍ଟଙ୍କୁ ସ୍ୱତଃ ପ୍ରବୃତ୍ତ ସଂଜ୍ଞାନ ନେବାକୁ ଦାବି କରି ଲେଖିଛନ୍ତି।
ଅଖିଳେଶ ଯାଦବଙ୍କ ଏହି ବୟାନକୁ ନେଇ ଜବାବ ରଖିଛନ୍ତି ଶ୍ରୀରାମ ମନ୍ଦିର ମହନ୍ତ ଦିନେନ୍ଦ୍ର ଦାସ। ସେ କହିଛନ୍ତି, ଟ୍ରଷ୍ଟରେ ଏଭଳି ଭୁଲ୍ ହେବନାହିଁ। ଆମ ପାଖରେ ପ୍ରତ୍ୟେକ କାରବାରର ସମ୍ପୂର୍ଣ୍ଣ ଲିଖିତ ହିସାବ ଓ କିତାବ ରଖାଯାଇଛି। ସମସ୍ତ କାରବାର ସଠିକ୍ ଭାବେ ଚାଲିଛି। ସଦ୍ଭାବନା ଓ ପ୍ରେମ ବଜାୟ ରହିଛି।
୧୯୯୪ ମସିହାର ଇତିହାସ ମନେ ପକାଇ ସେ କହିଛନ୍ତି, ୧୯୯୪ରେ ଯେତେବେଳେ ସପା (ସମାଜବାଦୀ ପାର୍ଟି) ସରକାର ଥିଲା। ସେତେବେଳେ ସେମାନେ ଆମକୁ ମାରିଦେଇଥିଲେ। ସେମାନଙ୍କୁ ଲାଗିଲା ଯେ ଆମେ ମରିଗଲୁ। କିନ୍ତୁ ଆମେ କେବଳ ‘ରାମ’ କହିଥିଲୁ। ଆମର ଭଗବାନ ରାମଙ୍କ ଉପରେ ବିଶ୍ୱାସ ସେତେବେଳେ ରହିଥିଲା। ଶାସନ ପକ୍ଷରୁ ସେମାନଙ୍କୁ କୌଣସି ଦଣ୍ଡ ମିଳିଲାନି। କିନ୍ତୁ ଭଗବାନ ରାମ ଏମିତି ଦଣ୍ଡ ଦେଲେ ଯେ ସେମାନେ ସେଇଠି ହିଁ ଶେଷ ହୋଇଗଲେ।
ମହନ୍ତ ଆହୁରି କହିଛନ୍ତି, ରାମ ଜୀ ସବୁ ଦେଖୁଛନ୍ତି। ରାଜନୀତି କରୁଥିବା ଲୋକେ ଯାହା ଚାହିଁବେ କହିପାରନ୍ତି। ରାମ ଜୀଙ୍କ ଉପରେ ସମସ୍ତଙ୍କର ବିଶ୍ୱାସ ରହିଛି। ଦେଶରେ ସଦ୍ଭାବନା ଏବଂ ପ୍ରେମର ପରିବେଶ ଅଛି। ଶାସନକୁ ସବୁବେଳେ ଦେଶରେ ସଦ୍ଭାବନା ଏବଂ ପ୍ରେମ ବଜାୟ ରଖିବା ଉଚିତ। ଘରେ କେବେ ବି କଳି-ଝଗଡ଼ା କରିବା ଉଚିତ ନୁହେଁ। ପ୍ରତ୍ୟେକ ବ୍ୟକ୍ତିଙ୍କ ଚିନ୍ତାଧାରା ଅଲଗା ହୋଇଥାଏ, କିଏ କିଛି ବି କହିପାରେ। ଶେଷରେ ରାମ ଜୀ ନିଜେ ନ୍ୟାୟ କରିବେ ଏବଂ ଦଣ୍ଡ ଦେବେ ବୋଲି ମହନ୍ତ କହିଛନ୍ତି।

